ଦଳକୁ ଧୋକା? ସୁବାସିନୀ ଜେନାଙ୍କ ବିରୋଧରେ ରାସ୍ତାରେ ବିଜେଡି ମହିଳା ସେନା

ଭୁବନେଶ୍ୱର, ୧୯ ମାର୍ଚ୍ଚ:ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗକୁ କେନ୍ଦ୍ର କରି ବିଜୁ ଜନତା ଦଳରେ ରାଜନୈତିକ ତଣାତଣି ଚରମ ସୀମାକୁ ପହଞ୍ଚିଛି। ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ବିରୋଧରେ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଲା।ବିଜେବି ନଗର ସ୍ଥିତ ଜେନାଙ୍କ ବାସଭବନ ସମ୍ମୁଖରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଶତାଧିକ ମହିଳା କର୍ମୀ ଯୋଗଦେଇ ତାଙ୍କ ବିରୋଧରେ ଜୋରଦାର ସ୍ଲୋଗାନ ଦେଇଥିଲେ। ଦଳ ବିରୋଧୀ କାର୍ଯ୍ୟ ଓ ନେତୃତ୍ୱ ପ୍ରତି ବିଶ୍ୱାସଘାତକତା କରିଥିବା ଅଭିଯୋଗରେ ସେମାନେ କଡ଼ା ନିନ୍ଦା କରିଥିଲେ।ପ୍ରତିବାଦର ନେତୃତ୍ୱ ନେଇଥିବା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ସୁବାସିନୀ ଜେନା ଦଳର ଆଶୀର୍ବାଦରେ ବିଧାୟିକା ହୋଇଥିବା ସତ୍ତ୍ୱେ ଶେଷ ମୁହୂର୍ତ୍ତରେ କ୍ରସ୍‌ ଭୋଟିଂ କରି ଦଳକୁ ଧୋକା ଦେଇଛନ୍ତି। ଏହା କେବଳ ଦଳ ବିରୋଧୀ ନୁହେଁ, ବରଂ ନେତୃତ୍ୱ ପ୍ରତି ଏକ ବଡ଼ ବିଶ୍ୱାସଘାତକତା ବୋଲି ସେ କହିଥିଲେ।ସେ ଆହୁରି ଅଭିଯୋଗ କରିଥିଲେ ଯେ, ଅର୍ଥଲୋଭରେ ଏହି କାର୍ଯ୍ୟ ଘଟିଥିବା ସନ୍ଦେହ ରହିଛି। ଯଦି ସୁବାସିନୀ ଜେନାଙ୍କ ନୈତିକ ସାହସ ରହିଛି, ସେ ତୁରନ୍ତ ବିଧାୟିକା ପଦରୁ ପଦତ୍ୟାଗ କରିବାକୁ ଆହ୍ୱାନ ଜଣାଇଥିଲେ।ଏହି ପ୍ରତିବାଦରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ସହ ବହୁ କର୍ପୋରେଟର ଓ ବରିଷ୍ଠ ନେତ୍ରୀମାନେ ଯୋଗଦେଇଥିଲେ।ଦଳ ଭିତରେ ଏହି ଘଟଣା ନୂଆ ରାଜନୈତିକ ଚର୍ଚ୍ଚାକୁ ଜନ୍ମ ଦେଇଥିବା ବେଳେ, ଆଗାମୀ ଦିନରେ ଏହା କେମିତି ରୂପ ନେବ ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।

Related Posts