ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୁରୀ ଜିଲ୍ଲା ବଳଙ୍ଗା ଘଟଣାର ପୀଡ଼ିତାଙ୍କ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ଅଂଶ ପୋଡ଼ିଯାଇଥିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ବିଶେଷଜ୍ଞ ଡାକ୍ତରମାନଙ୍କର ୧୪ ଜଣିଆ ଟିମ୍ ଅହୋରାତ୍ର ଚେଷ୍ଟା କରିଥିଲେ, କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ଏ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଦୋଷୀ ଧରା ପଡ଼ିନାହାନ୍ତି |
ପୀଡିତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ | ଟ୍ୱିଟ କରି ଲେଖିଛନ୍ତି, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ସରକାରଙ୍କ ସମସ୍ତ ପ୍ରୟାସ ଏବଂ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ। ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି।
ତେବେ ଗତ ଜୁଲାଇ 19 ତାରିଖ ଦିନ ପୁରୀ ଜିଲ୍ଲା ନିମାପଡା ବଳଙ୍ଗା ଅଂଚଳରେ ଜଣେ ନାବାଳିକାଙ୍କୁ କିଛି ଦୁର୍ବୁତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ | ଏ ଘଟଣା ପଛର ସତ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନଥିବା ବେଳେ କୌଣସି ଦୋଷୀ ଧରାପଡ଼ିନାହାନ୍ତି |





