ମହାରାଷ୍ଟ୍ର ସରକାରଙ୍କୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ : “ରାଜନେତା ଓ ସେଲିବ୍ରେଟୀ ମାନେ କୋଭିଡ୍ ପାଇଁ ଆବଶ୍ୟକୀୟ ମେଡିସିନ କେଉଁଠୁ ଆଣୁଛନ୍ତି ତଦନ୍ତ କର “

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ କୋଭିଡ୍ ପାଇଁ ଆବଶ୍ୟକୀୟ ଜରୁରୀ ମେଡିସିନ ଏବଂ ଇଞ୍ଜେକ୍ସନର ଘୋର ଅଭାବ ଦେଖାଦେଉଥିବା ବେଳେ କିଛି ରାଜନେତା ଏବଂ ସେଲିବ୍ରେଟୀ ମାନେ ଏତେ ପରିମାଣର ଔଷଧ ଏବଂ ଇଞ୍ଜେକ୍ସନ କେଉଁଠୁ ଆଣୁଛନ୍ତି। ଏ ନେଇ ତଦନ୍ତ କରିବାକୁ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର ଏହାର ପରିଚାଳନା କରୁଛନ୍ତି ଏବଂ ରାଜ୍ୟ ମାନଙ୍କୁ ବାଣ୍ଟୁଛନ୍ତି। ଅଦାଲତ କହିଛନ୍ତି ଯେ ସେମାନଙ୍କର ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ମହତ୍ ଉଦ୍ଦେଶ୍ୟ ଥାଇପାରେ କିନ୍ତୁ ରାଜ୍ୟ ସରକାରଙ୍କ ଅଜାଣତରେ ତଥା ବେଆଇନ୍ ଭାବେ ମେଡିସିନ କିଣିବାର କୌଣସି ଅଧିକାରୀ ନାହିଁ। ଜଷ୍ଟିସ ଏଏ ସୟଦ ଏବଂ ଜଷ୍ଟିସ ଗିରିଶ ଏସ କୁଲକର୍ନିଙ୍କ ଏକ ଡିଭିଜନ ବେଞ୍ଚ ଗୁରୁବାର ଦିନ ମହାରାଷ୍ଟ୍ରରେ କୋଭିଡ -19 ପରିଚାଳନାକୁ ନେଇ ଏକ ଅଭିଯୋଗର ଶୁଣାଣି କରୁଥିବା ବେଳେ ରିମେଡେସିଭର୍ ଏବଂ ମେଡିକାଲ ଅମ୍ଳଜାନ ଯୋଗାଣର ଅଭାବକୁ ନେଇ ଅଦାଲତ ମହାରାଷ୍ଟ୍ର ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଜରୁରୀ ମେଡିସିନର ବ୍ଲାକ୍ ମାର୍କେଟିଂ ରୋକିବା ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ ଜେନେରାଲ ଅଶୁତୋଷ କୁମ୍ବକୋନି କୋର୍ଟରେ ସୂଚନା ଦେଇଛନ୍ତି ଯେ ଡ୍ରଗ୍ସ ଇନ୍ସପେକ୍ଟର ଅଭିନେତା ସୋନୁ ସୁଦଙ୍କ ଚାରିଟି ଫାଉଣ୍ଡେସନ, ମୁମ୍ବାଇର କଂଗ୍ରେସ ବିଧାୟକ ଜିଶାନ ସିଦ୍ଦିକ ଏବଂ ମେଡିସିନ କିଣିବା ସହ ଜଡିତ ଥିବା ଅନ୍ୟ କେତେକଙ୍କୁ ନୋଟିସ୍ ଜାରି କରିଛନ୍ତି। ଆଡଭୋକେଟ ଜେନେରାଲ କହିଛନ୍ତି ଯେ ଏ ନେଇ ତଦନ୍ତ ଚାଲିଛି ଏବଂ ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ କୋର୍ଟରେ ରିପୋର୍ଟ ଦାଖଲ କରାଯିବ । କୁମ୍ବକୋନି କହିଛନ୍ତି ଯେ ଡ୍ରଗ୍ ଇନ୍ସପେକ୍ଟରଙ୍କୁ ଦେଇଥିବା ଉତ୍ତର ଅନୁଯାୟୀ ଅଭିନେତା ସୋନୁ ସୁଦ୍ ଏବଂ ବିଧାୟକ ସିଦ୍ଦିକ ଔଷଧ ଏବଂ ଇଞ୍ଜେକ୍ସନ କିଣି ନାହାଁନ୍ତି କି ଜରୁରୀ ମେଡିସିନର ଷ୍ଟକ୍ ରଖି ନାହାନ୍ତି। ସେମାନେ କେବଳ ଜଣେ “ସାହାଯ୍ୟକାରୀ” ଭାବରେ କାର୍ଯ୍ୟ କରିଛନ୍ତି ବୋଲି ଦାବି କରିଛନ୍ତି। ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ କୋର୍ଟରେ କହିଛନ୍ତି ଯେ କେନ୍ଦ୍ର ସରକାର ଉତ୍ପାଦନକାରୀ କମ୍ପାନୀ ମାନଙ୍କୁ ଏ ନେଇ ପଚରାଉଚରା କରିସାରିଛନ୍ତି। ଏବଂ କୌଣସି ରାଜନେତା କିମ୍ବା ସେଲିବ୍ରିଟିଙ୍କୁ ଜରୁରୀ ଔଷଧ ଦିଆଯାଇ ନାହିଁ ବୋଲି ସେମାନେ କହିଛନ୍ତି । କୋର୍ଟ କହିଛନ୍ତି ଯେ “ଆପଣ (ରାଜ୍ୟ) ସେମାନଙ୍କର ଉତ୍ତରକୁ ବିଶ୍ବାସ କରିପାରିବେ କି? ସେମାନେ (ରାଜନେତା ଏବଂ ସେଲିବ୍ରିଟି) ହୁଏତ ଏହାକୁ ସଚ୍ଚୋଟ ଭାବରେ କରୁଛନ୍ତି, କିନ୍ତୁ ଆଇନର ଉଲଂଘନ କରୁଛନ୍ତି। ଯଦି ସେମାନେ କାହାକୁ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ସେମାନଙ୍କୁ ଆଇନ ପରିସର ମଧ୍ୟରେ ରହି ଏହି କାମ କରିବାକୁ ପଡିବ ।” ଅଦାଲତ କହିଛନ୍ତି ଯେ, “ଆମେ ସେମାନଙ୍କୁ କୌଣସି ଆଦେଶ ଦେଇ ପାରିବୁ ନାହିଁ କାରଣ ସେମାନେ ଏବେ ଏଠାରେ ଉପସ୍ଥିତ ନାହାନ୍ତି ରାଜ୍ୟ ସରକାର ତଦନ୍ତ ଜାରି ରଖନ୍ତୁ ଏବଂ ସେମାନଙ୍କୁ ସତର୍କ କରାଇ ଦିଅନ୍ତୁ।” ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଏକ ଅଧ୍ୟାଦେଶ ଜାରି କରିବାକୁ କହିଛନ୍ତି। ଯାହା ଦ୍ବାରା ଘରୋଇ ଡାକ୍ତରଖାନାଗୁଡ଼ିକରେ ମହାମାରୀ ଭଳି ସଙ୍କଟ ସମୟରେ ନିଜସ୍ୱ ଅମ୍ଳଜାନ ଉତ୍ପାଦନ ୟୁନିଟ୍ ରହିବା ବାଧ୍ୟତାମୂଳକ କରାଯିବ। କୋର୍ଟ ଚେତାବନୀ ଦେଇଛନ୍ତି ଯେ, “ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଅତୀତର ଭୁଲରୁ ଆମେ ଶିଖିବା ଉଚିତ ଏବଂ କୌଣସି ବି ଘଟଣା ପାଇଁ ପ୍ରସ୍ତୁତ ହେବା ପାଇଁ ନିର୍ଦ୍ଦିଷ୍ଟ ଯୋଜନା ରହିବା ଆବଶ୍ୟକ ବୋଲି ବେଞ୍ଚ କହିଛନ୍ତି।

Related Posts