ନର୍ସମାନଙ୍କୁ ହସ୍ପିଟାଲ ପରିସରରେ ମାଲାୟାଲମ୍ ଭାଷାରେ କଥାବାର୍ତ୍ତା ହେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲା ଦିଲ୍ଲୀର ଏକ ହସ୍ପିଟାଲ ; ନିଷ୍ପତ୍ତିକୁ ନେଇ ସବୁ ମହଲରେ ନିନ୍ଦା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀର ଏକ ସରକାରୀ ଡାକ୍ତରଖାନାରେ ସେଠାରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କୁ ଚିକିତ୍ସା ସୁବିଧା ପରିସରରେ ମାଲାୟାଲମ୍ ଭାଷା କହିବା ଉପରେ ରୋକ୍ ଲଗାଇଛନ୍ତି। ଯଦି ସେମାନେ ଇଂରାଜୀ କିମ୍ବା ହିନ୍ଦୀରେ କଥାବାର୍ତ୍ତା ନକରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କଡା ଚେତାବନୀ ଦେଇଛନ୍ତି। ହସ୍ପିଟାଲର ଏହି ନିଷ୍ପତ୍ତିକୁ ନେଇ ଏଵେ ଜୋରଦାର ବିରୋଧ ହେଉଛି। ରାଜଧାନୀ ଦିଲ୍ଲୀସ୍ଥିତ ଗୋବିନ୍ଦ ବଲାଭ ପନ୍ତ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଦ୍ବାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ,” ନର୍ସିଂ କର୍ମଚାରୀ ମାନେ ଚିକିତ୍ସା ସୁବିଧା ପରିସରରେ ମାଲାୟାଲମ୍ ଭାଷା ବ୍ୟବହାର କରୁଥିବା ନେଇ ଏକ ଅଭିଯୋଗ ଆସିଛି। ଯେହେତୁ ସର୍ବାଧିକ ରୋଗୀ ଏବଂ କର୍ମଚାରୀ ମାଲୟାଲମ ଭାଷା ଜାଣି ନାହାନ୍ତି ଏବଂ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସମସ୍ତ ନର୍ସିଂ କର୍ମଚାରୀଙ୍କୁ କେବଳ ହିନ୍ଦୀ ଏବଂ ଇଂରାଜୀ ଭାଷାରେ କଥାବାର୍ତ୍ତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନଚେତ୍ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ” ତେବେ ହସ୍ପିଟାଲର ଏହି ନିଷ୍ପତ୍ତିକୁ ଡାକ୍ତରଖାନାର ନର୍ସମାନେ ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି ଯେ ରୋଗୀମାନଙ୍କ ସହ ସେମାନେ ହିନ୍ଦୀରେ କଥା ହେଉଛନ୍ତି। ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାର ନର୍ସ ୟୁନିଅନର ସାଧାରଣ ସମ୍ପାଦକ ଥିବା କେରଳର ଜଣେ ନର୍ସ ଜେମୋଲ ଶାଜି କହିଛନ୍ତି ଯେ ଆମେ କେବଳ କେରଳର ଲୋକଙ୍କ ସହ ମାଲୟାଲମ ଭାଷାରେ କଥାବାର୍ତ୍ତା କରୁଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏହା(ମାଲାୟଲମ) ଆମର ମାତୃଭାଷା। ତେଣୁ କର୍ମଚାରୀମାନେ ମାଲାୟାଲମରେ କଥାବାର୍ତ୍ତା କରିପାରିବେ ନାହିଁ ବୋଲି ସେମାନେ କିପରି କହିପାରିବେ? ସେ ପ୍ରଶ୍ନ କରିଛନ୍ତି ଯେ ହସ୍ପିଟାଲ କର୍ତ୍ତୃପକ୍ଷ କଣ ପଞ୍ଜାବୀ ମାନଙ୍କୁ ପଞ୍ଜାବୀ ଭାଷାରେ କଥାବାର୍ତ୍ତା କରିବାକୁ ମନା କରିପାରିବେ କି ? ” ଗୋବିନ୍ଦ ବଲାଭ ପନ୍ତ ନର୍ସ ଆସୋସିଏସନ ସଭାପତି ଲୀଲାଧର ରାମଚାନ୍ଦାନୀ କହିଛନ୍ତି ଯେ ଏହି ବିଜ୍ଞପ୍ତି ଜଣେ ରୋଗୀଙ୍କ ଅଭିଯୋଗ ଆଧାରରେ ପ୍ରକାଶ ପାଇଥିଲା । ଏବଂ ସେ ଦାବି କରିଛନ୍ତି ଯେ “ନର୍ସ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟରେ କୌଣସି ବି ସମସ୍ୟା ନାହିଁ”। ତେବେ ଏହି ବିଜ୍ଞପ୍ତିକୁ ଦୃଷ୍ଟିରେ ରଖି ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ, ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଏବଂ ଗୁରୁ ତେଗ ବାହାଦୁର ହସ୍ପିଟାଲ ସମେତ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାର ମାଲାୟାଲୀ ନର୍ସିଂ ଅଧିକାରୀ ପ୍ରତିନିଧୀମାନେ ଏହାକୁ ନିନ୍ଦା କରିଛନ୍ତି। ଏବଂ ଏଥିପାଇଁ ସେମାନେ ଏକ କମିଟି ଗଠନ କରିଛନ୍ତି। ଏହା ବିରୋଧରେ ସେମାନେ ଏକ ସୋସିଆଲ ମିଡିଆ କ୍ୟାମ୍ପେନ୍ ମଧ୍ୟ ଆରମ୍ଭ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ତେବେ ବିବାଦ ଏତିକିରେ ଅଟକି ନାହିଁ। କଂଗ୍ରେସର ଅନେକ ବରିଷ୍ଠ ନେତା ମଧ୍ୟ ଏହି ନିର୍ଦ୍ଦେଶନାମା କୁ କଡା ନିନ୍ଦା କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଷା କୁ ନେଇ ଭେଦଭାବ କରିବା ବନ୍ଦ କରିବା ପାଇଁ ଆହ୍ବାନ ଦେଇଛନ୍ତି। ସେହିପରି ଥିରୁବନନ୍ତପୁରମ୍ ସାଂସଦ ତଥା କଂଗ୍ରେସ ନେତା ଶଶି ଥରୁର କହିଛନ୍ତି ଯେ ଏହି ବିଜ୍ଞପ୍ତି କଦାପି ଗ୍ରହଣୀୟ ନୁହେଁ। ଏହା ଅତ୍ୟନ୍ତ ଆପତ୍ତିଜନକ ଏବଂ ଭାରତୀୟ ନାଗରିକଙ୍କ ମୌଳିକ ଅଧିକାରର ଉଲ୍ଲଂଘନ।

Related Posts