ସତ୍ୟପାଠ ବ୍ୟୁରୋ : ନବୀନ ବାବୁ ନିର୍ବାଚନର ୬ ମାସ ପୂର୍ବରୁ ବହୁ ସଂଖ୍ୟାରେ ବିଜ୍ଞାପନ ଦେଲେ । ଥ୍ରୀ-ଟି , ୫-ଟି, କଥା ନୂହେଁ କାମ, ଟିମ୍ ଓଡିଶା, ଓଡିଶା ହେବ ନମ୍ବର ୱାନ ଭଳି ଅନେକ ସଂଳାପ ବି କହିଲେ । ଏମିତି କହି କହି ସରକାର ଗଢ଼ି କ୍ଷମତାକୁ ଆସିଗଲା ନବୀନ ବାବୁଙ୍କ ଦଳ । କିନ୍ତୁ ସରକାର ଗଢ଼ାଯିବା ପରେ ବିନା ବାଧାରେ କେମିତି ସିଧା ସିଧା ପିସି ଆଦାୟ କରାଯାଇପାରିବ ସେଥିପାଇଁ ଗଳାବାଟ ଟିଏ ରଖାଯାଇଛି । କହିବାକୁ ଗଲେ ସରକାରୀ ପଇଓା ପିସି ରୂପରେ ଆସିବ ଆଉ ଦଳୀୟ ପାଣ୍ଠି ଭାବେ କାମରେ ଲାଗିବ ସେନେଇ ନବୀନ ବାବୁ ପଛ ଦୁଆର ମେଲା ରଖିଛନ୍ତି ।
ଏ ଗଳାବାଟଟି ଏତେ ସୁନ୍ଦର ଭାବେ ତିଆରି କରାଯାଇଛି ଯେ, ତାହା ବାହାରକୁ ଦିଶୁନାହିଁ । ମାନେ ସାମ୍ନାରୁ ସବୁ ଠିକଠାକ୍ ଲାଗୁଥିଲେ ବି ପଛ ପଟେ କିନ୍ତୁ ରାସ୍ତା ଖୋଲିଛି । ନବୀନ ବାବୁଙ୍କ ମନ୍ତ୍ରୀମଣ୍ଡଳରୁ ହିଁ ଏହା ସ୍ପଷ୍ଟ ହୋଇଯାଇଛି । କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଛାଡିଦେଲେ ଆଉ କିଛି ବଡ ଓ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପ୍ରଥମ ଥର ପାଇଁ କ୍ୟାବିନେଟ ପାହ୍ୟା ମିଳିଲା ନାହିଁ ଏବଂ ବରିଷ୍ଠ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ନାହିଁ । ବରଂ କିଛି ସ୍ୱାଧିନ ଓ ରାଷ୍ଟ୍ରମନ୍ତ୍ରୀଙ୍କୁ ବିଭାଗ ଟେକିଦେଲେ ।
ଶିଳ୍ପ ବିଭାଗ କଥା ଯଦି ବିଚାରକୁ ନିଆଯାଏ ତେବେ ଏହା ରାଜସ୍ୱ ଆୟର ଏକ ପ୍ରମୁଖ ଉତ୍ସ ବୋଲି କୁହାଯାଇପାରେ । ଅବଶ୍ୟ ନବୀନ ବାବୁଙ୍କ ସବୁଠୁ ବଡ ବିଫଳତା ହେଲା ଶିଳ୍ପ । ଏପର୍ଯ୍ୟନ୍ତ ଓଡିଶାରେ ଗୋଟିଏ ବି ବଡ ଶିଳ୍ପାନୁଷ୍ଠାନ ହୋଇପାରିଲା ନାହିଁ । ଯିଏ ଆସିଲେ ସେ ଫେରିକି ଗଲେ । ପୋସ୍କୋ, ବେଦାନ୍ତ କଥା କାହାକୁ ଅଛପା ନଥିବ । ରାଜ୍ୟ ସରକାର ପୂର୍ବରୁ ଶିଳ୍ପର ବିକାଶ ପାଇଁ ଅନେକ ଭାଷଣ ଦେଇଛନ୍ତି । ଏମିତିକି ମେକଇନ ଓଡିଶା, ଇନଭେଷ୍ଟର୍ସ କନକ୍ଲେଭର ଆୟୋଜନ ହେଲା । ଜାପାନ, ବମ୍ବେ, ବାଙ୍ଗାଲୋର, ଦିଲ୍ଲୀରେ ରୋଡସୋ କରି ଶିଳ୍ପପତିଙ୍କୁ ଡକାଗଲା । ଟାଟା, ଅମ୍ବାନୀଙ୍କୁ ଭୁବନେଶ୍ୱର ଡାକି ମିଟିଂ କରାଇଲେ ।
