ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଜିଲ୍ଲା ଘୋଷଣା ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ନେଇ ଜିଲ୍ଲା ଘୋଷଣା ଆନ୍ଦୋଳନର ନେତୃତ୍ଵ ନେଉଥିବା କ୍ରିୟାନୁଷ୍ଠାନ କମିଟିର ଆବାହକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନୁହେଁ, ଯେପର୍ଯ୍ୟନ୍ତ ପଦ୍ମପୁର କୁ ଏକ ସ୍ବତନ୍ତ୍ର ଜିଲ୍ଲା ଭାବେ ଘୋଷଣା ନ କରାଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି।

ସେପଟେ ପଦ୍ମପୁର ଉପନିର୍ବାଚନରେ କୌଣସି ବାଧା ସୃଷ୍ଟି କରିବୁ ନାହିଁ ବୋଲି କ୍ରିୟାନୁଷ୍ଠାନ କମିଟି କହିଛି। ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା। ଏଥିରେ କୌଣସି ବାଧା ସୃଷ୍ଟି କରିବୁ ନାହିଁ, ଦାବି ପୂରଣ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିବୁ ବୋଲି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଆଗକୁ ଥିବା ପଦ୍ମପୁର ଉପନିର୍ବାଚନରେ ଜିଲ୍ଲା ଗଠନ ଦାବି ଏକ ପ୍ରମୁଖ ମୁଦ୍ଦା ହୋଇଥିବା ବେଳେ, ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ପାଇଁ ଦାବି ଜଣାଇଥିଲା କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ଦଳ। ଏବେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ, ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ଘୋଷଣା ନେଇ ବିଜେଡି ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହା ପରେ ‌ଆନ୍ଦୋଳନ ଥମି ଯିବ ଓ ବିଜେଡି ମାଷ୍ଟର ଷ୍ଟ୍ରୋକ୍ ଖେଳିଛି ବୋଲି ଅଲୋଚନା ହେଉଥିଲା।

ହେଲେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତିରେ ସନ୍ତୁଷ୍ଟ ନଥିବା ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରିୟାନୁଷ୍ଠାନ କମିଟି ଆବାହକ ଉମେଶ ଚନ୍ଦ୍ର ସାହୁ। କମିଟି ପକ୍ଷରୁ ଦାବି ପୂରଣ ନହେବା ଯାଏଁ ଧାରଣା ଜାରି ରହିବ ବୋଲି କୁହାଯାଇଛି।

ସେ କହିଛନ୍ତି, କ୍ରିୟାନୁଷ୍ଠାନ କମିଟି ଦ୍ବାରା ଆୟୋଜିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ସଦସ୍ୟଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ। ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଭରସା ଯୋଗ୍ୟ ବୋଲି କିଛି ସଦସ୍ୟ ମତ ରଖିଥିବା ବେଳେ କିଛି ସଦସ୍ୟ ଏମିତି ମୌଖିକ ପ୍ରତିଶ୍ରୁତି ଦେଇ ପୂରଣ କରାଯାଉନାହିଁ ବୋଲି ମତ ରଖିଥିଲେ। ଲିଖିତ ପ୍ରତିଶ୍ରୁତି ମିଳି ନ ଥିବାରୁ ଶେଷରେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କମିଟିରେ ନିଷ୍ପତ୍ତି ହୋଇଛି। ଦାବି ନେଇ କମିଟି ଉପନିର୍ବାଚନରେ ମଧ୍ୟ କୌଣସି ପ୍ରକାର ବାଧା ସୃଷ୍ଟି କରିବ ନାହିଁ। ଭୋଟ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା। ଏହାକୁ ସମ୍ମାନ ଦିଆଯିବ ବୋଲି ଉମେଶ କହିଛନ୍ତି।

ତେବେ ଏନେଇ ବିଜେଡ଼ି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।