ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): ଆସନ୍ତା କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ। ଏହା ପୂର୍ବରୁ ଆଜି ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ବିଧାନସଭା ବଜେଟ ଅଧିବେଶନ ପାଇଁ ବାଚସ୍ପତି ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ବିଜେପି ତରଫରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର। ଏହା ସହ ସିପିଆଇଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ତେବେ ଅଧାରୁ ଏହି ସର୍ବଦଳୀୟ ବୈଠକକୁ ବର୍ଜନ କରିଛି ବିଜେପି। ଭର୍ଚୁଆଲ ମୋଡରେ ବିଧାୟକଙ୍କ ଅଂଶଗ୍ରହଣ କରିବା ପ୍ରସ୍ତାବକୁ ବିରୋଧ କରି ସର୍ବଦଳୀୟ ବୈଠକ ବର୍ଜନ କଲା ବିଜେପି।

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ବୈଠକ ଅଧାରୁ ଉଠି ଆସିଥିଲେ। ସେ କହିଛନ୍ତି, ଆମେ ଭର୍ଚୁଆଲ ମୋଡ୍‌କୁ ବିରୋଧ କରୁଛୁ। ସମସ୍ତେ ଗୃହରେ ଆସି ଭାଗ ନିଅନ୍ତୁ ବୋଲି ଆମେ ଦାବି କରିଛୁ। ପାର୍ଲିଆମେଣ୍ଟ କିମ୍ବା ଅନ୍ୟ କୌଣସି ବିଧାନସଭାରେ ଭର୍ଚୁଆଲର ବ୍ୟବସ୍ଥା ନାହିଁ। ଓଡ଼ିଶାରେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା। ଅନ୍ୟପଟେ ସହମତି ଭିତ୍ତିରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବାଚସ୍ପତି। ଯିଏ ଅସୁସ୍ଥ ଥିବ ସେ ଭର୍ଚୁଆଲ ମୋଡରେ ଗୃହକାର୍ଯ୍ୟରେ ସାମିଲ୍ ହୋଇ ପାରିବେ ବୋଲି ସେ କହିଛନ୍ତି।

ସେପଟେ ବଜେଟ ଅଧିବେଶନ ପୂର୍ବରୁ ବିଧାନସଭାର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜିପି ସୁନୀଲ ବଂଶଲ। ବିଧାନସଭା ଅଧିବେଶନ ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ୨ ଜଣ ଡିସିପିଙ୍କ ନେତୃତ୍ୱରେ ୧୦ ଅତିରିକ୍ତ ଡିସିପି, ୧୧ ଏସିପି, ୧୩ ଜଣ ଆଇଆଇସି, ୮୫ ଜଣ ଅଫିସର ଓ ୨୦୦ ଜଣ କନେଷ୍ଟବଳ ମୁତୟନ ହେବେ । ତେବେ ବିକ୍ଷୋଭ ଓ ଧାରଣାସ୍ଥଳ ଉପରେ ପୋଲିସର କଡା ନଜର ରହିବ ବୋଲି କହିଛନ୍ତି ପୋଲିସ ଡିଜି।

ସୂଚନା ଅନୁସାରେ, ଦୁଇଟି ପର୍ଯ୍ୟାୟରେ ୨୭ ଦିନ ଧରି ଚାଲିବାକୁ ଥିବା ଏହି ବଜେଟ ଅଧିବେଶନରେ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ଗୃହ କାର୍ଯ୍ୟରେ ଯେପିରି ସହଯୋଗ କରିବେ ସେନେଇ ବାଚସ୍ପତିଙ୍କ ସହ ଆଲୋଚନା । ଏହାସହ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପାଇଁ ସପ୍ତାହରେ କେତୋଟି ଲେଖାଏଁ ମୁଲତବୀ ପ୍ରସ୍ତାବ ଭାଗ ପଡ଼ିବ ସେ ନେଇ ବୈଠକରେ ସ୍ଥିର କରାଯିବ।

ବିଧାନସଭାର ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଆସନ୍ତକାଲିଠୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓ ୨ୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ ବୋଲି ସୂଚନା ମିଳିଛି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଫେବ୍ରୁଆରୀ ୨୪ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩- ୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ। ତେବେ ଗୃହ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହିତ ଜାରି ରହିବା ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିବ ହୋଇଛି।