ରାଜ୍ୟରେ ସକ୍ରିୟ ଲଘୁଚାପ: ୧୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ଦେଖିବାକୁ ମିଳୁଛି । ଏ ଲଘୁଚାପ ପ୍ରକୋପ ସରିନି, ଆଉ ଗୋଟିଏ ଦାନା ବାନ୍ଧିଲାଣି । ତା’ ପଛକୁ ପୁଣି ଗୋଟିଏ ଆସିବ । ଆସନ୍ତା ୧୩ରେ ଆସିବ ଚଳିତ ଅଗଷ୍ଟ ମାସର ଦ୍ୱିତୀୟ ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ୧୬ ତାରିଖ ଯାଏଁ । ପୁଣି ୧୭ ତାରିଖରେ ଆସିବ ଆଉ ଗୋଟିଏ ଲଘୁଚାପ । ଏମିତି ଘନଘନ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ।

ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଛେଚିବ । ସେତିକି ନୁହେଁ, ସମ୍ଭାବ୍ୟ ଲଘୁଚାପ ଛତିଶଗଡ଼ରେ ବି ପ୍ରବଳ ବର୍ଷା ଢାଳିପାରେ । ଏଭଳି ଲଗାଣ ବର୍ଷା ଡାକି ଆଣିପାରେ ବଡ଼ ବନ୍ୟାକୁ । ବିଶେଷଜ୍ଞ ସତର୍କ କରାଇଲେଣି, ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ରହିଛି । ଆଗକୁ ମହାନଦୀ ବି ଉଛୁଳିପାରେ ।

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ମହାନଦୀ, ବଂଶଧାରା, ବୈତରଣୀ, ବ୍ରାହ୍ମଣୀ ଆଦି ବିଭିନ୍ନ ନଦୀର ଜଳସ୍ତର ଫୁଲୁଛି । ୧୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଯେଉଁ ଲଘୁଚାପ ସୃଷ୍ଟି ହେବ, ତାହା ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କନ୍ଧମାଳ, ରାୟଗଡ଼ା, ଗଜପତି, ଯାଜପୁର, ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଅନେକ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।

ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବର୍ଷା ହେବ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ, ମହାନଦୀ ଉପରମୁଣ୍ଡ ଓ ତଳମୁଣ୍ଡ, ବ୍ରାହ୍ମଣୀର ଉପର ଓ ତଳମୁଣ୍ଡ, ଋଷିକୂଲ୍ୟା, ନାଗାବଳୀ, ବଂଶଧାରା ଅବବାହିକା ଅଞ୍ଚଳରେ ଆସନ୍ତା ୧୩ ଓ ୧୪ରେ ବିସ୍ତୃତ ବର୍ଷା ସମ୍ଭାବନା ଅଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଅଗଷ୍ଟ ୧୩ରେ ଗୋଟିଏ ଲଘୁଚାପ ସମ୍ଭାବନା ଥିବାବେଳେ ଆସନ୍ତା ୧୭ରେ ଓଡ଼ିଶାସଂଲଗ୍ନ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇ ଛତିଶଗଡ଼ ଦେଇ ଗୁଜରାଟ-ରାଜସ୍ଥାନକୁ ମୁହାଁଇବ । ଉଭୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ସମ୍ଭାବ୍ୟ ଦୁଇଟି ଯାକ ଲଘୁଚାପ ଯୋଗୁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସମୁଦାୟ ୨୦୦ ମିଲିମିଟରରୁ ଅଧିକ ବର୍ଷା ଆଶଙ୍କା ଅଛି । ଅବିଭକ୍ତ କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ, କନ୍ଧମାଳରେ ୨୬୦ ମିମିରୁ ଅଧିକ, ଉପକୂଳ, କେନ୍ଦ୍ରିୟ ଓ ପଶ୍ଚିମ ଓଡ଼ିଶାରେ ୧୬୫ ମିମିରୁ ଅଧିକ ବର୍ଷା ହୋଇପାରେ । ସୁନ୍ଦରଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ାରେ ୧୦୦ ମିମିରୁ ଅଧିକ ବର୍ଷା ସମ୍ଭାବନା ଅଛି ।

