ଆପର୍ ଓ୍ବିନିଙ୍ଗ୍ ଫ୍ୟାକ୍ଟର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦିଲ୍ଲୀରେ ପୁଣି ଚାଲିଲା ଝାଡ଼ୁ । ଯେଉଁଥିରେ ସଫା ହୋଇଗଲା ହାତ । ଆଉ ଶତଚେଷ୍ଟା କରି ବି 2 ଅଙ୍କ ଛୁଇଁପାରିଲାନି ପଦ୍ମ। କଣ ସେହି ବିଜୟୀ କରିଶ୍ମା ଯାହାକି ଆପ୍‌କୁ ଦିଲ୍ଲୀରେ ଦେଲା ପୁଣି ବମ୍ପର ବିଜୟ । ମ୍ୟାଜିତ ନମ୍ବର ତ ଦୂରର କଥା ଆଖ ପାଖ ବି ପହଞ୍ଚି ପାରିଲେନି ବିରୋଧୀ । କେମିତି ଦିଲ୍ଲୀବାସୀଙ୍କ ହୃଦୟ ଜିତିବାରେ ସଫଳ ହେଲା ଆମ୍‌ ଆଦ୍‌ମି ପାର୍ଟି। କଣ ଥିଲା କେଜରିୱାଲଙ୍କ ଉଇନିଂ ଫ୍ୟାକ୍ଟର।

ରାଜଧାନୀ ଦିଲ୍ଳୀରେ ଏଥର ମଧ୍ୟ ବଦଳିଲାନି ରାଜନୈତିକ ଦୃଶ୍ୟପଟ । ପୁଣି ଚାଲିଲା ଆପ୍‌ର ମ୍ୟାଜିକ୍ । କେଜରିୱାଲଙ୍କୁ ପୁଣି ଥରେ ଦିଲ ଦେଇଦେଲେ ଦିଲ୍ଲୀବାସୀ। ଲଗେ ରହୋ କେଜରିଓ୍ବାଲ ଗୀତରେ ଝୁମିଳେ ସମର୍ଥକ। ୨୦୧୯ ଲୋକସଭା ନିର୍ବାଚନରେ ଗୋଟିଏ ବି ସିଟ୍‌ ପାଇ ନ ଥିବା ଆପ୍‌, ୨୦୨୦ ବିଧାନସଭା ନିର୍ବାଚନରେ ହାସଲ କରିଛି ବମ୍ପର ବିଜୟ । ୨୦୧୫ର ୬୭ ସଂଖ୍ୟା ପାର୍‌ କରିନଥିଲେ ବି ପୁଣି ଥରେ ମଜଭୁତ ସରକାର କରିବାକୁ ପ୍ରସ୍ତୁତ ଆମ୍‌ ଆଦ୍‌ମି ପାର୍ଟି । ପଢନ୍ତୁ ଆପର ଉଇନିଂ ଫ୍ୟାକ୍ଟର।

1-ଆପର ପୂର୍ବ ପ୍ରସ୍ତୁତି ଓ ଅଭୂତପୂର୍ବ କ୍ୟାମ୍ପେନ୍‌

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହିଁ ପ୍ରସ୍ତୁତ ହୋଇସାରିଥିଲା ଆମ୍‌ ଆଦ୍‌ମି ପାର୍ଟି । ବିଶେଷକରି ୨୦୧୯ ନିର୍ବାଚନ ଲୋକସଭାରେ ପରାଜୟ ପରେ ଅଧିକ ସତର୍କ ହୋଇଯାଇଥିଲା ଦଳ । ଦିଲ୍ଲୀବାସୀଙ୍କ ପାଖକୁ ପହଞ୍ଚିଲେ ଦଳୀୟ ନେତା । ଆଉ ଦଳର ବରିଷ୍ଠ ନେତା ଧ୍ୟାନ ଦେଲେ କେଉଁଠି ରହିଗଲା ଭୁଲ୍‌ । ସେହି ଅନୁଯାୟୀ ଦଳ ପ୍ରସ୍ତୁ କରିଥିଲା ରଣନୀତି । ବିଶେଷକରି ଯେଉଁ ପ୍ରାର୍ଥୀଙ୍କ ଉପରେ ଲୋକେ ଅସନ୍ତୁଷ୍ଟ ଥିଲେ ସେହି ସ୍ଥାନରେ ଦିଆଗଲା ସୁଯୋଗ । ଏଥର ନିର୍ବାଚନରେ ଆପ୍‌ର ସିଧାସଳଖ ଟକ୍କର ଥିଲା ବିଜେପି ସହ । ତେଣୁ ସେହି ଅନୁଯାୟୀ ଦଳୀୟ କ୍ୟାମ୍ପେନ୍‌କୁ ଜାତୀୟ ବଳଦରେ ଦିଲ୍ଲୀ ମୋଡ୍‌ରେ କରିବାକୁ ଚେଷ୍ଟା କରିଥିଲା ।

