ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ମାଡ଼; ବିଜେପି ବିଧାୟକ ମୋହନ, ମୁକେଶ ସସ୍‌ପେଣ୍ଡ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ । ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା ପରେ ବିଜେପି ସଦସ୍ୟ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡ଼ାଲି ମାଡ଼ କରିଥିବାର ସୂଚନା ମଳିଛି । ବିରୋଧୀ ଦଳ ନେତାଙ୍କ ପାଇଁ ମେଣ୍ଟାଲ ଡିଜଅର୍ଡର ଶବ୍ଦ ବ୍ୟବହାର କରିଥିଲେ ବିଜେଡି ବିଧାୟକ ଅରୁଣ ସାହୁ | ଏହାକୁ ଗୃହ ବିବରଣୀରୁ ବାଦ ଦେବାକୁ ଦାବି କରିଥିଲେ ବିଜେପି ବିଧାୟକ |

ହୋହାଲ୍ଲା ପରେ ଦୁଇ ବିଜେପି ବିଧାୟକ ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡ଼ିୟମକୁ ଫିଙ୍ଗିଥିଲେ । ଏନେଇ ଦୁହିଁଙ୍କୁ ବିଧାନସଭାରୁ ସସ୍‌ପେଣ୍ଡ କରାଯାଇଛି । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଏଭଳି ଘଟଣା ପରେ ଗୃହକୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ବିରୋଧୀ ଦଳ ନେତାଙ୍କୁ ସେମାନେ ମେଣ୍ଟାଲ ଡିଜ୍‌ଅର୍ଡର କହିଲେ । ଏହାକୁ ବିବରଣୀରୁ ବାଦ୍‌ ଦେବାକୁ କହିଲୁ, ବାଚସ୍ପତି ଗ୍ରହଣ କଲେନି । ବାଚସ୍ପତି ନିରପେକ୍ଷ ନୁହଁନ୍ତି, ତାଙ୍କ ନିରପେକ୍ଷତା ଆମେ ଦେଖିପାରୁନୁ । ବାଚସ୍ପତି ଦଳର କର୍ମକର୍ତ୍ତା ଭଳି ଆଚରଣ କରୁଛନ୍ତି । ବାଚସ୍ପତି ନିଜେ ସସ୍‌ପେଣ୍ଡ ହେବା କଥା, ସେ କଣ ସସ୍‌ପେଣ୍ଡ କରୁଛନ୍ତି । ଏ ସସ୍‌ପେଣ୍ଡକୁ ଆମେ ଭ୍ରୁକ୍ଷେପ କରୁନୁ, ଆମ ପ୍ରତିବାଦ ଜାରି ରହିବ’ ।

Related Posts