ଉପକୂଳ ଓଡ଼ିଶାରେ ଆସନ୍ତା ୧୨ରୁ ୧୪ ତାରିଖ ଓ ୧୭ରୁ ୧୯ ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଆସନ୍ତା ୧୪ ଓ ୧୭ରେ ପ୍ରବଳ ବର୍ଷା ହୋଇପାରେ ଉପକୂଳ ଅଞ୍ଚଳରେ । ଆଭ୍ୟନ୍ତରୀଣ ଦକ୍ଷିଣ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୧୩ରୁ ୧୫ ତାରିଖ ଓ ୧୮ରୁ ୨୦ ପର୍ଯ୍ୟନ୍ତ ବର୍ଷା ହେବ । ଏହି ଅଞ୍ଚଳରେ ୧୫ ଓ ୧୮ରେ ପ୍ରବଳ ବର୍ଷା ହୋଇପାରେ । ସୀମାନ୍ତବର୍ତ୍ତୀ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ୧୨ରୁ ୧୫, ୧୭ରୁ ୧୮ ବର୍ଷା ହେବ । ମହାନଦୀ ଓ ଏହାର ସମସ୍ତ ଉପନଦୀ ଏବଂ ଶାଖା ନଦୀ ସହ ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀ ଏବଂ ବୈତରଣୀରେ ପାଣି ଫୁଲିପାରେ ବୋଲି ଡକ୍ଟର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଲଗାଣ ବର୍ଷା ଯୋଗୁ ବର୍ତ୍ତମାନ ମହାନଦୀର ଜଳସ୍ତର ବଢ଼ୁଛି । ହୀରାକୁଦ ଡ୍ୟାମରେ ଗୁରୁବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୧୩.୭୯ ଫୁଟ ରହିଛି । ଉପରମୁଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରରେ ସେକେଣ୍ଡ ପିଛା ୩ ଲକ୍ଷ ୬୫ ହଜାର ଘନଫୁଟ ଜଳ ପ୍ରବେଶ କରୁଛି । ୧୦ଟି ଗେଟ ଖୋଲାଯାଇ ପ୍ରତି ସେକେଣ୍ଡରେ ୧ ଲକ୍ଷ ୮୦ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ମୁଣ୍ଡଳି ଦେଇ ସେକେଣ୍ଡ ପିଛା ୩ ଲକ୍ଷ ୫୭ ହଜାର ଘନଫୁଟ ନିଷ୍କାସିତ ହେଉଛି । ନରାଜରେ ମହାନଦୀ ସତର୍କ ସଙ୍କେତ ୨୫.୪୧ ମିଟର ହୋଇଥିବାବେଳେ ରାତି ୯ଟା ସୁଦ୍ଧା ଜଳସ୍ତର ୨୪.୭୪ ମିଟର ଥିଲା । ବ୍ରାହ୍ମଣୀ ଜଳସ୍ତର ଜେନାପୁରରେ ସତର୍କ ସଙ୍କେତଠାରୁ ପ୍ରାୟ ସାଢ଼େ ୩ ମିଟର ତଳେ ପ୍ରବାହିତ ହେଉଥିଲା । ବୈତରଣୀ ଆଖୁଆପଦାରେ ସତର୍କ ସଙ୍କେତ (୧୭.୩୩ ମିଟର) ଉପରେ ଅର୍ଥାତ ୧୭.୫୦ ମିଟରରେ ପ୍ରବାହିତ ହେଉଛି । ବୁଢାବଳଙ୍ଗ ବି ଫୁଲୁଛି । ଏନଏଚ-୫ ଗୋବିନ୍ଦପୁରରେ ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ମାତ୍ର ଦେଢ଼ ମିଟର ତଳେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ଜାମଶୋଳାଘାଟରେ ବିପଦ ସଙ୍କେତ ପାଖାପାଖି ପହଞ୍ଚିଛି । ଋଷିକୂଲ୍ୟା ଜଳସ୍ତର ଏବେ ସ୍ଥିର ଅଛି । ବଂଶଧାରା ଫୁଲୁଥିବାବେଳେ କାଶୀନଗରରେ ସତର୍କ ସଙ୍କେତ ଡେଇଁସାରିଛି । ବିପଦ ସ୍ତର ପାଖାପାଖି ପହଞ୍ଚିଗଲାଣି । ଗୁଣୁପୁରରେ ବି ସତର୍କ ସଙ୍କେତ ପାଖାପାଖି ପ୍ରବାହିତ ହେଉଛି । ବାଲେଶ୍ୱର ଜିଲ୍ଲାରେ ଜଳକା ନଦୀର ଜଳସ୍ତର ମଥାନୀ ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ସହ ବଢ଼ିଚାଲିଛି ।

ଗତ ୨୪ ଘଣ୍ଟା ଭିତରେ ମହାନଦୀ ଉପରମୁଣ୍ଡ ଅନ୍ଧିଆଖୋରରେ ୧୬୪.୮ ମିଲିମିଟର, ଜମନକିରାରେ ୧୪୭ ମିମି, ବସନ୍ତପୁରରେ ୧୧୯.୮, ମହାନଦୀ ତଳମୁଣ୍ଡ ସମ୍ବଲପୁରରେ ୧୨୫.୬, ସୋହେଲାରେ ୭୦, ସିନାପାଲିରେ ୮୨, ସଇଁତଳାରେ ୭୬, ଥୁଆମୂଳ ରାମପୁରରେ ୯୧, ଧନକଉଡ଼ାରେ ୧୨୧, ବିଜେପୁରରେ ୧୧୫, ବୁର୍ଲାରେ ୧୧୫.୪, ଦଶପଲ୍ଲାରେ ୭୨.୬, ଡୁଙ୍ଗୁରୁପାଲିରେ ୮୭, ହୀରାକୁଦରେ ୮୮, କଣ୍ଟାମାଳରେ ୬୦.୨, ନରସିଂହପୁରରେ ୫୮, ରେଢ଼ାଖୋଲରେ ୬୩, ପାରାଦୀପରେ ୬୨, ବ୍ରାହ୍ମଣୀ ଉପରମୁଣ୍ଡ ରେମାଳରେ ୯୪, ଟେନସାରେ ୫୨, ବୁଢ଼ାବଳଙ୍ଗ ଅବବାହିକାର ବେତନଟୀରେ ୫୭, ସୁବର୍ଣ୍ଣରେଖା ଅବବାହିକାର ଭୋଗରାଇରେ ୬୨, ବୁଢ଼ାବଳଙ୍ଗର ବନ୍ତରେ ୫୫ ମିମି ବର୍ଷା ହୋଇଛି । ବୈତରଣୀ ଅବବାହିକାରେ ଆଖୁଆପଦାରେ ୫୮, ଦୈତାରୀରେ ୬୩, ଆନନ୍ଦପୁରରେ ୫୨.୪, ଭଦ୍ରକରେ ୮୩, ଭଣ୍ଡାରିପୋଖରୀରେ ୭୨ ମିମି ବର୍ଷା ରେକର୍ଡ ହୋଇଛି ।

Related Posts