2- ବିଜେପିର ରାଷ୍ଟ୍ରବାଦ vs ଆପର କାମ ପ୍ରସଙ୍ଗ

ଦିଲ୍ଲୀ ନିର୍ବାଚନ ଏଥର ଥିଲା ଅତ୍ୟନ୍ତ ରୋଚକ । ଆରମ୍ଭରୁ ହିଁ ଜଣାପଡ଼ିଯାଇଥିଲା ବିଜେପି ଓ ଆପ୍‌ ମଧ୍ୟ କିଭଳି ଟକ୍କର ହେବ । ପ୍ରଚାର ଯେମିତି ଆଗକୁ ବଢ଼ିବାକୁ ଲାଗିଲା ଧୀରେ ଧୀରେ ଚିତ୍ର ମଧ୍ୟ ସ୍ପଷ୍ଟ ହେବାକୁ ଲାଗିଲା । ଗୋଟିଏ ପଟେ ବିଜେପି ଜାତୀୟ ପ୍ରସଙ୍ଗକୁ ମୁଦ୍ଦା କରିଥିବାବେଳେ ଆପ୍‌ ଦିଲ୍ଲୀର ସମସ୍ୟାକୁ ଧ୍ୟାନ ଦେଲା । ଏପରିକି ଜାତୀୟ ପ୍ରସଙ୍ଗକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ ଆପ୍‌ ନେତା । ଯାହାକି ନିର୍ବାଚନରେ ମତଦାତାଙ୍କୁ ଅଧିକ ପସନ୍ଦ ଆସିଥିଲା । ଲୋକେ ଜାତୀୟ ବଦଳରେ ଦିଲ୍ଲୀକୁ ଧ୍ୟାନରେ ରଖି ଭୋଟ ଦେଲେ । ଶେଷରେ ଆପ୍‌ର ହେଲା ବମ୍ପର ବିଜୟ ।

3- ଫ୍ରି ପଲିଟିକ୍ସ

ବିଜୁଳି ଫ୍ରି, ପାଣି ଫ୍ରି, ମହିଳାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା, ମୋହଲ୍ଲା କ୍ଲିନିକ, ଉନ୍ନତମାନର ସ୍କୁଲ ଆହୁରି କେତେ କଣ। ପ୍ରଚାର ସମୟରେ ଏହା ରହିଥିଲା କେଜରିଓ୍ବାଲଙ୍କ ପ୍ରମୁଖ ସ୍ଲୋଗାନ । ଏପରିକି ବିରୋଧୀଙ୍କ ପକ୍ଷରୁ ଏହା ମଧ୍ୟ ପ୍ରଚାର କରଗଲା ଯେ, ପୁଣି ଥରେ ଆପ୍‌ କ୍ଷମତାକୁ ଫେରିଲେ ଏହି ସବୁ ସୁବିଧା ବନ୍ଦ କରିଦିଆଯିବ । ଯାହାକୁ ନେଇ ଆପ୍‌ ପକ୍ଷରୁ ଜାରି କରାଗଲା ଗ୍ୟାରେଣ୍ଟି ଗାର୍ଡ । ଏହା ମଧ୍ୟ ଥିଲା ଦଳର ଆଉ ଏକ ମାଷ୍ଟର ଷ୍ଟ୍ରୋକ୍‌ । ଯାହା ଦଳକୁ ଜିତାଇବାରେ ସହାୟକ ହେଲା ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ।

