ବାର୍ଷିକ ସମରାଭ୍ୟାସ ଭୋସ୍ତକ-୨୦୨୨: ରୁଷ ଓ ଚୀନ ସହ ସମରାଭ୍ୟାସ କରିବ ଭାରତ

ବେଜିଂ : ରୁଷରେ ଆସନ୍ତା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୫ ମଧ୍ୟରେ ଅନୁଷ୍ଠିତ ହେବ ବାର୍ଷିକ ସମରାଭ୍ୟାସ ଭୋସ୍ତକ-୨୦୨୨ । ଏଥିରେ ଚୀନ ଓ ଭାରତର ସେନା ଅଂଶଗ୍ରହଣ କରିବେ । ଚୀନ ସେନା ଏହି ସମରାଭ୍ୟାସରେ ଯୋଗ ଦେବା ବିଷୟରେ ଘୋଷଣା କରିଥିବା ବେଳେ ଭାରତ ପକ୍ଷରୁ ଏ ନେଇ କୌଣସି ଘୋଷଣା ହୋଇନାହିଁ ।

ଚୀନ ମିଲିଟାରି ପକ୍ଷରୁ ଜାରି ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ସମରାଭ୍ୟାସରେ ଭାରତ, ବେଲାରୁଷ, ତାଜିକିସ୍ତାନ ଓ ମଙ୍ଗୋଲିଆ ଯୋଗ ଦେବେ ।

ତେବେ ଚୀନ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବର୍ତ୍ତମାନର ଅନ୍ତର୍ଜାତୀୟ ଭୂ-ରାଜନୈତିକ ସ୍ଥିତି ସହ ଏହି ସମରାଭ୍ୟାସର କୌଣସି ସମ୍ପର୍କ ନାହିଁ । କିନ୍ତୁ ସାମରିକ ବିଶେଷଜ୍ଞମାନେ ଏହି ସମରାଭ୍ୟାସକୁ ବେଶ ଗୁରୁତ୍ବ ଦେଉଛନ୍ତି । କାରଣ ଗୋଟିଏ ପଟେ ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଅନ୍ୟପଟେ ତାଇଓ୍ବାନକୁ ନେଇ ଚୀନ ସମରାଭ୍ୟାସ ଜାରି ରଖିଛି । ଏପରିପ୍ରେକ୍ଷୀରେ ଏହି ସମରାଭ୍ୟାସ ମାଧ୍ୟମରେ ରୁଷ ଦର୍ଶାଇବାକୁ ଚାହୁଁଛି ଯେ ସେ ବିଶ୍ବରେ ଏକୁଟିଆ ନାହିଁ ।

ଅନ୍ୟପକ୍ଷରେ ଭାରତ ଯଦି ଏହି ସମରାଭ୍ୟାସରେ ଯୋଗଦିଏ, ଅନ୍ତର୍ଜାତୀୟ ସ୍ତରରେ ବିଶେଷକରି ପାଶ୍ଚାତ୍ୟ ଜଗତରେ ଭାରତକୁ ସମାଲୋଚନାର ଶରବ୍ୟ ହୋବାକୁ ପଡ଼ିପାରେ । କାରଣ ୟୁକ୍ରେନ ଯୁଦ୍ଧରେ ଭାରତ ରୁଷ ସପକ୍ଷରେ ଛିଡ଼ା ହୋଇଛି ବୋଲି ପୂର୍ବରୁ କେତେକ ଦେଶ ଅଭିଯୋଗ କରୁଥିବାବେଳେ ଏହା ସେମାନଙ୍କ ଅଭିଯୋଗକୁ ବଳ ପ୍ରଦାନ କରିବ ।

Related Posts