ଭୁବନେଶ୍ୱର:ରାଜ୍ୟସଭା ନିର୍ବାଚନକୁ କେନ୍ଦ୍ର କରି ବିଜୁ ଜନତା ଦଳ ଭିତରେ ଦଳୀୟ ଟଣାଟଣି ଚରମ ସୀମାକୁ ପହଞ୍ଚିଛି। ଦଳର ୬ ଜଣ ବିଧାୟକ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍କୁ କଡା ଭାବରେ ଉତ୍ତର ଦେଇଥିବା ବେଳେ, ଏହାକୁ ଆଇନ ବିରୋଧୀ ବୋଲି ଅଭିଯୋଗ କରିଛନ୍ତି।ବିଧାୟକମାନେ ତାଙ୍କ ଉତ୍ତରରେ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ବିପ୍ ପ୍ରୟୋଗ ହୋଇନଥାଏ। ସେମାନଙ୍କ କହିବା ଅନୁଯାୟୀ, ହ୍ବିପ୍ ଜାରି କରିବା ମାଧ୍ୟମରେ ମୁଖ୍ୟ ସଚେତକ ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଦେଶନାମା ଏବଂ ସୁପ୍ରିମକୋର୍ଟଙ୍କ ରାୟକୁ ଉଲ୍ଲଙ୍ଘନ କରିଛନ୍ତି।ଏହାସହିତ, ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ କାହାକୁ ଭୋଟ୍ ଦେବାକୁ କହିବା କିମ୍ବା ଭୋଟ୍ ଦେବାରୁ ବିରତ ରହିବାକୁ ଚାପ ପକାଇବା ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ। ସେମାନେ ଏହାକୁ BNS-୧୭୧ ଅନୁଯାୟୀ ଗୁରୁତର ଅପରାଧ ବୋଲି ଉଲ୍ଲେଖ କରି, ବର୍ଷେ ଜେଲ୍ ଶିକ୍ଷା ପର୍ଯ୍ୟନ୍ତ ପ୍ରାବଧାନ ରହିଥିବାକୁ ଦର୍ଶାଇଛନ୍ତି।ଏହି ପରିସ୍ଥିତିରେ ୬ ବିଧାୟକ ପ୍ରମିଳା ମଲ୍ଲିକଙ୍କୁ ସିଧାସଳଖ ଚେତାବନୀ ଦେଇ କହିଛନ୍ତି ଯେ, ତୁରନ୍ତ କାରଣ ଦର୍ଶାଅ ନୋଟିସ୍ ପ୍ରତ୍ୟାହାର କରାଯାଉ। ନଚେତ୍ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ।ରାଜ୍ୟସଭା ନିର୍ବାଚନ ପରେ ଦଳ ଭିତରେ ଏପରି ପ୍ରକାଶ୍ୟ ବିରୋଧ ଦେଖାଯିବା ରାଜନୈତିକ ମଞ୍ଚରେ ଚର୍ଚ୍ଚାର ବିଷୟ ହୋଇଛି। ଏହା ଆଗାମୀ ଦିନରେ ବିଜେଡିର ଆନ୍ତରିକ ସଂଗଠନ ଉପରେ କିପରି ପ୍ରଭାବ ପକାଏ, ସେଥିପାଇଁ ସମସ୍ତଙ୍କ ନଜର।





