ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗୋଟିଏ ଦଳରୁ ଜଣେ ବିଧାୟକ ଓ ଆଉ ଜଣେ ସାଂସଦ, କିନ୍ତୁ କେହି କାହା ଛାଇ ମାଡ଼ୁନଥିଲେ। ଜିଲ୍ଲା ସଭାପତି ବଦଳିବାକୁ ନେଇ ଦୁଇ ନେତାଙ୍କ ଶିବିର ମଧ୍ୟରେ ଚାଲିଥିଲା ବୟାନବାଜି। ଜୟପୁରର କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ପଦରୁ ହଟାଇବାକୁ ନେଇ ଉଭୟ ତାରା ଓ ସାଂସଦ ସପ୍ତଗିରି ଉଲାକାଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ | ଗତ ପଂଚାୟତ ଓ ପୌର ନିର୍ବାଚନରେ ମିନାକ୍ଷୀଙ୍କ ନେତୃତ୍ୱରେ କୋରାପୁଟରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ତାଙ୍କୁ ପଦରୁ କାହିଁକି ହଟାଗଲା ବୋଲି ପ୍ରଶ୍ନ କରି ସେତେବେଳେ ବର୍ଷିଥିଲେ ତାରା | ଦିଲ୍ଲୀ ଯାଇ ଦଳର ଶୀର୍ଷ ନେତୃତ୍ୱଙ୍କୁ ଭେଟି ମିନାକ୍ଷୀଙ୍କୁ ହଟାଇବା ପଛରେ ସାଂସଦ ସପ୍ତଗିରିଙ୍କ ହାତ ଥିବା ଅଭିଯୋଗ କରିଥିଲେ |
ମିନାକ୍ଷୀଙ୍କ ସ୍ଥାନରେ ସପ୍ତଗିରି ନିଜ ସମର୍ଥକ ଦୁର୍ଗା ଶଙ୍କର ସାହୁଙ୍କୁ ଜିଲ୍ଲା ସଭାପତି କରାଇଥିବା ତାରାଙ୍କ ଗୋଷ୍ଠୀ ଅଭିଯୋଗ କରିଥିଲେ | ଏହା ପରଠାରୁ ସପ୍ତଗିରିଙ୍କ କୋରାପୁଟ ଗସ୍ତ ସମୟରେ ଉଭୟ ନେତାଙ୍କୁ କେଉଁଠି ବି ଏକାଠି ଦେଖିବାକୁ ମିଳିନଥିଲା। ସରକାରୀ ସମୀକ୍ଷା ବୈଠକରେ ଉପସ୍ଥିତ ରହୁଥିଲେ ମଧ୍ୟ ପରସ୍ପର କଥା ହେଉନଥିଲେ। ହେଲେ ଶୁକ୍ରବାର ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ‘ପରବ’ର ଉଦ୍ଘାଟନୀ ମଞ୍ଚରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ | ନେତା, ଜନତା, ପ୍ରଶାସନିକ ଅଧିକାରୀଙ୍କ ସମ୍ମୁଖରେ ଉଭୟ ତାରା ଓ ସପ୍ତଗିରି କୋଳାକୋଳି ହେଉଥିବା ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଏହି କାର୍ଯ୍ୟକ୍ରମରେ ତାରା ଓ ସପ୍ତଗିରି କୋଳାକୋଳି ହେବା ସହିତ ସାଙ୍ଗ ହୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ନାଚୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି |
ତେବେ ତାରା-ସପ୍ତଗିରି କଳି ଯୋଗୁଁ ଆଗାମୀ ନିର୍ବାଚନରେ ଉଭୟଙ୍କୁ କ୍ଷତି ସହିବାକୁ ପଡିବ ବୋଲି ଚର୍ଚ୍ଚା ହେଉଥିଲା। ଉଭୟଙ୍କ କଳିର ଫାଇଦା ନେବାକୁ ବିରୋଧୀ ବିଜେଡି ଓ ବିଜେପି ମଧ୍ୟ ଚାହିଁ ରହିଥିଲେ | କୁହାଯାଉଛି ୨୪ ନିର୍ବାଚନ ପୂର୍ବରୁ ଏଭଳି ସ୍ଥିତିକୁ ଦେଖି ଉଭୟ ତାରା ଓ ସପ୍ତଗିରି ଏବେ ଫାଟରେ ପ୍ୟାଚ ପକାଇଛନ୍ତି ଆଉ ମାଧ୍ୟମ ସାଜିଛି ପରବ ମଞ୍ଚ |





