ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଜଣାଶୁଣା ସିନେ ପ୍ରଯୋଜକ ଅକ୍ଷୟ ପରିଜା ଆଜି ଦିନ ୧୨ଟାରେ ଇଡିରେ ହାଜର ହେବେ ବୋଲି ସୂଚନା ମିଳିଥିଲା। ହେଲେ ସେ ବ୍ୟକ୍ତିଗତ ଭାବେ ହାଜର ହୋଇ ନାହାନ୍ତି। ତାଙ୍କ ବଦଳରେ ଆଜି ତାଙ୍କର ଓକିଲ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ଅକ୍ଷୟ ପରିଜାଙ୍କୁ ଆଉ କିଛି ଦିନ ସମୟ ଦେବାକୁ ଓକିଲ ଇଡି କାର୍ଯ୍ୟାଳୟରେ ଆବେଦନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ, ଗତକାଲି ଇଡି ପକ୍ଷରୁ ସମନ ଜାରି କରାଯାଇଥିବା ବେଳେ, ନିର୍ଦ୍ଧାରିତ ସମୟ ଓ ତାରିଖ ଭିତରେ ହାଜର ହେବାକୁ କୁହାଯାଇଥିଲା I ଅକ୍ଷୟ ପହଞ୍ଚିବା ପରେ ତାଙ୍କ ବୟାନ ରେକର୍ଡ କରାଯିବାର ଯୋଜନା କରିଥିଲା ଇଡି। ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରି ୩ କୋଟି ଟଙ୍କା ମାଗିବା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଏବେ ଜେଲରେ ଅଛନ୍ତି।

ଅର୍ଚ୍ଚନା ବିରୋଧରେ ଥାନାରେ ଅକ୍ଷୟ ପରିଜା ଦେଇଥିବା ଏତଲା ଅନୁସାରେ ନିଜକୁ ଆଇନଜୀବୀ ଭାବେ ପରିଚୟ ଦେଇଥିଲା ଅର୍ଚ୍ଚନା ନାଗ୍।ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା କହିଥିଲା।ସେହି ଯୁବତୀ ତାର ମହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା। ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଧମକାଇଥିଲା।ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା। ସମ୍ମାନହାନି ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା। ଏଥିପାଇଁ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନାଙ୍କ ସହ ଭେଟ ହୋଇଥିଲା।ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା। ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି କାଟିଦେବା ସହ ଭୁବନେଶ୍ୱର ବାହାରକୁ ଯାଇପାରିବେନାହିଁ ବୋଲି ଧମକାଇଥିଲା ଅର୍ଚ୍ଚନା। ଅର୍ଚ୍ଚନାର କଥାରେ ସନ୍ଦେହ ହେବାରୁ ସେ ନିଜ ଆଡୁ ତଦନ୍ତ କରିଥିଲେ। ତାଙ୍କୁ ହନିଟ୍ରାପରେ ଫସାଇବା ପାଇଁ ଅର୍ଚ୍ଚନା ସେହି ଯୁବତୀଙ୍କୁ ବ୍ୟବହାର କରୁଥିଲା ବୋଲି ଜାଣିବାକୁ ପାଇଲେ।ପୂର୍ବରୁ ମଧ୍ୟ ବ୍ଲାକମେଲ୍ କରିବା ଉଦ୍ଦେଶ୍ୟରେ ଅର୍ଚ୍ଚନା ଓ ଯୁବତୀ ମିଶି ଅନେକ ଷଡ଼ଯନ୍ତ୍ର କରିଥିଲେ।