ଭୁବନେଶ୍ୱର,୧୭/୨(ସତ୍ୟପାଠ ବ୍ୟୁରୋ): ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ପ୍ରୟାସକାନ୍ତି ସାମଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ାଉ ପରେ ଆଜି ଉଭୟକୁ ସମନ ଜାରି ହୋଇଛି। ସେପଟେ ରେଡ୍ ପରଠାରୁ ଏହି ପ୍ରସଙ୍ଗରେ ମୁହଁ ବନ୍ଦ୍ ରଖିଥିବା ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ଟିମ୍ ପ୍ରଫୁଲ୍ଲ ସାମଲଙ୍କୁ ଭେଟିଛି।
ଶ୍ରୀ ସାମଲ ବିଜେଡ଼ିର ଜଣେ ବରିଷ୍ଠ ବିଧାୟକ ହୋଇଥିବା ବେଳେ ତାଙ୍କର ଏଭଳି ସମୟରେ ଦଳ ସମ୍ପୂର୍ଣ୍ଣ ଚୁପ୍ ରହିଛି। ଆଜି ବିଜେଡ଼ି ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କୁ ଭେଟିଥିବା ବେଳେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କୁହାଯାଉଛି।
ସେପଟେ ପ୍ରଫୁଳଙ୍କୁ ତାଙ୍କ ଭଦ୍ରକ ବାସଭବନରେ ଜିଲ୍ଲା ବିଜୁ ଜନତା ଦଳର ଶୀର୍ଷ ନେତୃମଣ୍ଡଳୀ ଭେଟି ସାଙ୍ଗଠନିକ ବିଷୟରେ ଆଲୋଚନା କରିଥିବା ନିଜ ସୋସିଆଲ ମିଡିଆ ହ୍ୟଣ୍ଡେଲରେ ସୂଚନା ଦେଇଛନ୍ତି ସଞ୍ଜୟ ଦାସବର୍ମା। ଏହି ଅବସରରେ ଶ୍ରୀ ଦାସବର୍ମାଙ୍କ ସହ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ବିଜେଡ଼ିର ଅନ୍ୟ କର୍ମକର୍ତ୍ତା ଉପସ୍ଥିତଥିଲେ। ହେଲେ ପ୍ରଫୁଲ୍ଲଙ୍କ ଘରେ ରେଡ୍ ଓ ତାଙ୍କୁ ସମନ୍ ନେଇ ଦଳ ପକ୍ଷରୁ ଏପର୍ଯ୍ୟନ୍ତ କେହି ମୁହଁ ଖୋଲିନାହାନ୍ତି।
ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ କରିଥିଲା ଓ ଆଜି ତାଙ୍କୁ ସମନ ଜାରି କରିଛି। ଅନ୍ୟପଟେ ରେଡ୍ ପରଠାରୁ ଏପର୍ଯ୍ୟନ୍ତ ବିଜୁ ଜନତା ଦଳ ଏନେଇ ପୁରା ଚୁପ୍ ରହିଛି।





