ସୁପ୍ରିମକୋର୍ଟଙ୍କ ରାୟ ପରେ ଜୋରଦାର ହେବ ପରିକ୍ରମା ପ୍ରକଳ୍ପ କାମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ରାୟ ପରେ ଜୋରଦାର ହେବ ପରିକ୍ରମା ପ୍ରକଳ୍ପ କାମ । ଆଗକୁ ରଥଯାତ୍ରା ଆସୁଥିବାରୁ ଐତିହ୍ୟ କରିଡରର ନିର୍ମାଣ କାମ ତ୍ୱରାନ୍ୱିତ ହେବ। ରଥଯାତ୍ରା ପୂର୍ବରୁ ଅଧିକାଂଶ ନିର୍ମାଣ କାମ ସାରିବାକୁ ଗତକାଲି ୪୫ରୁ ଅଧିକ ସେବାୟତଙ୍କ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ। ଉକ୍ତ ଆଲୋଚନା ପରେ ଆଜି ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ। ସେ ନିର୍ମାଣ କାମ ସମୀକ୍ଷା କରିବା ବେଳେ ତାଙ୍କ ସହ ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଏସପି ଓ ଓବିସିସି ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସେମାନେ ସମସ୍ତେ ପ୍ରକଳ୍ପ ଅଞ୍ଚଳ ବୁଲି ବନ୍ଦ ରହିଥିବା ନିର୍ମାଣ କାର‌୍ୟ୍ୟର ସମୀକ୍ଷା କରିଛନ୍ତି। ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖରେ ପୁରୁଷ ଓ ମହିଳା ଟଏଲେଟ, କ୍ଲକ ରୁମ୍ ଓ ଦକ୍ଷିଣ ଦ୍ୱାର ସମ୍ମୁଖରେ ନିର୍ମାଣଧୀନ ଓ୍ୱାଶ ରୁମ୍ କାର‌୍ୟ୍ୟ ପ୍ରାୟତଃ ଶେଷ ପର‌୍ୟ୍ୟାୟରେ ରହିଛି। ତେଣୁ ରଥଯାତ୍ରା ପୂର୍ବରୁ ଏଗୁଡ଼ିକର କାମ ଶେଷ ହୋଇଯାଇଥିବ ବୋଲି ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ମାମଲା ହାଇକୋର୍ଟରେ ଚାଲୁଥିବା ବେଳେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲାର ଆବଶ୍ୟକତା କ’ଣ ଥିଲା? କେଉଁ ପରିସ୍ଥିତିରେ ଦୁଇ ଆବେଦନକାରୀ ସୁପ୍ରିମକୋର୍ଟ ଗଲେ ବୋଲି ପ୍ରଶ୍ନ କରି ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଆମସର୍ ଆକ୍ଟର ଉଲ୍ଲଂଘନ କରିଥିବା ସ୍ୱୀକାର କରିଛନ୍ତି। ରିସେପସନ ସେଣ୍ଟରକୁ ୧୦୦ ମିଟର ବାହାରକୁ ନେବାର ଅର୍ଥ ପୂର୍ବରୁ ନିୟମ ଉଲ୍ଲଂଘନ କରି କାର‌୍ୟ୍ୟ ହେଉଥିଲା। ତେବେ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ଦୁଇ ଆବେଦନକାରୀ କାହିଁକି ସୁପ୍ରିମକୋର୍ଟ ଗଲେ, ତାହା ସ୍ପଷ୍ଟ ହୋଇ ପାରୁନି। ପ୍ରକଳ୍ପ ପାଇଁ ସରକାର ୭ଶହ କୋଟିର କ୍ଷତିପୂରଣ ଦେଇଥିବା ସୁପ୍ରିମକୋର୍ଟକୁ ଜଣାଇଛନ୍ତି ବୋଲି ଅପରାଜିତା କହିଛନ୍ତି। କିନ୍ତୁ ଏ ରାଶି କାହାକୁ କେତେ ଦିଆଯାଇଛି, ତାର ହିସାବ ସରକାର ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି ସେ ଦାବି କରିଛନ୍ତି।

Related Posts