ନୂଆଦିଲ୍ଲୀ: ଅଶୋଧିତ ତୈଳ ଯୋଗାଣ ସଙ୍କଟ ମଧ୍ୟରେ ତୈଳ କମ୍ପାନୀଗୁଡ଼ିକୁ ବଡ଼ ଆଶ୍ୱସ୍ତି। ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୩ ଟଙ୍କାରୁ ୩ ଟଙ୍କାକୁ ହ୍ରାସ କରାଯାଇଛି। ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଶୂନ୍ୟ କରାଯାଇଛି।ସରକାର ତୈଳ କମ୍ପାନୀଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କାରଣ ସଙ୍କଟ ସମୟରେ ସେମାନେ ଅଧିକ ମୂଲ୍ୟରେ ଅଶୋଧିତ ତୈଳ କିଣିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ପୂର୍ବଭଳି ରାଜ୍ୟ ସରକାରଙ୍କ ଭାଟ୍ ରହିବ। ପୂର୍ବରୁ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୩ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କା ପ୍ରତି ଲିଟର ଥିଲା କିନ୍ତୁ। ଏହା ଉଭଯରେ ଏବେ ୧୦ ଟଙ୍କା ହ୍ରାସ ପାଇଛି।ଦିଲ୍ଲୀରେ, ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୪.୭୭ ଏବଂ ଡିଜେଲର ମୂଲ୍ୟ ୮୭.୬୭ ପ୍ରତି ଲିଟର ରହିଛି। ନୋଏଡାରେ, ପେଟ୍ରୋଲ ୯୪.୮୫ ଏବଂ ଡିଜେଲ ୮୭.୯୮ ରହିଛି। ସେହିପରି, ମୁମ୍ବାଇରେ, ପେଟ୍ରୋଲର ମୂଲ୍ୟ ୧୦୩.୫୪ ଟଙ୍କା ପ୍ରତି ଲିଟର ଏବଂ ଡିଜେଲର ମୂଲ୍ୟ ୯୦.୦୩ ରହିଛି। ସେହିପରି, ଚେନ୍ନାଇରେ, ପେଟ୍ରୋଲର ମୂଲ୍ୟ ୧୦୦.୮୦ ରୁ ୧୦୧.୦୬ ପ୍ରତି ଲିଟର ମଧ୍ୟରେ ଏବଂ ଡିଜେଲର ମୂଲ୍ୟ ୯୨.୩୮ ରୁ ୯୨.୬୧ ପ୍ରତି ଲିଟର ମଧ୍ୟରେ ରହିଛି।ଏବେ ମନକୁ ପ୍ରଶ୍ନ ଚାଲିଆସୁଥିବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କମିବ କି? ଯଦି ତେଲ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରନ୍ତି, ତେବେ ଇନ୍ଧନ ମୂଲ୍ୟ ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ । ଏପର୍ଯ୍ୟନ୍ତ କେବଳ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ତେଲ କମ୍ପାନୀଗୁଡ଼ିକର ନିଷ୍ପତ୍ତି ଉପରେ ନିର୍ଭର କରିବ।ଗୁରୁବାର ଦିନ, ଦେଶର ଏକ ଘରୋଇ ତୈଳ କମ୍ପାନୀ ନାୟରା ଏନର୍ଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୫ ଟଙ୍କା ଏବଂ ୩ ଟଙ୍କା ବୃଦ୍ଧି କରିଛି। କମ୍ପାନୀ କହିଛି ଯେ ଘରୋଇ କମ୍ପାନୀଗୁଡ଼ିକୁ ସରକାରଙ୍କଠାରୁ ଆଶ୍ୱସ୍ତି ମିଳୁନାହିଁ, ଯାହା ଫଳରେ ସେ ନିଜର କ୍ଷତି ପୂରଣ ପାଇଁ ଇନ୍ଧନ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହେଉଛନ୍ତି। ସାରା ଦେଶରେ ଏହାର ୬,୯୦୦ ରୁ ଅଧିକ ପେଟ୍ରୋଲ ପମ୍ପ ଅଛି।ଗତ କିଛି ଦିନ ଧରି ଦେଶର ଅନେକ ସହରରେ ପେଟ୍ରୋଲ ପମ୍ପରେ ଅଭାବୀ ସ୍ଥିତି ଦେଖାଦେଇଛି। ଲୋକମାନେ ଆତଙ୍କିତ ହୋଇ ପେଟ୍ରୋଲ ଏବଂ ଡିଜେଲ କିଣୁଛନ୍ତି। ଭାରତରେ କୌଣସି ତେଲ ଅଭାବ ନାହିଁ। ତୈଳ କମ୍ପାନୀଗୁଡ଼ିକ ବିଦେଶରୁ ତେଲ କିଣୁଛନ୍ତି ଏବଂ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଭଣ୍ଡାର ଅଛି। ଏନେଇ କେନ୍ଦ୍ର ସରକାର ମଧ୍ୟ ସ୍ପଷ୍ଟ କରିଛନ୍ତି।





