ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲା କ’ଣ ? ମିସେଲ୍‌ଙ୍କ ପ୍ରତ୍ୟର୍ପଣକୁ କାହିଁକି କୁହାଯାଉଛି ମୋଦି ସରକାରଙ୍କ ପାଇଁ ବଡ଼ ସଫଳତା ?

ବହୁଚର୍ଚ୍ଚିତ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ମଙ୍ଗଳବାର ଦୁବାଇରୁ ବ୍ରିଟିଶ୍‌ ନାଗରିକ ଖ୍ରୀଷ୍ଟିଆନ୍‌ ମିସେଲ୍‌ଙ୍କୁ ପ୍ରତ୍ୟର୍ପଣ କରି ଭାରତ ଅଣାଯାଇଛି । ୟୁପିଏ ସରକାର ସମୟରେ ହେଲିକପ୍ଟର କିଣିବା ପାଇଁ ହୋଇଥିବା ଡିଲ୍‌ରେ ମିସେଲ୍‌ ମଧ୍ୟସ୍ଥ ହୋଇଥିବା ଅଭିଯୋଗ ରହିଛି । ତେବେ ଏହି ପୁରା ମାମଲା କ’ଣ, ଆଉ କାହିଁକି ମିସେଲଙ୍କ ପ୍ରତ୍ୟର୍ପଣକୁ ମୋଦି ସରକାରଙ୍କ ଏକ ବଡ଼ ସଫଳତା ବୋଲି କୁହାଯାଉଛି ?

ଅପରେସ୍‌ନ ୟୁନିକର୍ଣ୍ଣ

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଡିଲ୍‌ରେ ମଧ୍ୟସ୍ଥିର ଭୂମିକା ତୁଲାଇଥିବା ବ୍ରିଟିଶ୍‌ ନାଗରିକ ଖ୍ରୀଷ୍ଟିଆନ୍‌ ମିସେଲ୍‌କୁ ସିବିଆଇର ଟିମ୍‌ ମଙ୍ଗଳବାର ସଂଧ୍ୟାରେ ଆଣି ଦିଲ୍ଲୀରେ ପହଞ୍ଚିଲେ । ଏହି ପୁରା ଅପରେସନ୍‌କୁ ଅତ୍ୟନ୍ତ ଗୁପ୍ତ ଭାବେ କାର୍ଯ୍ୟକାରୀ କରାଯାଇଥିଲା ।

ଯାହାର ନେତୃତ୍ବ ନେଉଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ । ଅପରେସନ୍‌କୁ ନାଁ ଦିଆଯାଇଥିଲା ଅପରେସନ୍‌ ୟୁନିକର୍ଣ୍ଣ । ଏହି ଅପରେସନ୍‌କୁ ସଫଳ କରିବାରେ ଇଣ୍ଟରପୋଲ୍‌ ଓ ସିଆଇଡି ସାହାଯ୍ୟ କଲେ ।

ସିବିଆଇର ପ୍ରଭାରୀ ନିର୍ଦ୍ଦେଶକ ନାଗେଶ୍ବର ରାଓ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଲେ । ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ନିଜେ ଖ୍ରୀଷ୍ଟିଆନ୍‌ ମିସେଲଙ୍କୁ ଆଣିବାକୁ ଦୁବାଇ ଯାଇଥିଲେ ।

ମୋଦି ସରକାରଙ୍କ ପାଇଁ ବଡ଼ ସଫଳତା

ମଧ୍ୟସ୍ଥି ଖ୍ରୀଷ୍ଟିଆନ୍‌ ମିସେଲ୍‌ଙ୍କର ପ୍ରତ୍ୟର୍ପଣକୁ ମୋଦି ସରକାରଙ୍କର ଏ ଯାଏଁ ସବୁଠାରୁ ବଡ଼ କୂଟନୈତିକ ସଫଳତା ବୋଲି କୁହାଯାଉଛି । ଏହି ଡିଲ୍‌ ୟୁପିଏ ସରକାର ଅମଳରେ ହୋଇଥିବାରୁ 2019 ନିର୍ବାଚନ ପୂର୍ବରୁ କଂଗ୍ରେସ ବିରୋଧରେ ଏହା ମୋଦି ସରକାରଙ୍କୁ ବଡ଼ ଅସ୍ତ୍ର ମିଳିଯାଇଥିବା କୁହାଯାଉଛି । ମିସେଲ୍‌ଙ୍କୁ 5 ଦିନିଆ ରିମାଣ୍ଡରେ ନେଇ ସିବିଆଇ ପଚରାଉଚୁରା ଆରମ୍ଭ କରିଛି ।

