ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଭିନେତା ରାଇମୋହନଙ୍କ ଘରେ କମିସନରେଟ ପୁଲିସର ସ୍ବତନ୍ତ୍ର ଟିମ୍ । କମିସନରରେଟ ପୁଲିସର ଏକ ମହିଳା ଟିମ୍‌ ଆଜି ମଞ୍ଚେଶ୍ବର ଥାନା ଅନ୍ତର୍ଗତ ପ୍ରାଚୀବିହାରସ୍ଥିତ ରାଇମୋହନ ପରିଡାଙ୍କ ବାସଭବନରେ ପହଞ୍ଚିଛନ୍ତି। ଏହି ସ୍ବତନ୍ତ୍ର ମହିଳା ଟିମ୍‌ରେ ୪ ଜଣ ସଦସ୍ୟ ଅଛନ୍ତି। ପୁଲିସ ରାଇମୋହନଙ୍କ ରହସ୍ୟମୟ ଆତ୍ମହତ୍ୟାର କାରଣ ଖୋଜୁଛି। ଏଥି ପାଇଁ ରାଇମୋହନଙ୍କ ପତ୍ନୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରୁଛି ବୋଲି ସୂଚନା ମିଳିଛି। ରାଇମୋହନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ରାଇମୋହନ କାହିଁକି ଆତ୍ମହତ୍ୟା କଲେ? କେଉଁ ପରିସ୍ଥିତିରେ ଏଭଳି ଚରମ ନିଷ୍ପତ୍ତି ନେଲେ ରାଇମୋହନ?

କୌଣସି ପାରିବାରିକ ଅଶାନ୍ତି ଯୋଗୁଁ ଏଭଳି ଆତ୍ମହତ୍ୟା କଲେ କି ରାଇମୋହନ? କମିସନରେଟ ପୁଲିସ ଏ ସବୁ ଦିଗକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରୁଛି। ସେପଟେ ଗତକାଲି ରାଇମୋହନ ପରିଡ଼ାଙ୍କ ମୃତଦେହ ତାଙ୍କର ପ୍ରାଚୀବିହାରସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୂଚନା ପାଇ କମିସନରେଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମୃତଦେହ ଜବତ କରି କ୍ୟାପିଟାଲ ହସ୍‌ପିଟାଲରେ ପୋଷ୍ଟମର୍ଟମ କରାଯାଇଥିଲା। ଏହା ପରେ ତାଙ୍କ ମରଶରୀରକୁ କ୍ୟାପିଟାଲ ହସ୍‌ପିଟାଲରୁ ସଂଗୀତ ମହାବିଦ୍ୟାଳୟ ଓ ରାଇମୋହନଙ୍କ ବାସଭବନକୁ ପରିବାର, ବନ୍ଧୁ, ପ୍ରଶଂସକ ତଥା କଳାକାରଙ୍କ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ନିଆଯାଇଥିଲା। ଶେଷରେ ପୁରୀ ସ୍ବର୍ଗଦ୍ବାରରେ ରାଇମୋହନଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।