(ସତ୍ୟପାଠ ବ୍ୟୁରୋ): ପିପିଲି ଟୋଲ୍ ନିକଟରେ ହେବାକୁ ଯାଉଛି ବିରାଟ ଚାନ୍ଦୁଆ ହବ୍। ଗୋଟିଏ ସ୍ଥାନରେ ହେବ ଚାନ୍ଦୁଆ ତିଆରି ଓ ବିକ୍ରି । ଶହ ଶହ ଚାନ୍ଦୁଆ ବ୍ୟବସାୟୀ ଲାଭବାନ୍ ହେବେ। ପିପିଲି ଲୋକ କଳା ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଆ ଅସ୍ମିତାକୁ ଆଗକୁ ନେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ପୂର୍ବ ସରକାର ଗୋଟିଏ ଦିନରେ ଓଡ଼ିଆ ଦିବସକୁ ସାରି ଦେଉଥିଲେ। କିନ୍ତୁ ବିଜେପି ସରକାର ପକ୍ଷ ପାଳନ କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ। ସେପଟେ ଓଡ଼ିଆ ପକ୍ଷ ପାଳନର ଦଶମ ଦିବସ ଅବସରରେ ରାଜ୍ୟ ସ୍ତରୀୟ “ଲୋକକଳା ପାଇଁ ଦିନଟିଏ” କାର୍ଯ୍ୟକ୍ରମର ଆୟୋଜନ ପିପିଲିଠାରେ ହୋଇଥିଲା। ସମସ୍ତେ ପିପିଲି ଜବାହାର ବିଦ୍ୟାପୀଠ ଠାରୁ ପଦାପଡ଼ିଆ ଯାଏ ଯାଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୮୦ଟି ସାଂସ୍କୃତିକ ଦଳ ଏବଂ ୮୦୦ରୁ ଉର୍ଦ୍ଧ୍ବ କଳାକାରମାନେ ଏକ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।