ଭୁବନେଶ୍ୱର: ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ଙ୍କ ବିବାଦ ଏବେ ଇଡି କାର୍ଯ୍ୟାଳୟରେ ପହଂଚିଛି । ବର୍ଷାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ଫେରାଦ ହୋଇଛନ୍ତି ଅନୁଭବ ମହାନ୍ତି । ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ତଥା କଳାଟଙ୍କା ରଖିଥିବାର ଅନୁଭବ ଅଭିଯୋଗ ଆଣିଛନ୍ତି ।

ସେପଟେ ଅନୁଭବଙ୍କ ଏଭଳି ଅଭିଯୋଗ ଉପରେ ବର୍ଷା ଏପର୍ଯ୍ୟନ୍ତ ମୁହଁ ଖୋଲିନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଜୁନ୍ ୭ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ୱରସ୍ଥିତ ଜୋନାଲ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଟିକସ ଫାଙ୍କିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ସରକାରୀ ଦସ୍ତାବିଜରେ ଭିନ୍ନ ଭିନ୍ନ ପରିଚୟ ଦେଇଥିବା ଅଭିଯୋଗ କରିଛନ୍ତି । ସାଂସଦ ଶ୍ରୀ ମହାନ୍ତି ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବିଭିନ୍ନ ସରକାରୀ ଦସ୍ତାବିଜରେ ଭର୍ଷା ପ୍ରିୟଦର୍ଶିନୀ ସାହୁ ଓରଫ ବର୍ଷା ପ୍ରିୟଦର୍ଶିନୀ ସାହୁ ଓରଫ ବର୍ଷା ପ୍ରିୟଦର୍ଶିନୀ ଓରଫ ଭର୍ଷା ପ୍ରିୟଦର୍ଶିନୀ ଭଳି ଏକାଧିକ ନାଁ ଉଲ୍ଲେଖ ରହିଛି । ତାଙ୍କ ଅଭିନେତ୍ରୀ ପତ୍ନୀଙ୍କ ନାଁ(ନେମ) , ମଝି ନାଁ(ମିଡିଲ ନେମ) ଓ ସାଙ୍ଗିଆ(ସରନେମ)ର ବନାନ୍ ମାଟ୍ରିକ ସାର୍ଟିଫିକେଟ୍ , ଜନ୍ମ ସାଟିଁଫିକେଟ୍ , ଆଧାର କାର୍ଡ, ପ୍ୟାନ୍ କାର୍ଡ , ପାସପୋର୍ଟ ଓ ବ୍ୟାଙ୍କ ପାସବୁକରେ ଭିନ୍ନ ଭିନ୍ନ ରହିଛି । ଆକ୍ସିସ୍ ବ୍ୟାଙ୍କରେ ବର୍ଷାଙ୍କର ଏକାଧିକ ବ୍ୟାଙ୍କ ଆକାଉଂଟ୍ ରହିଛି ଯେଉଁଥିରେ ତାଙ୍କ ନାଁ ର ବନାନ୍ ମଧ୍ୟ ଭିନ୍ନ ଭିନ୍ନ ରହିଛି । ଆକ୍ସିସ୍ ବ୍ୟାଙ୍କରେ ଗୋଟିଏ ଆକାଉଂଟରେ ତାଙ୍କ ନାଁର ବନାନ ଅତିକମରେ ୫-୬ଥର ପରିବର୍ତ୍ତନ ହୋଇଛି । ସାଂସଦ ଶ୍ରୀ ମହାନ୍ତି ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସମ୍ଭବତଃ ତାଙ୍କ ପତ୍ନୀ ବିଭିନ୍ନ ସୋତ୍ରରୁ ଉପାର୍ଜନ ଉପରେ ଟିକସ ଫାଙ୍କିବା ପାଇଁ ଅବା କମ୍ ପରିମାଣର ଟିକସ ଦେବା ନିମନ୍ତେ ଏଭଳି ଏକାଧିକ ପରିଚୟର ସରକାରୀ ଦସ୍ତାବିଜ ରଖିଥାଇ ପାରନ୍ତି । ଏପରିକି ତାଙ୍କ ପତ୍ନୀ ଏପର୍ଯ୍ୟନ୍ତ ଜୀବନକାଳ ଭିତରେ ଆୟକର ଦାଖଲ କରିଛନ୍ତି କି ନାହିଁ ଅନୁଭବ ପ୍ରଶ୍ନ ଉଠାଇଛନ୍ତି ।