ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୁଣ୍ଡ ଉପରେ ନିର୍ବାଚନ, ହେଲେ ଏପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସରେ କୌଣସି ହଲଚଲ ଜଣାପଡ଼ୁନାହିଁ | ଦଳ ପତିଙ୍କ ଠାରୁ ନେଇ ଦଳ ଭାଇଙ୍କ ପର୍ଯ୍ୟନ୍ତ ସମସ୍ତେ ଏକଦମ ଚୁପ | ଆଉ ରାଜ୍ୟ କଂଗ୍ରେସରେ ଏବେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ, ଏହି ନୀରବତାର କାରଣ ବୋଲି ଚର୍ଚ୍ଚା ହେଉଛି | କୁହାଯାଉଛି କଂଗ୍ରେସ ନେତାମାନେ କାହାର ନେତୃତ୍ୱ ପଛରେ ଛିଡା ହେବେ ତାକୁ ନେଇ ଏବେ ଦ୍ବନ୍ଦରେ |
ଚର୍ଚ୍ଚା ହେଉଛି ଶରତ ଏବେ ଖାଲି ନାଁ କୁ ସଭାପତି | ହେଲେ ବିଜୟ ଅନେକ କ୍ଷେତ୍ରରେ ଶରତଙ୍କ ଉପରେ ଚଢି ସମାନ୍ତରାଳ ସଂଗଠନ କରିବାରେ ବ୍ୟସ୍ତ | ସାରା ରାଜ୍ୟରେ ସଭାପତି ଯେତିକି ବୁଲୁନାହାନ୍ତି, ପ୍ରଚାର କମିଟି ଅଧକ୍ଷ ନାଁରେ ବିଜୟ ତାଠାରୁ ଅଧିକ ବୁଲୁଛନ୍ତି | ଦଳ ଭିତରେ ବିଜୟଙ୍କ କ୍ୟାମ୍ପ ପକ୍ଷରୁ ସଂକେତ ଦିଆଯାଉଛି ଯେ, ଆଗକୁ ଅସଲ ବସ୍ ହେବେ ବିଜୟ ପଟ୍ଟନାୟକ | ଆସନ୍ତା ନିର୍ବାଚନରେ ଟିକେଟ ବଣ୍ଟାରେ, କୁଆଡେ ବିଜୟଙ୍କ ହାତ ଅଧିକ ରହିବ ବୋଲି ଚର୍ଚ୍ଚା ହେଉଛି | ସେପଟେ ଶରତଙ୍କ କାର୍ଯ୍ୟକଳାପ ମଧ୍ୟ ଏଭଳି ଯେ, ବିଜୟଙ୍କୁ ଶରତ ଚେକ୍ ଦେଇପାରିବେ ବୋଲି, କର୍ମୀମାନେ ମଧ୍ୟ ଏବେ ବିଶ୍ୱାସ କରିପାରୁନାହାନ୍ତି | ଏଭଳି ସ୍ଥିତିରେ, ଗତ ନିର୍ବାଚନର ପ୍ରାର୍ଥୀ ଓ ଏବେର ଆଶାୟୀ ପ୍ରାର୍ଥୀମାନେ କାହା ସପକ୍ଷରେ ଛିଡା ହେବେ ତାକୁ ନେଇ ଏବେ ଦ୍ବନ୍ଦରେ |
ଏବେ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ଧରି ବିଜେପି ଧାରଣା, ସଭା ଓ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରୁଥିବା ବେଳେ, ରାଜ୍ୟ କଂଗ୍ରେସ ପୁରା ନିରବ | ଗତ ବିଧାନସଭାରେ ମଧ୍ୟ ଦଳର ସେଭଳି କୌଣସି ଶାଣିତ ସ୍ୱର ସୁଭିଲା ନାହିଁ | ସେପଟେ ପ୍ରତ୍ୟକ ମାସ ବିଜୟଙ୍କ ଘନ ଘନ ଦିଲ୍ଲୀ ଗସ୍ତ ନେଇ ଏବେ କଂଗ୍ରେସ ଭବନରେ ଚର୍ଚ୍ଚା ଚାଲିଛି | କୁହାଯାଉଛି AICC ରେ ନିଜର ପତିଆରା ବଢାଇବା ପାଇଁ ବିଜୟ ଏବେ ଫୁଲ ଦମରେ କାମ ଆରମ୍ଭ କରିଦେଇଛନ୍ତି | ସେପଟେ ଶରତ ସବୁ ବୁଝୁଥିବା ସତ୍ୱେ ବିଜୟଙ୍କର କିଛି କରି ପାରୁନଥିବା ଚର୍ଚ୍ଚା ହେଉଛି | ଏଭଳି ସ୍ଥିତିରେ, ଉଭୟ ଶରତ ଓ ବିଜୟଙ୍କୁ ସାଇଡ କରି, ନିର୍ବାଚନ ପୂର୍ବରୁ ଜଣେ ନୂଆ ପିସିସି ସଭାପତିଙ୍କୁ ନିଯୁକ୍ତ କରିବାକୁ ମଧ୍ୟ ଦାବି ଉଠିଲାଣି |
ସେପଟେ ଦେଖିବାକୁ ଗଲେ ସଭାପତି ଆସନକୁ ନେଇ ଏବେ ରାଜ୍ୟ କଂଗ୍ରେସ 3 ଫାଳ | ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ଗୋଷ୍ଠୀ | ଦଳରେ ନିରଞ୍ଜନ ଓ ଜୟଦେବଙ୍କ ଦବଦବା ଥିବାବେଳେ ଶରତ ସଭାପତି ହେବାପରଠୁ ଏପର୍ଯ୍ୟନ୍ତ ନିଜ ପତିଆରା ଦେଖାଇ ପାରିଲେନାହିଁ | ଅନେକଙ୍କ କହିବା କଥା ଏଭଳି ସ୍ଥିତି ଜାରି ରହିଲେ ନିର୍ବାଚନ ବେଳକୁ ଶେଷ ମୁହୂର୍ତ୍ତରେ କଂଗ୍ରେସ ଭବନରେ ପ୍ରାର୍ଥୀଙ୍କ ପାଇଁ ଟିକେଟ କାଉଣ୍ଟର ଖୋଲାଯିବ | ଏବେ ସମସ୍ତଙ୍କ ଅପେକ୍ଷା କଂଗ୍ରେସରେ ଚାଲିଥିବା ଏହି ଶୀତଳ ଯୁଦ୍ଧରେ କିଏ ବାଜି ମାରୁଛି | 40 ବର୍ଷ ଧରି କଂଗ୍ରେସ ରାଜନୀତିରେ ଥିବା ଶରତ ନା ବ୍ୟୁରୋକ୍ରାଟରୁ ନେତା ସାଜିଥିବା ବିଜୟ |





