ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶାରେ ୪ଟି ନୂଆ ଇଏସଆଇ ହସ୍ପିଟାଲ ସ୍ଥାପନକୁ ନୀତିଗତ ମଞ୍ଜୁରୀ ମିଳିଛି । ଏହି ୪ଟି ଇଏସଆଇ ହସ୍ପିଟାଲ ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦ, ଯାଜପୁରର ଡୁବୁରୀ, ପାରାଦୀପ ଓ ଝାରସୁଗୁଡ଼ାରେ ସ୍ଥାପନ ହେବ । ଏହାବ୍ୟତୀତ ଭୁବନେଶ୍ୱରରେ ଥିବା ଇଏସଆଇ ହସ୍ପିଟାଲର ବେଡ୍ ସଂଖ୍ୟାକୁ ୫୦ରୁ ୧୦୦କୁ ବୃଦ୍ଧି କରାଯିବାକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି ବୋଲି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ସୂଚନା ଦେଇଛନ୍ତି।
ସୋମବାର ଲୋକସଭାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଏକ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ତେଲି କହିଛନ୍ତି ଯେ, ଓଡ଼ିଶାରେ ୪ଟି ନୂଆ ଇଏସଆଇ ହସ୍ପିଟାଲ ସ୍ଥାପନ ନିମନ୍ତେ ନୀତିଗତ ଅନୁମୋଦନ ଦିଆଯାଇଛି । ପାରାଦୀପରେ ୩୦ ବେଡ୍ ବିଶିଷ୍ଟ, ଝାରସୁଗୁଡ଼ା ଓ ଡୁବୁରୀରେ ୧୦୦ ଲେଖାଏଁ ବେଡ୍ ବିଶିଷ୍ଟ ଓ ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦରେ ୧୫୦ ବେଡ୍ ବିଶିଷ୍ଟ ହସ୍ପିଟାଲ ସ୍ଥାପନକୁ ମଞ୍ଜୁରୀ ଦିଆଯାଇଛି । ଏବେ ଭୁବନେଶ୍ୱରସ୍ଥିତ ଇଏସଆଇ ସ୍କିମ ହସ୍ପିଟାଲକୁ ୫୦ରୁ ୧୦୦ ବେଡକୁ ମଧ୍ୟ ବୃଦ୍ଧି ଓ ଉନ୍ନୀତିକରଣ ନିମନ୍ତେ ନୀତିଗତ ଅନୁମତି ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଏବେ ଓଡ଼ିଶାରେ ୨ଟି ଇଏସଆଇ ହସ୍ପିଟାଲ ଓ ୬ଟି ଇଏସଆଇଏସ୍ ହସ୍ପିଟାଲ ଏବଂ ୪୧ଟି ଇଏସଆଇ ଡିସପେସନାରୀ କାର୍ଯ୍ୟକ୍ଷମ ରହିଛି। ଏବେ ମାସକୁ ୨୧ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀଙ୍କୁ ଇଏସଆଇ ଅନ୍ତର୍ଭୁକ୍ତ କରାଯାଉଛି । ଓଡ଼ିଶାର ଅଣସଂଗଠିତ କ୍ଷେତ୍ରର ୧.୩୦କୋଟି ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ ଅଛନ୍ତି ଓ ବିଭିନ୍ନ ସାମାଜିକ ସୁରକ୍ଷାର ଲାଭ ସେମାନଙ୍କୁ ମିଳୁଛି।