ମିସେଲ୍‌ ବହୁ ଗୁରୁତ୍ବପୂର୍ଣ୍ଣ ଖୁଲାସା କରିବେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଏହାକୁ ନେଇ ମୋଦି ଓ ଅମିତ୍‌ ଶାହା ଏବେଠାରୁ କଂଗ୍ରେସ ଉପରେ ଆକ୍ରମଣ ଜାରି ରଖିଛନ୍ତି । କିନ୍ତୁ କଂଗ୍ରେସ ଏଥିରୁ ନିଜକୁ ଦୂରେଇ ରଖିଛି ।

ମିସେଲ୍‌ ଖୋଲିବେ ‘ଅଗଷ୍ଟା’ ରହସ୍ୟ !

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ମିସେଲ୍‌ଙ୍କ ପ୍ରତ୍ୟର୍ପଣ ଏବଂ ପଚରାଉଚୁରାରେ ଏହି ଡିଲ୍‌ର ପୁରା ସତ ସାମ୍ନାକୁ ଆସିପାରେ ।
2007ରେ ୟୁପିଏ ସରକାର ସମୟରେ 12ଟି VVIP ହେଲିକପ୍ଟର କିଣିବାକୁ ଚୁକ୍ତି ହୋଇଥିଲା । 12ଟି ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ପାଇଁ 3600 କୋଟି ଟଙ୍କାର ଡିଲ୍‌ ହୋଇଥିଲା ।

2010 ଫେବ୍ରୁୟାରୀ 8ରେ ପ୍ରତିରକ୍ଷା ମନ୍ତ୍ରାଳୟ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଇଣ୍ଟରନ୍ୟାସନାଲ୍‌ ଲିମିଟେଡ୍‌କୁ 55.62 କୋଟି ୟୁରୋରେ ଠିକା ଦେଇଥିଲା । ଏହି ଡିଲ୍‌କୁ ସଫଳ କରିବାକୁ ମିସେଲ୍‌ଙ୍କୁ ପ୍ରାୟ 225 କୋଟି ଟଙ୍କା ଦେଇଥିଲା ଅଗଷ୍ଟା କମ୍ପାନୀ । ହେଲିକପ୍ଟରର ଉଡ଼ାଣ କ୍ଷମତା 6,000 ମିଟର ଉଚ୍ଚତାରୁ କମାଇ 4,500 ମିଟର କରିବାକୁ ଲାଞ୍ଚ ଦିଆଯାଇଥିବା ଅଭିଯୋଗ ରହିଛି ।

ସରକାରୀ କଳର ଦୁରୁପଯୋଗ ଓ ଲାଞ୍ଚ ଅଭିଯୋଗ ପରେ 2014 ଜାନୁୟାରୀ 1 ତାରିଖରେ ଡିଲ୍‌କୁ ରଦ୍ଦ କରିଦିଆଯାଇଥିଲା । ଏହି ମାମଲାରେ 2016ରେ ବାୟୁସେନାର ପୂର୍ବତନ ମୁଖ୍ୟ ଏସ୍‌.ପି ତ୍ୟାଗୀଙ୍କୁ ଗିରଫ କରାଯାଇଥିଲା ।

2015 ନଭେମ୍ବର 25ରେ ମିସେଲ୍‌ଙ୍କ ବିରୋଧରେ ଇଣ୍ଟରପୋଲ୍‌ ନୋଟିସ୍‌ ଜାରି କରିଥିଲା । 2017 ଫେବ୍ରୁୟାରୀରେ ମିସେଲ୍‌ଙ୍କୁ ଦୁବାଇରେ ଗିରଫ କରାଯାଇଥିଲା । 2017 ମାର୍ଚ୍ଚ 19ରେ ଭାରତ ମିସେଲ୍‌ଙ୍କୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଥିଲା ।

ଏହି ଡିଲ୍‌ରେ ପ୍ରାୟ 2,666 କୋଟି ଟଙ୍କାର କ୍ଷତି ହୋଇଥିବା ଆଶଙ୍କା ପ୍ରକାଶ କରିଥିଲେ ସିବିଆଇ ଓ ଇଡି । ଦୁବାଇରେ ଗିରଫ ହେବା ପରେ ଭାରତ, ମିସେଲ୍‌ଙ୍କର ପ୍ରତ୍ୟର୍ପଣ ଉଦ୍ୟମରେ ଲାଗିଥିଲା । ଯେଉଁଥିରେ ଶେଷରେ ଭାରତକୁ ସଫଳତା ମିଳିଲା ।

Related Posts