‘ନକଲି କୀଟନାଶକ ବେପାରୀଙ୍କ ଏଜେଣ୍ଟ ସାଜିଛି ଓଡ଼ିଶା କୃଷି ବିଭାଗ’

ଚକଡ଼ା ରୋଗରେ ହତାଶ ଚାଷୀକୂଳ

272

ଭୁବନେଶ୍ୱର – ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏବେ ଚାଷୀ ମୁଣ୍ଡରେ ଚଡ଼କ । ଏହାର କାରଣ ହେଉଛି ଧାନରେ ଚକଡ଼ା ରୋଗ । ଚକଡ଼ା ବ୍ୟାପୀ ଚାଲିଥିବାରୁ ଏହାକୁ ନେଇ ସମଗ୍ର ଚାଷୀକୂଳରେ ଏବେ ହାହାକାର ସ୍ଥିତି । କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ କୃଷି ବିଭାଗ ନକଲି କୀଟନାଶକ ବେପାରୀଙ୍କ ସହ ହାତ ମିଳାଇଛନ୍ତି । ଏ ନେଇ ରାଜ୍ୟ ସରକାର ଓ ଅସାଧୁ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ବିପଜ୍ଜନକ କାରବାରର ଗୁମର ଖୋଲିଛନ୍ତି ପ୍ରଦେଶ କଂଗ୍ରେସ ମିଡିଆ ସେଲ୍‌ର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ।

ଚକଡ଼ା ଏକ କୃଷି ରୋଗ । ଯାହା ମାଟିଆଗୁଣ୍ଡି ପୋକ ଦ୍ୱାରା ବ୍ୟାପେ । ଏହି କୀଟର ନିୟନ୍ତ୍ରଣ ଉଚିତ୍ କୀଟନାଶକ ଓ ଠିକ୍ ପରିମାଣରେ ବ୍ୟବହାର ହେବା ଆବଶ୍ୟକ । ନହେଲେ ଏହା ଗୁଣ୍ଡିପୋକକୁ ଅଧିକ ଶକ୍ତିଶାଳୀ ଓ କୀଟନାଶକ ପ୍ରତିରୋଧୀ କରିଥାଏ । ସଲକୁ ଗୁଣ୍ଡିପୋକ ଦାଉ ଓ ଚକଡା ରୋଗରୁ ସୁରକ୍ଷିତ ରଖିବା ପାଇଁ ରୋଗ ପ୍ରତିରୋଧୀ ଭେରାଇଟିର କୀଟନାଶକ ଅଛି । କିନ୍ତୁ ସରକାର ଚାଷୀଙ୍କୁ ଏହି ଭେରାଇଟିର କୀଟନାଶକ ଯୋଗାଉନାହାନ୍ତି ।

ପ୍ରଶ୍ନ ହେଲା,

1. କାହିଁକି ଓ କାହା ସ୍ୱାର୍ଥରେ କୃଷି ବିଭାଗ ଉଚିତ୍ ଭେରାଇଟିର କୀଟନାଶକ ଯୋଗାଉ ନାହିଁ?
2. ତିନିଟି ନୂତନ କୀଟନାଶକ ଫ୍ଲୋନିକାମିଡ, ପାଇମେଟ୍ରୋଜିନ୍, ଡାଇନୋଟିଫୁରନ ଗୁଣ୍ଡି ପୋକ ପାଇଁ ଅତ୍ୟନ୍ତ ଉପଯୋଗୀ । ଦୁର୍ଭାଗ୍ୟର କଥା ଏଗୁଡିକ ଓଡିଶା ବଜାରରେ ଉପଲବ୍ଧ ନାହିଁ । ଯଦି ବି କେଉଁଠି ମିଳୁଛି ତାହା ନକଲି କି ଅସଲି ତାହାର ଗୁଣବତ୍ତା ପରୀକ୍ଷା ହୋଇପାରୁନାହିଁ ।
3. କାହିଁକି ଉପର ତିନୋଟି ଭେରାଇଟି କୀଟନାଶକକୁ ସରକାର ରାଜ୍ୟର ଚାଷୀଙ୍କ ପାଇଁ ଉପଲବ୍ଧ କରାଉ ନାହାନ୍ତି ?

