BJD, BJP ଓ BRS ଛାଡିବା ପରେ ୧୬ରେ କଂଗ୍ରେସରେ ମିଶିବେ ଜୟରାମ ପାଙ୍ଗୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): BJD, BJP ଓ BRS ପରେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ଏବେ କଂଗ୍ରେସ ଭରସା। ଆସନ୍ତା ନଭେମ୍ବର ୧୬ ତାରିଖରେ ସେ କଂଗ୍ରେସରେ ଯୋଗଦେବେ| ଏନେଇ ସୋଶାଲ୍ ମିଡିଆ ଫେସବୁକରେ ନିଜେ ସୂଚନା ଦେଇଛନ୍ତି ପାଙ୍ଗୀ। ତେବେ କୋରାପୁଟ ଜିଲ୍ଲା ରାଜନୀତିରେ ପ୍ରଭାବ ରଖିଥିବା ପାଙ୍ଗୀ ଚାରି ଥର ବିଧାୟକ ଓ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି |

୧୯୭୭ ମସିହାରେ ଜନତା ପାର୍ଟି ଟିକେଟ୍‌ରେ ସେ ପଟାଙ୍ଗି ଆସନରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ଜନତା ଦଳ ଟିକେଟ୍‌ରେ ୧୯୯୦ରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ। ୨୦୦୦ ଓ ୨୦୦୪ରେ ପାଙ୍ଗୀ ବିଜେଡି ଟିକେଟ୍‌ରେ ବିଧାନସଭାକୁ ଯାଇଥିଲେ। ଆଉ ୨୦୦୯ରେ ସେ ବିଜେଡି ଟିକେଟ୍‌ରେ କୋରାପୁଟ ଆସନରୁ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୭ରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟ୍‌ରେ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଆଉ ନିକଟରେ ସେ ବିଜେପି ଛାଡି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ BRS ଦଳରେ ମଧ୍ୟ ସାମିଲ ହୋଇଥିଲେ। ହେଲେ ବହୁ ଆଡମ୍ବରରେ ଲଘୁକ୍ରିୟା ସଦୃଶ BRS ଓଡ଼ିଶା ଆସିଲା ନାହିଁ। ଏବେ ଆଗକୁ ନିର୍ବାଚନ ଥିବାବେଳେ ପାଙ୍ଗୀ କଂଗ୍ରେସରେ ଯୋଗଦେବାନେଇ ସୂଚନା ଦେଇଛନ୍ତି |

ସେପଟେ କୋରାପୁଟ ଜିଲ୍ଲାର ଆଉ ଜଣେ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ମଧ୍ୟ BRSରେ ଯୋଗଦେଇଥିଲେ | ହେଲେ BRS ବିଫଳ ହେବାପରେ ସେ ମଧ୍ୟ କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ଚାଲିଥିଲା | ଏବେ ପାଙ୍ଗୀ କଂଗ୍ରେସରେ ମିଶିବା ନେଇ ସ୍ପଷ୍ଟ କରିଥିବାବେଳେ ଗମାଙ୍ଗଙ୍କ ବାବଦରେ ସୂଚନା ମିଳିନାହିଁ | ତେବେ ପାଙ୍ଗୀ ଓ ଗମାଙ୍ଗ ପରସ୍ପରର ପାରମ୍ପରିକ ବିରୋଧୀ ବୋଲି ସମସ୍ତେ ଜାଣନ୍ତି | ଏଭଳି ସ୍ଥିତିରେ ପାଙ୍ଗୀଙ୍କ ପରେ ଗମାଙ୍ଗ କଂଗ୍ରେସରେ ଯୋଗଦେଉଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା |

Related Posts