କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଚାରି ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ, ଅର୍ଜୁନ ମୁଣ୍ଡାଙ୍କୁ କୃଷି ମନ୍ତ୍ରାଳୟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ତିନି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ ଓ ରେଣୁକା ସିଂଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି । ରାଷ୍ଟ୍ରପତି ଭବନ ବିଜ୍ଞପ୍ତି ଅନୁସାରେ ଅର୍ଜୁନ ମୁଣ୍ଡାଙ୍କୁ ତାଙ୍କ ବର୍ତ୍ତମାନ ବିଭାଗ ସହ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।ପୂର୍ବରୁ ଏହି ମନ୍ତ୍ରାଳୟ ନରେନ୍ଦ୍ର ସିଂ ତୋମାରଙ୍କ ପାଖରେ ଥିଲା ।

ଏହାବ୍ୟତୀତ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶୋଭା କାରନ୍ଦଲାଜେଙ୍କୁ ପ୍ରହ୍ଲାଦ ସିଂ ପଟେଲଙ୍କ ସ୍ଥାନରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆଇଟି ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ତାଙ୍କ ବର୍ତ୍ତମାନ ବିଭାଗ ସହ ଜଳ ଶକ୍ତି ମନ୍ତ୍ରାଳୟରେ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ଏହି ମନ୍ତ୍ରାଳୟର ନେତୃତ୍ୱ ବି ପ୍ରହ୍ଲାଦ ସିଂ ପଟେଲଙ୍କ ପାଖରେ ଥିଲା । ସେହିପରି ରାଷ୍ଟ୍ର ମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପୱାରଙ୍କୁ ତାଙ୍କ ବର୍ତ୍ତମାନ ପୋର୍ଟଫୋଲିଓ ସହ ଜନଜାତି କଲ୍ୟାଣ ମନ୍ତ୍ରାଳୟରେ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ରେଣୁକା ସିଂଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ ।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ପ୍ରହ୍ଲାଦ ସିଂ ପଟେଲଙ୍କ ସମେତ ବିଜେପି ୧୦ ସାଂସଦ ବୁଧବାର ଇସ୍ତଫା ଦେଇଥିଲେ । ଏଥିରେ ରାଜ୍ୟସଭା ସାଂସଦ କିରୋଣୀଲାଲ ମିଣା ମଧ୍ୟ ସାମିଲ ଥିଲେ । ଏହି ସମସ୍ତ ସାଂସଦ ନିକଟରେ ଶେଷ ହୋଇଥିବା ତିନି ବିଧାନସଭା ରାଜ୍ୟରେ ବିଧାୟକ ହୋଇ ନିର୍ବାଚିତ ହୋଇଥିଲେ ।

Related Posts