4. କ୍ଷମତାକୁ ଆସିବା ପରଠାରୁ ନବୀନ ପଟ୍ଟନାୟକଙ୍କ ସରକାର ୨୦୦୦ ମସିହାରୁ ଏଯାବତ୍ State Pesticide Testing Laboratory ପକ୍ଷରୁ ପରୀକ୍ଷାରେ ଧରାପଡ଼ିବା ପରେ କୃଷି ବିଭାଗ ପକ୍ଷରୁ ନକଲି କୀଟନାଶକ ବିକୁଥିବା ଗୋଟିଏ ବି ଔଷଧ କମ୍ପାନୀ ଓ ଡିଲରଙ୍କ ବିରୋଧରେ ବିଗତ ୧୮ ବର୍ଷ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏହା ପ୍ରମାଣ କରୁଛି ଯେ ନକଲି କୀଟନାଶକ ବେପାରୀ ଓ କୃଷି ବିଭାଗ ଭିତରେ ଚାଲିଥିବା ଭିତିରି ଯୌଥ ଉଦ୍ୟୋଗ ।

5. ଗୁରୁତ୍ୱପୂର୍ଣ୍ଣ କଥା ହେଲା ତାମିଲନାଡୁରେ ଫସଲ ରୋଗ ଓ କୀଟନାଶକ ପରୀକ୍ଷା ପାଇଁ ୧୫ଟି ଓ ଆନ୍ଧ୍ର ପ୍ରଦେଶରେ ୭ଟି State Pesticide Testing Laboratory ଥିବା ବେଳେ ଓଡିଶାରେ ମାତ୍ର ଗୋଟିଏ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟରେ ଥିବା ଲାବ୍ରୋଟାରୀରେ ମୋଟ୍ ୩ ଜଣ କର୍ମଚାରୀ । ସେଥିରୁ ଦୁଇଜଣ ଅଣ ପ୍ରଶିକ୍ଷିତ ।

6. ପଶ୍ଚିମ ଓଡିଶାରେ ପ୍ରତିବର୍ଷ ଚକଡ଼ା ରୋଗରେ ସେ ଅଂଚଳର ସର୍ବାଧିକ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଏଥିପାଇଁ ତିନି ବର୍ଷ ତଳେ ସମ୍ବଲପୁରରେ ରାଜ୍ୟର ଦ୍ୱିତୀୟ State Pesticide Testing Laboratory ପ୍ରତିଷ୍ଠା କରାଯାଇଥିଲା । ଦୁର୍ଭାଗ୍ୟର କଥା ଏଯାଏଁ ତାକୁ ସରକାର କାର୍ଯ୍ୟକ୍ଷମ କଲେନାହିଁ । ଯେଉଁଥିରେ କୋଟି କୋଟି ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି ଖତ ଖାଉଛି ।

7. ଗୋଟିଏ ପଟେ ରାଜ୍ୟର ଲକ୍ଷାଧିକ ଚାଷୀ ଚକଡ଼ାରୋଗ ଯୋଗୁଁ ହତାଶ ସ୍ଥିତିରେ ଥିବା ବେଳେ, କାହିଁକି ଓ କାହା ସ୍ୱାର୍ଥରେ ସମ୍ବଲପୁର ଲାବୋରେଟାରୀକୁ ସରକାର ତାଲା ପକାଇ ରଖିଛନ୍ତି ?

ଗୋଟିଏ ପଟେ ରୋଗ ପୋକକୁ ନେଇ ଚାଷୀ କୂଳ ହତାଶ । ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଏବେ ଦୁଃସ୍ଥିତି ଦେଇ ଗତି କରୁଥିବାବେଳେ ରାଜ୍ୟ ସରକାର ରାଜଧାନୀରେ ଉଦ୍ୟୋଗପତିଙ୍କୁ ନେଇ ମେନ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ କରି ବିକାଶର ନାରା ଦେବା ଦୁର୍ଭାଗ୍ୟର ବିଷୟ ।

Comments are closed.