ସେପ୍ଟେମ୍ବରରେ ପ୍ରତିଦିନ ଆସିପାରେ ୪ ଲକ୍ଷ ମାମଲା, NITI ଆୟୋଗ କହିଲେ ପ୍ରସ୍ତୁତ ରଖ ୨ ଲକ୍ଷ ICU ବେଡ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋରୋନାର ଦ୍ୱିତୀୟ ଲହର ଯୋଗୁଁ ଦେଶରେ ଅନେକ ଲୋକ ପ୍ରଭାବିତ ହୋଇଥିଲେ । ତେବେ ଦ୍ବିତୀୟ ଲହର ଶେଷ ହୋଇନି ଏବେ କୋରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କା ପ୍ରକାଶ କରାଯାଇଛି । ସେପ୍ଟେମ୍ବରରେ ତୃତୀୟ ଲହରୀ ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହି ସମୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଛୁଇଁବାର ସମ୍ଭାବନା ରହିଛି । ସେତେବେଳେ ଅତିକମରେ ଦୁଇ ଲକ୍ଷ ଆଇସିୟୁ ବେଡର ଆବଶ୍ୟକତା ପଡିବ ବୋଲି ନୀତି ଆୟୋଗ କହିଛନ୍ତି । ନୀତି ଆୟୋଗ ସଦସ୍ୟ ଡକ୍ଟର ଭି କେ ପଲ କିଛି ଦିନ ତଳେ କରୋନା ସଂକ୍ରମଣର ତୃତୀୟ ପ୍ରବାହର ମୁକାବିଲା ପାଇଁ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ କୁହାଯାଇଥିଲା ଯେ, ଭବିଷ୍ୟତରେ ୧୦୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୩ ଜଣ ଆଇସିୟୁକୁ ଯିବାର ଆଶଙ୍କା ରହିଛି।

ଦି ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୨୦୨୦ ରେ ଦ୍ୱିତୀୟ ଲହର ପୂର୍ବରୁ ମଧ୍ୟ ନୀତି ଆୟୋଗ ପୂର୍ବାନୁମାନ କରିଥିଲେ, କିନ୍ତୁ ଏହି ଆକଳନ ଏହାଠାରୁ ବହୁତ ଅଧିକ ଅଟେ । ତେବେ ସେହି ସମୟରେ ନୀତି ଆୟୋଗ ତରଫରୁ ପ୍ରାୟ ୨୦% ଗୁରୁତର / ମଧ୍ୟମ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ କୁହାଯାଇଥିଲା । ଏଥର କିନ୍ତୁ ୨୩ ପ୍ରତିଶତ ରୋଗୀଙ୍କ ପାଇଁ ଆଇସିୟୁ ବ୍ୟବସ୍ଥା କରିବାକୁ କହିଛନ୍ତି ନୀତି ଆୟୋଗ।

କୋଭିଡ୍-୧୯ର ଦ୍ୱିତୀୟ ତରଙ୍ଗ ପରେ ହସ୍ପିଟାଲରେ ବେଡକୁ ଅଲଗା ସ୍ତରରେ ନିର୍ଧାରିତ କରିବାକୁ ଅପ୍ରେଲ-ଜୁନରେ ଦେଖାଯାଇଥିବା ଟ୍ରେଣ୍ଡକୁ ଦେଖି କୁହାଯାଇଥିଲା । ଜୁନ ୧ ତାରିଖରେ ଦେଶରେ ଯେତେବେଳେ ସକ୍ରିୟ ମାମଲାର ୧୮ ଲକ୍ଷ ଥିଲା, ସେତବେଳେ ୨୧.୭୪% ମାମଲାରେ ୧୦ ଟି ରାଜ୍ୟରେ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ଥିଲା । ସେଥିମଧ୍ୟରୁ ୨.୨% ଆଇସିୟୁରେ ଭର୍ତ୍ତି ହୋଇଥିଲେ ।

ନୀତି ଆୟୋଗ ଅନୁସାରେ ଆହୁରି ମଧ୍ୟ ଖରାପ ସ୍ଥିତି ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ଆୟୋଗ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ରୁ ୫ ଲକ୍ଷ ହେବ ବୋଲି ଆଶଙ୍କା କରୁଛନ୍ତି ।ଏହାସହିତ ଆସନ୍ତା ମାସ ସୁଧା ୨ ଲକ୍ଷ ଆଇସିୟୁ ବେଡ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ଭେଣ୍ଟିଲେଟର ସହିତ ୧.୨ ଲକ୍ଷ ଆଇସିୟୁ ବେଡ୍,୭ ଲକ୍ଷ ବିନା ଆଇସିୟୁ ବେଡ୍ (ଯାହା ମଧ୍ୟରୁ ୫ ଲକ୍ଷ ଅକ୍ସିଜେନ୍ ବେଡ୍) ଓ ୧୦ ଲକ୍ଷ କୋଭିଡ୍ କେୟାର ବେଡ଼ ରହିବା ଉଚିତ୍ ବୋଲି ଆୟୋଗ କହିଛନ୍ତି।

ସେପ୍ଟେମ୍ବର ୨୦୨୦ ରେ ଦ୍ୱିତୀୟ ଲହରର କିଛି ମାସ ପୂର୍ବରୁ, NITI ଆୟୋଗ ଆକଳନ କରି କହିଥିଲା ଯେ ୧୦୦ ଟି ଆକ୍ଟିଭ କେସ୍ ମଧ୍ୟରୁ ୨୦ ଟି ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ । ଏଥିରେ ତିନିଜଣଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିବ । ଅନ୍ୟାନ୍ୟ ଲକ୍ଷଣହୀନ ମାମଲାଗୁଡ଼ିକ ପାଇଁ ଅନୁମାନ କରାଯାଉଥିଲା ଯେ ଏଥିରୁ ୫୦ ଟି କୋରୋନା କେୟାର ସେଣ୍ଟରରେ ସାତ ଦିନ ପାଇଁ ରଖାଯିବା ଆବଶ୍ୟକ, ଅବଶିଷ୍ଟମାନେ ଘରେ ରହିପାରିବେ ।

Related Posts