ଭୁବନେଶ୍ୱର,୧୯/୫(ସତ୍ୟପାଠ ବ୍ୟୁରୋ): ଏଣିକି ଆଉ ୨ ହଜାର ଟଙ୍କିଆ ନୋଟ୍ ଛାପିବନି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟ୍ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ହେଲେ ବର୍ତ୍ତମାନ ପାଇଁ ବଜାରରେ ଏହି ନୋଟ୍ ପ୍ରଚଳିତ ହେବ। ମେ ୨୩ ରୁ ସେପ୍ଟେମ୍ବର ୩୦ ଯାଏଁ ବ୍ୟାଙ୍କରେ ଏହି ନୋଟ୍ ବଦଳାଇ ପାରିବେ । ଏ ନେଇ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି ଆରବିଆଇ । ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟ୍ ଚଳପ୍ରଚଳ ବର୍ତ୍ତମାନ ପାଇଁ ଜାରି ରହିଲେ ବି ଆଉ କିନ୍ତୁ ବଜାରକୁ ନୂଆ ୨ ହଜାର ଟଙ୍କିଆ ନୋଟ୍ ଆସିବ ନାହିଁ ।
ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ବିମୁଦ୍ରୀକରଣ ସମୟରେ ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ବନ୍ଦ ହେବା ପରେ ପ୍ରଥମ ଥର ପାଇଁ ବଜାରକୁ ଆସିଥିଲା ୨ ହଜାର ଟଙ୍କିଆ ନୋଟ୍ । କାରବାର ସୁବିଧା କରିବା ଏବଂ ଜନ ସାଧାରଣ ଯେପରି କୌଣସି ସମସ୍ୟାର ସାମ୍ନା ନ କରିବେ ସେଥିପାଇଁ ଆରବିଆଇ ପକ୍ଷରୁ ପ୍ରଚଳିତ କରାଯାଇଥିଲା ।





