ଆଦିବାସୀଙ୍କ କଲ୍ୟାଣ: ନବୀନ ପଟି ମାରିବେ, ଅଚ୍ୟୁତ ପଟି ଲଗାଇବେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଆଦିବାସୀଙ୍କ ପାଇଁ ନବୀନଙ୍କର ବିଚିତ୍ର ଦରଦ । ଗୋଟେ ପଟେ ଖଣି ଖାଦାନ ମାଲିକ ଓ କମ୍ପାନିଙ୍କ ସହ ହାତ ମିଳେଇବେ, ଆଦିବାସୀଙ୍କୁ ଜଙ୍ଗଲ, ଜମି ଓ ଜଳରୁ ଜୋରଜବରଦସ୍ତ ବେଦଖଲ କରାଇବେ ଅନ୍ୟପଟେ ଉପର ଠାଉରିଆ ଦଳ ଭାଇଙ୍କୁ ଆଦିବାସୀ ବିକାଶ ଯୋଜନାର ବ୍ରାଣ୍ଡ ଆମ୍ବାସଡ଼ର କରି ପଠାଇବେ ।  ସେପଟେ ବିସ୍ଥାପିତଙ୍କୁ ଥଇଥାନ ନାଁରେ ପବ୍ଲିସିଟିର ମଲମ ବାଣ୍ଟିବେ । ଏହାର ସଦ୍ୟତମ ଏପିସୋଡ଼ ହେଉଛି ଜାନୁଆରି 8ରେ ମୟୂରଭଞ୍ଜନର ବାଙ୍କିଶୋଳରେ ଆଦାନୀ ଓ କିସ୍‌ ଫାଉଣ୍ଡେସନ ନାଁରେ ଆଦିବାସୀ ପିଲାମାନଙ୍କୁ ଭଲ ଶିକ୍ଷା ଦେବାକୁ ନବୀନ ଆଦାନୀ-କିସ୍‌ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କରିବା ।

ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗୋଟେ ପଟେ ଖଣି ପାଇଁ ଆଦାନୀ ଭଳି ବଡ଼ ବଡ଼ ଶିଳ୍ପ ସଂସ୍ଥାକୁ ଲାଭ ପହଞ୍ଚାଇବାକୁ ଆଦିବାସୀଙ୍କଠାରୁ ଜୀବନ ଜୀବିକା ଛଡ଼ାଇ ନେବେ । ଅନ୍ୟପଟେ ଆବାସିକ ବିଦ୍ୟାଳୟ ନାଁରେ ସେହି ଭଳି କମ୍ପାନି କାନ୍ଧରେ ହାତ ରଖି ଆଦିବାସୀଙ୍କ ପାଇଁ ଭଲ କରୁଥିବା କହି ବାହା ବାହା ନେବେ ।  କୁହାଯାଉଛି ଯେ ନବୀନ ମାରିବେ, ଅଚ୍ୟୁତ ମଲମ ଲଗାଇବେ ।