ସବୁ ପରେ ଶିଳ୍ପ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଭାଗ ଓ ଏହି ବିଭାଗରେ କ୍ୟାବିନେଟ ମନ୍ତ୍ରୀ ରହିବା ସ୍ୱାଭାବିକ ଏବଂ ପୂର୍ବରୁ ମଧ୍ୟ ରହୁଥିଲେ । ଏଥର କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଏ ବିଭାଗର ଯୁଗ୍ମ ଦାୟିତ୍ୱ ଦେଲେ ରାଷ୍ଟ୍ରମନ୍ତ୍ରୀ ଭାବରେ । ଦିବ୍ୟଶଙ୍କର ନା ନିଜେ ଶିଳ୍ପପତି ନା ଶିଳ୍ପରେ ତାଙ୍କର ଅଭିଜ୍ଞତା ଅଛି । ଏପରିକି ମନ୍ତ୍ରୀ ଭାବେ ବି ତାଙ୍କର ପୂର୍ବ ଅଭିଜ୍ଞତା ନାହିଁ । ଶିଳ୍ପ ସହ ତାଙ୍କୁ ଅଲଗା ବିଭାଗ ବି ଦିଆଯାଇଛି ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଶକ୍ତି ବିଭାଗ । ଯେଉଁଠି ପିଛା ଛାଡେନି ବିବାଦ । କୋଇଲା, ଜଳ ସବୁ ଥାଇ ବି ଓଡିଶା ଲୋକଙ୍କୁ ବିଜୁଳି ମିଳୁନି । ଘଂଟା ଘଂଟା ପାୱାରକଟ୍ ହେଉଛି । ଖୁଣ୍ଟି, ତାର ଠୁ ନେଇ ଏଭି ସୁଇଚ୍ ଯାଏ ସବୁ ପୁରୁଣା । ନା ନୂଆ ଆସୁଛି ନା କାମ ହେଉଛି । କେବଳ ମରାମତିରେ ଖସି ଯାଉଛି ବିଭାଗ । ଭାରତବର୍ଷରେ ପ୍ରଥମେ ଓଡିଶା ହିଁ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିଲା । ତଥାପି ଦିଲ୍ଲୀ ଠୁ ଅଧିକ ବିଜୁଳି ଦର ଓଡିଶାରେ । ଏ ବିଭାଗରେ ବି ପୂର୍ବରୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ରହୁଥିଲେ । କିନ୍ତୁ ଚଳିତ ଥର ନବୀନ ବାବୁ ଚାଲାକି କରି ରାଷ୍ଟ୍ରମନ୍ତ୍ରୀ ଭାବେ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟିତ୍ୱ ଦେଲେ । ତା ବି ଯୁଗ୍ମ ଦାୟିତ୍ୱ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଜଳସଂପଦ ବିଭାଗ । ଏ ବିଭାଗ ଏତେ ଗୁରୁତ୍ୱପୂର୍ଣ୍ଣ ଯେ, ମୁଖ୍ୟମନ୍ତ୍ରୀ ପ୍ରାୟ ୧୩/୧୪ ବର୍ଷ ଯାଏ କାହାକୁ ଏ ବିଭାଗ ଦେଲେ ନାହିଁ । ନିଜ ପାଖରେ ରଖିଲେ । ହଠାତ ୨୦୧୯ରେ ରାଷ୍ଟ୍ରମନ୍ତ୍ରୀ ଭାବେ ରଘୁନନ୍ଦନ ଦାସଙ୍କୁ ଏ ବିଭାଗ ଟେକିଦେଲେ । ସେ ବି ପ୍ରଥମ ଥର ଜିତିକି ଆସିଛନ୍ତି, ତାଙ୍କର ବି ଅଭିଜ୍ଞତା ନାହିଁ । ଜଳ ସଂପଦରେ ସର୍ବାଧିକ ବଜେଟ ହୁଏ । କାରଣ ସେଇଠି ହିଁ ବନ୍ଧ ବାଡ, କେନାଲ, ନଈ, ବନ୍ୟା ଇତ୍ୟାଦି ଦେଖାଇ କାମ ହୁଏ । ଆଉ କାମ କିଏ ଆଉ କେମିତି କରନ୍ତି ତାହା ସମସ୍ତେ ଜାଣନ୍ତି । ନଦୀ ପ୍ରଦୁଷିତ ହେଲେଣି । ନଦୀ ବନ୍ଧ ଦୁର୍ବଳ ହେଲାଣି । ତେଣୁ ଏସବୁକୁ ମ୍ୟାନେଜ କରିବା ଭଳି କ୍ୟାବିନେଟ ପାହ୍ୟା ମନ୍ତ୍ରୀ ରଖାଗଲା ନାହିଁ ।
ଏ ସବୁ ପଛର କାରଣ ହେଲା ପିସି ଗୋଟାଇବା । ନୁଆ ମନ୍ତ୍ରୀ ଦାୟିତ୍ୱରେ ରହିଲେ ବି ଅସଲ ଚାବିକାଠି ସଚିବ ବା ବ୍ୟୁରୋକ୍ରାଟଙ୍କ ହାତରେ ରହିବ । ନବୀନ ବାବୁଙ୍କର ଅତି ବିଶ୍ୱସ୍ତ ଓ ସାର୍ପ ସୁଟର ହେଉଛନ୍ତି ବାବୁ ମାନେ । ବ୍ୟୁରୋକ୍ରାଟ ବି ଜାଣିଛନ୍ତି କିଭଳି ଭାବେ ନବୀନ ବାବୁଙ୍କୁ ଚଳାଇ ହେବ ଓ ନବୀନ ବାବୁ ବି ସମାନ କଥା ଜାଣିଛନ୍ତି କେମିତି ସେମାନଙ୍କୁ ନେଇ କାମ କରିହେବ । ଫଳରେ ସବୁ କିଛି ଠିକଠାକ ଚାଲିବ ଆଉ କେହି ବଦନାମ ହେବେନି । କାରଣ ମନ୍ତ୍ରୀ ଉତ୍ତର ଦାୟୀ ହେଲେ ପ୍ରଭାବ ଦଳ ଉପରେ ପଡିବ । କିନ୍ତୁ ସଚିବ ଭୁଲ କଲେ ଚୁପଚାପ କଥା ଦବିଯିବ ନହେଲେ ବଦଳି କରିଗଲେ ଖେଳଖତମ ।
ଅବଶ୍ୟ ନବୀନ ବାବୁଙ୍କୁ ବିଶ୍ୱସ୍ତ ଓ ପାଖ ଲୋକ ସବୁ ଏ ବିଭାଗରେ ଥିବା କୁହାଯାଏ । ଯେମିତି ଦିବ୍ୟଶଙ୍କର ମିଶ୍ର ନାଁକୁ ମନ୍ତ୍ରୀ ହେଲେ ସବୁ ବୁଝୁଛନ୍ତି ପୁରୁଣା ମନ୍ତ୍ରୀ । ସଚିବ ହେମନ୍ତ ଶର୍ମା ବର୍ଷାଧିକ କାଳ ସେ ବିଭାଗରେ ରହିଛନ୍ତି, ବଦଳି ହେବାର ସମ୍ଭାବନା ବି ଦିଶୁନି । ଯେହେତୁ ରାଷ୍ଟ୍ରମନ୍ତ୍ରୀ କିଛି ବୁଝିବେ ନାହିଁ ତେଣୁ ପ୍ରକାରାନ୍ତରେ ସବୁ ବୁଝିବେ ବାବୁମାନେ । ଆଉ ସବୁ ତୃତୀୟ ମହଲା ଇସାରାରେ ଚାଲିବ । ଫଳରେ ପିସି ଆଦାୟରେ ଆଉ କେହି ବାଧାଦେଇ ପାରିବେ ନାହିଁ । ତେବେ ଆଗକୁ ଏ ଦୁଆର ଏମିତି ସାହାଣ ମେଲା ରହୁଛି ନା କିଏ ପହୁଡ ପକେଇ ପାରୁଛି ତାହା ସମୟ ହିଁ କହି ପାରିବ ।