ଟି-ଟ୍ୱେଣ୍ଟି କୋଚ୍ ହେବାକୁ ଅଫର୍ ଦେଲା ବିସିସିଆଇ, ମନା କରିଦେଲେ ନେହେରା!

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତକାଲି ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାଭିଡ ଓ ସପୋର୍ଟ ଷ୍ଟାଫଙ୍କ ଚୁକ୍ତିକୁ ବୃଦ୍ଧି କରିଛି ବିସିସିଆଇ। ବିଶ୍ୱକପ୍‌ କ୍ରିକେଟ ୨୦୨୩ର ସମାପ୍ତି ସହିତ ସେମାନଙ୍କ ଚୁକ୍ତି ମଧ୍ୟ ଶେଷ ହୋଇଯାଇଥିଲା। ରାହୁଲ ଦ୍ରାଭିଡ ଆଉ ମୁଖ୍ୟ କୋଚ୍ ଦାୟିତ୍ୱରେ ରହିବାକୁ ଆଗ୍ରହୀ ନଥିବା ତଥା ବିସିସିଆଇ ନୂଆ କୋଚ୍ ଖୋଜୁଥିବା ଖବର ଆସିଥିଲା। ତେବେ ରାହୁଲ ଦ୍ରାଭିଡ ଓ ସପୋର୍ଟ ଷ୍ଟାଫ୍‌ଙ୍କ ଚୁକ୍ତି ବୃଦ୍ଧି ନେଇ ଗତକାଲି ଘୋଷଣା କରିଥିଲା ବିସିସିଆଇ। କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ଏହି ଚୁକ୍ତିକୁ ବୃଦ୍ଧି କରାଯାଇଛି, ତାହା ଜଣାପଡ଼ିନାହିଁ।

ତେବେ ସୂଚନା ଅନୁଶାରେ, ଟିଟ୍ୱେଣ୍ଟି ବିଶ୍ୱ କପ୍ ୨୦୨୪ ଶେଷ ହେବା ପର୍ଯ୍ୟନ୍ତ ରାହୁଲ ଦ୍ରାଭିଡ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ରହିବେ। ତା’ପରେ ସେ ପୁଣି ଉକ୍ତ ପଦରେ ରହିବେ ନା ନୂଆ ମୁଖ୍ୟ କୋଚ୍ ନିଯୁକ୍ତ ହେବେ, ସେ ସଂପର୍କରେ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ କିଛି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦ୍ରାଭିଡଙ୍କ ଚୁକ୍ତିକୁ ବୃଦ୍ଧି କରିବା ପୂର୍ବରୁ ବିସିସିଆଇ ଟିମ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହରାଙ୍କୁ ଟି-ଟ୍ୱେଣ୍ଟି ଫର୍ମାଟ୍ ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ନେହରା ମନା କରି ଦେଇଥିଲେ।

ଆଶିଷ ନେହରା ଏବେ ଆଇପିଏଲ୍ ଟିମ୍ ଗୁଜରାଟ ଟାଇଟନ୍ସର କୋଚ୍ ଅଛନ୍ତି। ଏଥିପାଇଁ ସେ ୨୦୨୫ ପର୍ଯ୍ୟନ୍ତ ଚୁକ୍ତି କରିଛନ୍ତି। ଏହି ଚୁକ୍ତିକୁ ସେ ସମ୍ମାନ ଦେବାକୁ ଚାହାନ୍ତି। ତେଣୁ ଏହି ଚୁକ୍ତି ଶେଷ ହେବା ପୂର୍ବରୁ ସେ ଅନ୍ୟ କୌଣସି ଦାୟିତ୍ୱ ନେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ସେହିଭଳି ଏବେ ସେ ଅଧିକରୁ ଅଧିକ ସମୟ ତାଙ୍କ ପରିବାରକୁ ଦେବାକୁ ଚାହୁଁଛନ୍ତି। ଗୁଜରାଟ ଟାଇଟନ୍ସର କୋଚ୍ ଭାବେ ତାଙ୍କୁ ଦୁଇ ଅଢ଼େଇ ମାସ ପରିଶ୍ରମ କରିବାକୁ ପଡ଼େ। କିନ୍ତୁ ଟିମ୍ ଇଣ୍ଡିଆର କୋଚ୍ ହେଲେ ସେ ଘର ପାଇଁ ଅଧିକ ସମୟ ଦେଇ ପାରିବେ ନାହିଁ। ତାଙ୍କୁ ଅଧିକ ସମୟ ଟିମ୍‌ ସହିତ ରହିବାକୁ ପଡ଼ିବ ଓ ମ୍ୟାଚ୍ ପାଇଁ ବିଭିନ୍ନ ସ୍ଥାନକୁ ଗସ୍ତ କରିବାକୁ ପଡ଼ିବ ବୋଲି ସେ ବିସିସିଆଇକୁ କହିଥିବା ଜଣାପଡିଛି।

Related Posts