ଆଦାନୀ-ହିଣ୍ଡେନବର୍ଗ ମାମଲା: ନିବେଶକଙ୍କ କ୍ଷତିକୁ ନେଇ ଚିନ୍ତାବ୍ୟକ୍ତ କରିବା ସହିତ ସେବିର ମତାମତା ଲୋଡ଼ିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୧/୨(ସତ୍ୟପାଠ ବ୍ୟୁରୋ): ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଚିନ୍ତାବ୍ୟକ୍ତ କରିଛନ୍ତି ସୁୁପ୍ରିମକୋର୍ଟ। ନିବେଶକଙ୍କ କ୍ଷତିକୁ ନେଇ ଦେଶର ସର୍ବୋଚ୍ଚ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଶୁକ୍ରବାର ଏହି ମାମଲାରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରିବା ବେଳେ ସେୟାର ବଜାର ନିୟାମକ ବ୍ୟବସ୍ଥାରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

ଏଥିସହ କୋର୍ଟ ଶୁକ୍ରବାର ସଙ୍କେତ ଦେଇଛନ୍ତି ଯେ, ଏବାବଦରେ ପରାମର୍ଶ ଦେବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିପାରନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି. ଓ୍ୱାଇ ଚନ୍ଦ୍ରଚୂଡ଼ଙ୍କେ ନେତୃତ୍ୱାଧୀନ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଣି କରିଛନ୍ତି।

ସର୍ଟ ସେଲିଂ (ହିଣ୍ଡେନବର୍ଗ) କମ୍ପାନୀର ରିପୋର୍ଟ ଯୋଗୁଁ ସ୍ୱଳ୍ପ ସମୟ ମଧ୍ୟରେ ବଜାରରେ ଖରାପ ପ୍ରଭାବ ପଡିଛି ଏବଂ ଲକ୍ଷ ଲକ୍ଷ କୋଟି ଟଙ୍କା ନିବେଶକ ବୁଡି ଯାଇଛନ୍ତି ବୋଲି ପ୍ରଧାନ ବିଚାରପତି କହିଛନ୍ତି। କେବଳ ଧନୀ ବ୍ୟକ୍ତିମାନେ ହିଁ ସେୟାର ବଜାରରେ ନିବେଶ କରନ୍ତି ନାହିଁ, ଏପରିକି ମଧ୍ୟବିତ୍ତ ବର୍ଗର ଲୋକ ମଧ୍ୟ ଟଙ୍କା ବିନିଯୋଗ କରିଥାନ୍ତି ବୋଲି କହିଛନ୍ତି। ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଆସିବା ପରେ ସେୟାର ବଜାରରେ ହ୍ରାସର କାରଣ ଏବଂ ସ୍ଥିତିରେ ସୁଧାର ଆଣିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହା ମଧ୍ୟ କୋର୍ଟ ଜାଣିବାକୁ ଚାହିଁଛନ୍ତି।

ଖଣ୍ଡପୀଠ ମାମଲାର ଶୁଣାଣିକୁ ଫେବ୍ରୁଆରି ୧୩ ତାରିଖକୁ ଘୁଞ୍ଚାଇଦେବା ସହ ଏହି ପ୍ରସଙ୍ଗରେ ଅର୍ଥ ମନ୍ତ୍ରାଳୟ ଓ ଭାରତୀୟ ପ୍ରତିବୃତ୍ତି ବିନିମୟ ବୋର୍ଡ (ସେବି) ସହ ପରାମର୍ଶ କରିବାକୁ ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଏଥିରେ ଜଣେ ପୂର୍ବତନ ବିଚାରପତି ମଧ୍ୟ ରହିବେ।

ଶୁଣାଣି ଶେଷରେ ଆଇନଜୀବୀ ମନୋହର ଲାଲ ଶର୍ମା ପ୍ରଶ୍ନ କରିଥିଲେ ଯେ, ବଜାର ପ୍ରଭାବିତ ହେଉଥିବା ବେଳେ ବେପାର କାହିଁକି ବନ୍ଦ କରାଯାଉନାହିଁ। ଏହାର ଉତ୍ତରରେ କୋର୍ଟ କହିଥିଲେ ଯେ, ଏହି ମାମଲାରେ ସେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହାନ୍ତି ଯାହା ନିବେଶକଙ୍କ ଚିନ୍ତାଧାରା ଉପରେ ନକାରାତ୍ମକ ପ୍ରଭାବ ପକାଇବ। ହିଣ୍ଡେନବର୍ଗ ରିସର୍ଚ୍ଚର ଏକ ରିପୋର୍ଟରେ ଆଦାନୀ ଗ୍ରୁପ୍ ସେୟାରରେ ହେରଫେର କରିଥିବା ନେଇ ଦାବି କରାଯାଇଥିଲା। କିନ୍ତୁ ଆଦାନୀ ଗ୍ରୁପ୍ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଛି।

Related Posts