ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିନକୁ ଦିନ ଜମିର ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି। ସବୁଆଡେ ମାତିଛନ୍ତି ଜମି ମାଫିଆ। ଫଳରେ ପୁରୀ ତହସିଲ ଅଧୀନରେ ଜମିଜମା କେଳେଙ୍କାରି ଚରମ ସୀମାରେ ପହଞ୍ଚିଛି। କେଉଁଠି ଜାଲିଆତି କରି ମହାପ୍ରଭୁଙ୍କ ଜମିକୁ ସ୍ଥିତିବାନ ସୂତ୍ରରେ ମାଡ଼ି ବସିଲେଣି ତ କେଉଁଠି ପାଣିନାଳ, ଗୋଚର ଜମି ଉପରେ ସୁଉଚ୍ଚ କୋଠା ସବୁ ଠିଆ ହେଲାଣି। ଏଠାରେ ସବୁଠୁ ଅଧିକ କେଳେଙ୍କାରି ମହାପ୍ରଭୁଙ୍କ ଜମିକୁ ନେଇ ଦେଖାଦେଇଛି।
ନିକଟରେ ସିଦ୍ଧ ମହାବୀର ରେଳ ଓଭରବ୍ରିଜ ଜମି ବିଦାଦରୁ ପରଦା ହଟିଥିବା ବେଳେ, ଏବେ ମହାପ୍ରଭୁଙ୍କ ଅମୃତମଣୋହୀ ଜମିକୁ ବେଆଇନ୍ ଭାବେ ସ୍ଥିତିବାନ ସୂତ୍ରରେ ବିକ୍ରି କରିଦେବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଭିଆଇପି ରୋଡ୍ ରିଜର୍ଭ ପୁଲିସ ଲାଇନ୍ ସମ୍ମୁଖରେ ଗଢ଼ି ଉଠିଥିବା କୋଠା ମହାପ୍ରଭୁଙ୍କ ଏହି ଜମିରେ ଗଢ଼ି ଉଠିଥିବା ସୂଚନା ମିଳିଛି। ଯେଉଁ ସ୍ଥାନରେ ଏବେ ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ଭଡ଼ା ସୂତ୍ରରେ ଚାଲିଛି। ଏହାର ବଳିଷ୍ଠ ପ୍ରମାଣ ପାଇବା ପରେ ଚକବନ୍ଦୀ କମିସନରଙ୍କ କୋର୍ଟ ଏ ସମ୍ପର୍କିତ ମାମଲାର ବିଚାର କରି ତୁରନ୍ତ ଏହି ଜମିକୁ ମହାପ୍ରଭୁଙ୍କ ନାମକୁ ପରିବର୍ତ୍ତନ କରିବାକୁ ଆଦେଶ ଦେଇଛନ୍ତି। ମାତ୍ର ପୁରୀ ତହସିଲଦାର ଏହି ଆଦେଶକୁ ୪ ମାସ ହେଲାଣି ଚାପି ରଖିଛନ୍ତି । ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ବାରମ୍ବାର ପୁରୀ ତହସିଦାରଙ୍କ ସହ ରାଜସ୍ବ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଅବଗତ କଲାଣି। ତଥାପି ତହସିଲଦାରଙ୍କ ସହ ଅନ୍ୟ ଅଧିକାରୀମାନେ ନିରବ ରହିଛନ୍ତି।
ସୂଚନା ଅନୁସାରେ ପୁରୀ କୁଣ୍ଢେଇବେଣ୍ଟସାହି ଜାଡ଼ୁଆଣି ଲାଇବ୍ରେରି ଛକର ଆଇନଜୀବୀ ବିଭୂତି ପ୍ରସାଦ ପଟ୍ଟନାୟକ ମହାପ୍ରଭୁଙ୍କ ଏହି ଅମୃତ ମଣୋହୀ ଜମି ସମ୍ପର୍କରେ ଭୁବନେଶ୍ବର ଚକବନ୍ଦି କମିସନରଙ୍କ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶ୍ରୀ ପଟ୍ଟନାୟକ ନିଜ ଅଭିଯୋଗ(ବନ୍ଦୋବସ୍ତ ରିଭିଜନ୍ ପିଟିସନ୍ ନମ୍ବର-୫୨/୨୦୧୯)ରେ ଦର୍ଶାଇଥିଲେ କି ସାବିକ୍ ପଟାରେ ପୁରୀ ସହରର କୁଣ୍ଢେଇବେଣ୍ଟ ସାହି ଖାତା ନମ୍ବର-୭୦ର ପ୍ଲଟ ନମ୍ବର-୮୬୨ ଓ ୮୬୩ ମହାପ୍ରଭୁଙ୍କ ୨୭୦ ଡିସିମିଲ୍ ଅମୃତ ମଣୋହୀ ଜମି ରହିଥିଲା। ପରବର୍ତ୍ତୀ ସମୟରେ ହାଲ ପଟା(ୟୁନିଟ୍-୨୩)ରେ ଏହାର ଖାତା ନମ୍ବର-୪ ଥିବାବେଳେ ପ୍ଲଟ ନମ୍ବର-୩୩୯/୧୦୮୪, ୩୩୭, ୩୩୮ ଓ ୩୩୯ ରହିଛି। ପୂର୍ବ କାଳରେ ମଠ ମହନ୍ତମାନେ ମହାପ୍ରଭୁଙ୍କ ଜମିର ମାର୍ଫତଦାର ରହୁଥିଲେ। ଏଣୁ ତତ୍କାଳୀନ ଏମାର ମଠ ମହନ୍ତଙ୍କୁ ଏହି ଅମୃତ ମଣୋହୀ ଜମିର ମାର୍ଫତଦାର ରଖାଯାଇଥିଲା। ୧୯୫୫ ମସିହାରେ ଶ୍ରୀମନ୍ଦିର ଆଇନ ପ୍ରଣୟନ ସହ ମନ୍ଦିର ପରିଚାଳନା ପାଇଁ ନୂଆ କରି ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ପରେ ମହାପ୍ରଭୁଙ୍କ ସମସ୍ତ ଜମିର ମାର୍ଫତଦାର ଶ୍ରୀମନ୍ଦିର ପରିଚାଳନା କମିଟିଙ୍କୁ ରଖାଗଲା। ସେହି ଅନୁଯାୟୀ, ବର୍ତ୍ତମାନ ଖାତା ନମ୍ବର-୪ରେ ଥିବା ୪ ପ୍ଲଟ୍ର ମାର୍ଫତଦାର ଶ୍ରୀମନ୍ଦିର ପରିଚାଳନା କମିଟି ରହିବା କଥା।ଅନ୍ୟପଟେ ଏହା ଅମୃତ ମଣୋହୀ ଜମି ହୋଇଥିବାରୁ ବିକ୍ରି ଯୋଗ୍ୟ ନୁହେଁ। କିନ୍ତୁ ଶ୍ରୀମନ୍ଦିର ପରିଚାଳନା ପାଇଁ ନୂଆ ଆଇନ ଆସିବା ପରେ ବି ତତ୍କାଳୀନ ଏମାର ମଠ ମହନ୍ତ ଶ୍ରୀନିବାସ ରାମାନୁଜ ଦାସ ୧୯୫୮ ମସିହା ଅଗଷ୍ଟ ୫ ତାରିଖରେ(ସେଲ୍ ଡିଡ୍ ନମ୍ବର-୬୪୮୪/୫.୮.୧୯୫୮) ବେଆଇନ୍ ଭାବେ ମାତ୍ର ୨୪୦ ଟଙ୍କା ସଲାମିରେ ଜଗନ୍ନାଥ ପ୍ରସାଦ ଶର୍ମାଙ୍କୁ ୧୯୫୮ ମସିହା ଅଗଷ୍ଟ ୧ରୁ ୨୦ ବର୍ଷିଆ ଲିଜ୍ରେ ଟେକି ଦେଇଥିଲେ। ଜଗନ୍ନାଥଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଗୋପାଳ ରାଣୀ ଶର୍ମା ଓ ତାଙ୍କ ପରିବାର ଏହି ଜମିକୁ ଦଖଲରେ ରଖିଥିଲେ। ପରେ ବନ୍ଦୋବସ୍ତ ସମୟରେ ୧୯୮୯ ମାର୍ଚ୍ଚ ୩୦ରେ ପୂର୍ବତନ ବିଧାୟକ ଅଜୟ କୁମାର ଜେନା ମହାପ୍ରଭୁଙ୍କ ଏହି ୨୭୦ ଡିସିମିଲ୍ ଅମୃତ ମଣୋହୀ ଜମିକୁ ନିଜ ନାମରେ ସ୍ଥିତିବାନ ସୂତ୍ରରେ କରି ଦେଇଥିଲେ। ଶ୍ରୀ ଜେନାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟ ଏହି ଜମିକୁ ଦଖଲରେ ରଖିଥିଲେ।
ଏଣୁ ଶ୍ରୀ ପଟ୍ଟନାୟକ ଏହାର ସମସ୍ତ ପ୍ରମାଣପତ୍ର ଦାଖଲ କରି ଏହି ଜମିକୁ ମହାପ୍ରଭୁଙ୍କ ନାମକୁ ଫେରାଇ ଆଣିବାକୁ ନିବେଦନ କରିଥିଲେ।ଏହି ଅମୃତ ମଣୋହୀ ଜମିର ସମସ୍ତ ତଥ୍ୟ ଓ ପ୍ରମାଣକୁ ଦେଖିବା ପରେ ଗତ ୨୫ ଫେବ୍ରୁ୍ଆରିରେ ଚକବନ୍ଦୀ କମିସନର ଏହି ଜମିକୁ ମହାପ୍ରଭୁଙ୍କ ନାମରେ ତୁରନ୍ତ କରିବାକୁ ପୁରୀ ତହସିଲଦାରଙ୍କୁ ଆଦେଶ ଦେଇଥିଲେ। ଗତ ଏପ୍ରିଲ ୭ ତାରିଖରେ ବି ଚକବନ୍ଦୀ କମିସନର୍ ଏହି ଆଦେଶର ନକଲ ପୁରୀ ତହସିଲଦାରଙ୍କୁ ପ୍ରେରଣ କରିଥିଲେ। ଆଦେଶନାମା ପାଇବାର ମାସେ ଭିତରେ ରେକର୍ଡ଼ ସଂଶୋଧନ କରିବାକୁ କହିଥିଲେ। ଇତିମଧ୍ୟରେ ଆଦେଶକୁ ୫ ମାସ ଓ ଆଦେଶନାମା ପାଇବାର ୪ ମାସ ଗଡ଼ି ଯାଇଥିଲେ ବି ଏ ଦିଗରେ ସାମାନ୍ୟ ଆଗେଇନି ପୁରୀ ତହସିଲ। ଏ ସମ୍ପର୍କରେ ପୁରୀ ତହସିଲଦାର ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରେ ସେ ବିଭିନ୍ନ ଆଳ ଦେଖାଇ ପ୍ରସଙ୍ଗକୁ ଏଡ଼ାଇ ଯାଇଥିବା ଦେଖିବାକୁ ମିଳିଛି। ତତ୍କାଳ ପାଖରେ ତଥ୍ୟ ନାହିଁ, ତେଣୁ ଏ ସମ୍ପର୍କରେ କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ତହସିଲଦାର।
