ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଶିଷ୍ଟ ସୂଚନା ଅଧିକାର କର୍ମୀ ତଥା ‘ମୋ ଦଳ’ର ମହାସଚିବ ପ୍ରଦୀପ ପ୍ରଧାନଙ୍କୁ ଜାମିନ। ଭୁବନେଶ୍ୱର କୋର୍ଟ ଦୁଇଟି ଯାକ ମାମଲାରେ ଆଜି ତାଙ୍କୁ ଜାମିନ ଦେଇଛନ୍ତି। ଆସନ୍ତାକାଲି ସକାଳେ ସେ ଜେଲରୁ ମୁକୁଳିବେ ବୋଲି ସୂଚନା ମିଳିଛି।
ତେବେ ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ମିଥ୍ୟା ମାମଲା ରୁଜୁ ନେଇ ପୋଲିସର ଭୂମିକା ଉପରେ ମଧ୍ୟ ଆଙ୍ଗୁଳି ଉଠିଥିଲା। ଏହାକୁ ସାରା ରାଜ୍ୟରେ ସୂଚନା ଅଧିକାର କର୍ମୀମାନେ ବିରୋଧ କରି ତାଙ୍କର ମୁକ୍ତି ଦାବି କରିଥିଲେ।
ତେବେ ଗତ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ ପ୍ରଦୀପ ପ୍ରଧାନ ‘ମୋ ଦଳ’ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହାର ୧୨ ଘଣ୍ଟା ନ ପୂରୁଣୁ ମହିଳା ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା। ପ୍ରଥମେ ୨ ବର୍ଷ ପୁରୁଣା ଧାବିକା ଦୂତୀ ଚାନ୍ଦଙ୍କ ମାମଲାରେ ତାଙ୍କୁ ଗିରଫ କରିଥିବା ଦର୍ଶାଇଥିଲା। ଗିରଫଦାରୀର ୨ ଦିନ ପରେ କ୍ୟାପିଟାଲ ଥାନା ପୋଲିସ ୧୪ ଟି ଦଫା ସହ ଆଉ ଏକ ମାମଲା ମଧ୍ୟ ରୁଜୁ କରିଥିଲା। ତେବେ ସାମ୍ବାଦିକ ସମ୍ମିଳନୀ ପରେ ୨ ବର୍ଷ ପୁରୁଣା ମାମଲାରେ ପ୍ରଦୀପଙ୍କ ଗିରଫଦାରୀ ରାଜ୍ୟ ପୋଲିସର ମତି ଗତି ଉପରେ ପ୍ରଶ୍ନ ଚିହ୍ନ ଲାଗିଥିଲା।