4-କଂଗ୍ରେସର ବ୍ୟାକ୍‌ଫୁଟ୍‌

ଆପ୍‌ର ବିଜୟ ପଛରେ ରହିଛି ଅନେକ ଫ୍ୟାକ୍ଟର । ତା ଭିତରେ ଆଉ ଏକ ବଡ଼ ଫ୍ୟାକ୍ଟର ହେଲା କଂଗ୍ରେସର ବ୍ୟାକ୍‌ଫୁଟ୍‌ । ଆପ୍‌ ପୂର୍ବରୁ ଲଗାତାର ୩ ଥର କ୍ଷମତାରେ ଥିବା କଂଗ୍ରେସ ଏଥର ଦିଲ୍ଲୀରେ ଆଉଟ୍‌ ଅଫ୍‌ ରେସ୍‌ ଥିଲା । ଯେଉଁଭଳି କଂଗ୍ରେସ ଦିଲ୍ଲୀ ନିର୍ବାଚନକୁ ଫୋକସ କରିଥିଲା, ସେଥିରୁ ସ୍ପଷ୍ଟ ହୋଇଯାଇଥିଲା ଯେ ଦିଲ୍ଲୀରେ ତ୍ରିମୁଖୀ ନୁହେଁ ବରଂ ବିଜେପି ଓ ଆପ୍‌ ମଧ୍ୟରେ ହେଉଛି ଟକ୍କର । ଏଭଳି ସ୍ଥିତିରେ ମତଦାତାଙ୍କୁ ନିଜ ପସନ୍ଦ ପ୍ରାର୍ଥୀ ଚୟନ କରିବା ସହଜ ହେଲା । ଆଉ ପୁଣି ଥରେ ଆପ୍‌କୁ ମିଳିଲା ଜବରଦସ୍ତ ସଫଳତା ।

5-କେନ୍ଦ୍ରରେ ମୋଦି ଓ ଦିଲ୍ଲୀରେ କେଜରିଓ୍ବାଲ

ନିର୍ବାଚନ କ୍ୟାମ୍ପେନିଂ ସମୟରେ କେଜରିଓ୍ବାଲ ନିଜେ ସ୍ବୀକାର କରିଥିଲେ ଯେ ଦିଲ୍ଲୀର ଭୋଟର ମୁଡ୍‌ ବନେଇ ସାରିଛନ୍ତି । ଜାତୀୟ ସ୍ତରରେ ନୁହେଁ ବରଂ ଦିଲ୍ଲୀ ପାଇଁ ଲୋକଙ୍କ ପସନ୍ଦ ଆପ୍‌ । ଏହା ଠିକ୍‌ ମଧ୍ୟ ସାବ୍ୟସ୍ତ ହୋଇଛି । ନିର୍ବାଚନ ଫଳାଫଳରୁ ମଧ୍ୟ ଏହା ସ୍ପଷ୍ଟ । ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିବା ଆପ୍‌କୁ ମିଳିଛି ବିଧାନସଭା ନିର୍ବାଚନରେ ଜବରଦସ୍ତ ବିଜୟ । ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ ବାଛିଥିବା ବେଳେ ଦିଲ୍ଲୀର ମୁଖିଆ ଭାବେ କେଜରିୱାଲଙ୍କୁ ବାଛିଛନ୍ତି ଦିଲ୍ଲୀବାସୀ।

6-ଚର୍ଚ୍ଚାରେ ଆପ୍‌ର ବମ୍ପର ବିଜୟ

ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜରିଓ୍ବାଲ । ନିର୍ବାଚନୀ ବୈତରଣୀ ସଫଳତାର ସହ ପାର୍‌ ହେବା ପରେ ଏବେ ଦିଲ୍ଲୀର ବିକାଶ ହେବ କେଜରିଓ୍ବାଲଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ଯାହାକୁ ନେଇ ପୁଣି ଥରେ ୨୦୨୫ର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବ ଆପ୍‌ ।
Related Posts