ରାଜ୍ୟରେ ମୋଟ ୬୫୦୦ଟି  ଛାତ୍ରାବାସରେ ୬ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀ ରହୁଛନ୍ତି । ସେମାନଙ୍କ ପ୍ରତି ନବୀବ ବାବୁ କେତେ ଚିନ୍ତିତ ? ଆବାସିକ ବିଦ୍ୟାଳୟରେ ଅନ୍ତେବାସୀଙ୍କ ପାଇଁ କିଭଳି ବ୍ୟବସ୍ଥା ରହିଛି ? ସେଠାରେ କିଭଳି ପିଲାମାନେ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ? ତାଙ୍କୁ ଖାଦ୍ୟ ନାଁରେ ସେଠାରେ କିଭଳି ହଳଦୀ ପାଣି ଦିଆଯାଉଛି । ରହିବା ଏବଂ ଖାଇବା ପାଇଁ କି ବ୍ୟବସ୍ଥା ଅଛି । ଆଉ ସେମାନେ ଯେତେବେଳେ ତାଙ୍କ ଦୁଃଖ ଜଣାଇବାକୁ ଚେଷ୍ଟା କରୁଛନ୍ତି ପିଲାମାନଙ୍କୁ ଆବାସିକ ବିଦ୍ୟାଳୟରେ ନିର୍ଯାତନା ଦିଆଯାଉଛି । ଏ ସମସ୍ତ ଘଟଣା ଉପରେ ସତ୍ୟପାଠରେ ଏକାଧିକ ରିପୋର୍ଟ କରାଯାଇଛି । ପାଲଲହଡ଼ା ହେଉ କି ଅପପୁଷ୍ଟି ପାଇଁ ଚର୍ଚ୍ଚାରେ ରହିଆସିଥିବା ନଗଡ଼ା ହେଉ, ସବୁଠି ଆଦିବାସୀ ପିଲାଙ୍କୁ ଅବହେଳା କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ 2 ଦିନ ତଳେ ଉତ୍କଳ ବାଳାଶ୍ରମରୁ 13 ଜଣ ନାବାଳିକା ନିଖୋଜ ହୋଇଛନ୍ତି ଯାହାଙ୍କର ପତ୍ତା ଏଯାଏ ମିଳିଲା ନାହିଁ । ବାରମ୍ବାର ଅଭିଯୋଗ ହେବା ସତ୍ତ୍ବେ ରାଜ୍ୟରେ ଥିବା ଆବାସିକ ବିଦ୍ୟାଳୟ ଏବଂ ସେଠାରେ ରହୁଥିବା ଆଦିବାସୀ ପିଲାଙ୍କ ଭବିଷ୍ୟତ ପାଇଁ ରାଜ୍ୟ ସରକାର କିଛି କଲେ ନାହିଁ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ଲାଣ୍ଟ ପାଇଁ କିଛି ଦିନ ତଳେ ତଲାବିରାରେ ଆଦାନୀ ଗ୍ରୁପ ଗଛ କାଟି ଜଙ୍ଗଲ ସଫା କରିଦେଲା । ଜଙ୍ଗଲ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଆଦିବାସୀମାନେ ହତାସ ହେଲେ । ଏଭଳି କରିବାକୁ ରାଜ୍ୟ ସରକାର ଆଦାନୀ କମ୍ପାନିକୁ ଅନୁମତି ଦେଲେ, ସେପଟେ ସେହି ଆଦାନୀ କମ୍ପାନିର ସହାୟତାରେ ମୟୂରଭଞ୍ଜରେ ଆଦିବାସୀ ପିଲାଙ୍କ ଭବିଶ୍ୟତ ପାଇଁ ଆଦାନୀ-କିସ୍‌ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କଲେ । ଯାହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ

ଆଦାନୀର ଭବିଷ୍ୟତ ସ୍ବାର୍ଥ ହାସଲ ପାଇଁ ଆବାସିକ ବିଦ୍ୟାଳୟ କରାଯାଇଛି କି ?

ଏହା ନବୀନଙ୍କର ଆଦିବାସୀ ପ୍ରିତୀ, ନା ଆଦାନୀ ପ୍ରୀତି ?

ଆଦିବାସୀ ପିଲାଙ୍କ ଭବିଷ୍ୟତ ନାଁରେ ଆଦାନୀର ଭବିଷ୍ୟତ ଗଡ଼ିବା ନବୀନଙ୍କ ଲକ୍ଷ୍ୟ ନୁହେଁ ତ ?
ପଶ୍ଚିମ ଓଡ଼ିଶାରେ ଅଧିକ ଆଦିବାସୀ ଜିଲ୍ଲା ଥିବା ବେଳେ ମୟୂରଭଞ୍ଜନକୁ ଚୟନ କରାଗଲା କାହିଁକି ?

ମୟୂରଭଞ୍ଜ ଜିଲ୍ଲାର ଆଦିବାସୀଙ୍କ ମନରେ ଏକ ସକରାତ୍ମକ ଭାବନା ସୃଷ୍ଠିକରିବା ପାଇଁ ଏଭଳି ଉଦ୍ୟମ କରାଯାଇଥିବା କୁହାଯାଉଛି । ଆଗାମୀ ଦିନରେ ଉଭୟ ଅନୁଷ୍ଠାନ ଶିକ୍ଷାର ପ୍ରଚାରପ୍ରସାର ନାଁରେ ସେମାନଙ୍କର ସ୍ବାର୍ଥ ହାସଲ କରିବାକୁ ମୟୂରଭଞ୍ଜ ଜିଲ୍ଲାକୁ ବାଛିଥିବା କହିଛନ୍ତି ବୁଦ୍ଧିଜୀବୀ ।

Related Posts