କେରଳ(ସତ୍ୟପାଠ ବ୍ୟୁରୋ): କେରଳର ଜଣେ ଟାଟୁ କଳାକାର ମହିଳାଙ୍କ ମେରୁଦଣ୍ଡରେ ଛୁଞ୍ଚି ଲଗାଇବା ପରେ ବଳକ୍ରାର କରିଥିବାର କଥା ସାମ୍ନାକୁ ଆସିଛି । ଏନେଇ ମହିଳା ଜଣଙ୍କ ନିଜେ ଟାଟୁ କଳାକାର ସୁଜିଶ ପିଏସଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏପରିକି ମହିଳା ଜଣଙ୍କ ଏନେଇ ସୋସିଆଲ ମିଡିଆରେ ମଧ୍ୟ ସୂଚନା ଦେଇଥିବାର ଦେଖିବାକୁ ମିଳିଛି । ସେପଟେ ସମ୍ପୃକ୍ତ ମହିଳାଙ୍କୁ ମିଶାଇ ୬ ଜଣ ମହିଳା ସୁଜିତଙ୍କ ବିରୋଧରେ ନିର୍ଯ୍ୟାତନର ଅଭିଯୋଗ କରିବା ପରେ କେରଳ ପୁଲିସ ବିଳମ୍ବିତ ରାତିରେ କୋଚିରେ ଲୁଚି ରହିଥିବା ସ୍ଥାନରୁ ଟାଟୁ କଳାକାର ସୁଜିଶ ପି ଏସଙ୍କୁ ଗିରଫ କରିଛି। ଏହାକୁ ନିଶ୍ଚିତ କରି କୋଚି ପୋଲିସ କମିଶନର ନାଗାରାଜୁ ଚକଲାମ କହିଛନ୍ତି ଯେ ତାଙ୍କ ବିରୋଧରେ ଛଅଟି ମାମଲା ରୁଜୁ ହୋଇଛି। ଗତ ସପ୍ତାହରେ ଟାଟୁ ଷ୍ଟୁଡିଓରେ ଜଣେ ୧୮ ବର୍ଷର ବାଳିକା ସୋସିଆଲ ମିଡିଆରେ ଅଭିଯୋଗ କରିବା ପରେ ଏହାର ସମ୍ପୂର୍ଣ୍ଣ ଘଟଣାଟି ସାମ୍ନାକୁ ଆସିଥିଲା ।
ତାଙ୍କ ବିରୋଧରେ ଅଧିକ ଅଭିଯୋଗ ହେବ ଏବଂ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯିବ ବୋଲି କମିଶନର୍ କହିଛନ୍ତି। ଏହା ସହ ଏପର୍ୟ୍ୟନ୍ତ ଆମେ ୬ ଟି ମାମଲା ପଞ୍ଜିକୃତ କରିଛୁ। ଅଭିଯୋଗ ଆସିବା ପରେ ସେ ତାଙ୍କ ଷ୍ଟୁଡିଓ ବନ୍ଦ କରି ପଳାଇ ଯାଇଥିଲେ। ଆମ ଦଳ ତାଙ୍କ ଗତିବିଧି ଉପରେ ନଜର ରଖିଥିଲେ ଏବଂ ଶନିବାର ରାତିରେ ତାଙ୍କୁ ଟ୍ରାକିଂ କରିଥିଲେ ବୋଲି ସେ କହିଛନ୍ତି। ସେପଟେ ପୁଲିସ ଅଭିଯୁକ୍ତଙ୍କ ଷ୍ଟୁଡିଓ ଉପରେ ଚଢ଼ାଉ କରି ଲାପଟପ୍, ସିସିଟିଭି ଭିଜୁଆଲ୍ ଏବଂ ଅନ୍ୟାନ୍ୟ ରେକର୍ଡ ଜବତ କରିଛି। ତାଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୭୫ (ବଳାତ୍କାର) ଏବଂ ଧାରା ୫୦୯ ଅନୁଯାୟୀ ବୁକ୍ କରାଯାଇଥିଲା। ଏ ଘଟଣା ସାମ୍ନାକୁ ଆସିବା ପରେ ଏହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।





