ବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅମ୍ବାନୀଙ୍କୁ ପଛରେ ପକାଇ ବିଶ୍ୱର ଷଷ୍ଠ ଧନୀ ବ୍ୟକ୍ତି ହେଲେ ଅଦାନୀ । ତେବେ ଅଦାନୀ ଗ୍ରୁପର କମ୍ପାନୀଗୁଡିକର ସେୟାରରେ ଖୁବ୍ ବୃଦ୍ଧି ଦେଖିବାକୁ ମିଳିଛି। ଫଳରେ ଗତ କିଛି ଦିନ ହେବ ଅଦାନୀଙ୍କ ସଂପତ୍ତିରେ ବୃଦ୍ଧି ଦେଖିବାକୁ ମିଳିଥିଲା। ବ୍ଲୁମର୍ଗ ଇଣ୍ଡେକ୍ସ ଅନୁଯାୟୀ, ଗୌତମ ଅଦାନୀଙ୍କ ମୋଟ୍ ସଂପତ୍ତିର ମୂଲ୍ୟ ୧୧୮ ବିଲିୟନ ଡଲାରରେ ପହଞ୍ଚିଛି। ଅଦାନୀ ନେଟଓ୍ଵର୍ଥ ମାମଲାରେ ଦୁନିଆର ଅନେକ ବଡ ବଡ ଉଦ୍ୟୋଗପତିଙ୍କୁ ପଛରେ ପକାଇଛନ୍ତି। ଦୁନିଆର ଧନୀ ବ୍ୟକ୍ତିଙ୍କ ତାଲିକାରେ ସେ ଗୁଗଲର ଦୁଇ ସହ ସଂସ୍ଥାପକ ଲାରି ପେଜ୍ ଏବଂ ସର୍ଗି ବ୍ରିନଙ୍କୁ ପଛରେ ପକାଇଛନ୍ତି। ଏହି ତାଲିକାରେ ପେଜ ୧୧୬ ବିଲିୟନ ସହ ସପ୍ତମ ଏବଂ ବ୍ରିନ ୧୧୧ ବିଲିୟନ ସହ ଅଷ୍ଟମ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ମୁକେଶ ଅମ୍ବାନୀ ୧୧ତମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ୍ ସଂପତ୍ତି ୯୭.୪ ବିଲିୟନ ଡଲାର ରହିଛି। ଚଳିତ ବର୍ଷ ଏ ପର‌୍ୟ୍ୟନ୍ତ ଅମ୍ବାନୀଙ୍କ ସଂପତ୍ତିରେ ୭.୪୫ ବିଲିୟନ ଡଲାରର ବୃଦ୍ଧି ଘଟି ସାରିଛି।

ଅଦାନୀଙ୍କ ଆଗରେ ଏବେ ପାଞ୍ଚ ଜଣ ଧନୀ ବ୍ୟକ୍ତି ରହିଛନ୍ତି। ଏହି ତାଲିକାରେ ଏଲନ ମସ୍କ ଏବେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ୍ ସଂପତ୍ତିର ମୂଲ୍ୟ ୨୪୯ ବିଲିୟନ ଡଲାର। ଜେଫ ବେଜୋସ ୧୭୬ ବିଲିୟନ ଡଲାର ସହ ଦ୍ଵିତୀୟରେ ଅଛନ୍ତି। ୧୩୯ ବିଲିୟନ ଡଲାର ସହ ବର୍ଣ୍ଣାର୍ଡ ଆରନଲ୍ଟ ତୃତୀୟରେ ରହିଛନ୍ତି। ବିଲ ଗେଟ୍ସ ୧୩୦ ବିଲିୟନ ଡଲାର ସହ ଚତୁର୍ଥ ଏବଂ ଓ୍ଵାରେନ ବଫେଟ୍ ୧୨୭ ବିଲିୟନ ଡଲାର ସଂପତ୍ତି ସହ ପଞ୍ଚମ ସ୍ଥାନରେ ଅଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।