ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ବାହାରିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ । ତେବେ ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡ଼ୁ, ଆସାମ ଓ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ନିର୍ବାଚନୀ ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାର ୨୯୩ ଆସନ ପାଇଁ ୭୭ଟି ଗଣନା କେନ୍ଦ୍ରରେ ଭୋଟ ଗଣତି ହେବାକୁ ଯାଉଥିବାବେଳେ ସ୍ବଚ୍ଛତା ସୁନିଶ୍ଚିତ କରିବା ଲାଗି ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଶ୍ଚିମବଙ୍ଗରେ ଏପ୍ରିଲ ୨୩ ଓ ୨୯ ଦୁଇ ପର୍ଯ୍ୟାୟରେ ଭୋଟ ହୋଇଥିବାବେଳେ ମତଦାନ ହାର ୯୨ ପ୍ରତିଶତରୁ ଅଧିକ ରହିଥିଲା।
ସେହିପରି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆସାମର ସମସ୍ତ ୧୨୬ ଆସନ ଲାଗି ୩୫ ଜିଲାର ୪୦ଟି ଗଣନା କେନ୍ଦ୍ରରେ ଭୋଟଗଣତି କରାଯିବ। ୫୯ ମହିଳାଙ୍କ ସମେତ ୭୨୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବାବେଳେ ସୋମବାର ସେମାନଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ଗତ ମାସ ୯ ତାରିଖରେ ଆସାମରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ମତଦାନ ହାର ୮୫.୯୬ ପ୍ରତିଶତ ଥିଲା। ସେପଟେ ୨୪୩ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭା ପାଇଁ ୬୨ଟି କେନ୍ଦ୍ରରେ ଭୋଟଗଣତି ହେବ। ଏହି କାର୍ଯ୍ୟରେ ୧୦,୫୪୫ କର୍ମଚାରୀଙ୍କୁ ନିୟୋଜିତ କରାଯିବ ଓ ସେମାନଙ୍କୁ ୪,୬୧୪ ଜଣ ମାଇକ୍ରୋ ଅବ୍ଜରଭର ସହାୟତା କରିବେ। ପ୍ରତି ନିର୍ବାଚନମଣ୍ଡଳୀ ପାଇଁ ଜଣେ ଲେଖାଏ ମୋଟ ୨୩୪ ଜଣ କାଉଣ୍ଟିଂ ଅବ୍ଜରଭର ରହିବେ। ସେହିପରି କେରଳମ୍ ଏବଂ ପଣ୍ଡିଚେରୀରେ ଭୋଟଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ୧୪୦ ଆସନ ବିଶିଷ୍ଟ କେରଳମ୍ ବିଧାନସଭା ପାଇଁ ୪୩ଟି ଗଣତି କେନ୍ଦ୍ରରେ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହେବ। ଏଥିପାଇଁ ୧୫,୪୬୫ ଜଣ ଗଣନାକାରୀ ଏବଂ ୩୨,୩୦୧ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପଣ୍ଡିଚେରୀର ଭୋଟ ଗ୍ରହଣ ହୋଇଥିବା ୩୦ଟି ଆସନ ପାଇଁ ଭୋଟ ଗଣତି କରାଯିବ।
