ବିଜେଡି ଉପସଭାପତି ପଦରୁ ହଟିବା ପରେ ସୌମ୍ୟଙ୍କୁ ଟାର୍ଗେଟ କଲେ ଅମର ଓ ଲେନିନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେଡି ଉପସଭାପତି ପଦରୁ ହଟାଇବା ପରେ ମଧ୍ୟ ଦଳର ନେତାମାନେ ‌ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ନିର୍ଦ୍ଦେଶନାମା ଜାରି କରି ସୌମ୍ୟଙ୍କୁ ଉପସଭାପତି ପଦରୁ ହଟାଇ ଦେଇଛନ୍ତି। ଏହାପରେ ସାଂସଦ ଅମର ପଟ୍ଟନାୟକ ଓ ମୁଖପାତ୍ର ଲେନିନ୍ ମହାନ୍ତି ସୌମ୍ୟଙ୍କୁ ସମାଲୋଚନା କରିଛନ୍ତି।

ସାଂସଦ ଅମର ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ଦଳ ଭିତରେ ରହି ଦଳକୁ ବଦନାମ କରିବା କେବେ ହେଲେ ଗ୍ରହଣୀୟ ନୁହେଁ। ଆଜି ଦଳର ସଭାପତି ଯେଉଁ ନିଷ୍ପତ୍ତି ନେଇଛନ୍ତି, ଏଥିପାଇଁ ନେଇଛନ୍ତି କି ଜଣେ ବ୍ୟକ୍ତି ନିଜର ଅଭିଳାଷ ଚରିତାର୍ଥ ହୋଇ ନପାରିବା ଯୋଗୁଁ ଦଳକୁ ବ୍ଲାକମେଲ କରିଛନ୍ତି। ଏହାକୁ ସଭାପତି ଗ୍ରହଣ କରିନାହାନ୍ତି | ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମୋ ମତରେ ସୌମ୍ୟବାବୁ ବିଧାୟକ ପଦରୁ ଇସ୍ତଫା ଦେବା ଦରକାର, କାରଣ ସେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ହରାଇ ସାରିଛନ୍ତି।

ସେହିପରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ଜଣେ ବ୍ୟକ୍ତିବିଶେଷଙ୍କୁ ଦଳକୁ ଆଣି ରାଜ୍ୟସଭା ପଠାଗଲା, ବିଧାୟକ କରାଗଲା, ଯାହା କେବେ ହେଲେ ହୋଇ ପାରି ନଥାନ୍ତା | ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ପାଇଁ ସୁଯୋଗ ପାଇଲେ। କିନ୍ତୁ ସୁଯୋଗ ପାଇ କଲେ କ’ଣ ? ରାଜନୈତିକ ଅଭିଳାଷ ଚରିତାର୍ଥ ପାଇଁ ବ୍ଲାକମେଲ୍ କଲେ, ତାକୁ ଦଳ ଗ୍ରହଣ କରିପାରିବ ନାହିଁ। ଉପସଭାପତି ପଦରୁ ବରଖାସ୍ତ କରାଯାଇଛି। ମୋତେ ତ ଲାଗୁଛି ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସେ ନିଜକୁ ସୁଧାରି ନିଅନ୍ତୁ ନହେଲେ ଯାହା ହେବା କଥା ହେବ।

Related Posts