ବ୍ରେକିଂ ବିପର୍ଯ୍ୟୟ

ବ୍ରେକିଂ ନ୍ୟୁଜ ଦେବାକୁ ଯାଇ କିପରି ବିପର୍ଯ୍ୟୟକୁ ଆହ୍ୱାନ କରାଯାଇ ପାରେ ତାହାର ଏକ ସଦ୍ୟତମ ନମୂନା ଦେଖିବାକୁ ମିଳିଛି ରାଜ୍ୟର ଜଣେ ବରିଷ୍ଟ ଆଇ.ଏ.ଏସ ଅଫିସରଙ୍କ କ୍ଷେତ୍ରରେ । ଗୁରୁବାର ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ମାନ୍ୟବର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁ ସମ୍ପର୍କିତ ଏକ ଭୁଲ ଖବର ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିଲା  । କେନ୍ଦ୍ରୀୟ ଡେପୁଟେସନରେ ଥିବା ବରିଷ୍ଟ ଆଏ.ଏ.ଏସ ଅଫିସର ଡ. ଅରବିନ୍ଦ ପାଢୀ ଏ ସମ୍ପର୍କରେ ତାଙ୍କ ଟୁଇଟର ପେଜରେ ମୃତ୍ୟୁ ହୋଇ ଯାଇଥିବା କଥା ଲେଖିବା ପରେ ତାଙ୍କର ଅନେକ ଫଲୋଅର ତାହାକୁ ନିସନ୍ଦେହରେ ସେୟାର କରିବା ଆରମ୍ଭ କରିଦେଇଥିଲେ ।

ଏଠାରେ ପ୍ରଶ୍ନ ଉଠୁଛି ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ କିପରି ଭଲକରି ପରୀକ୍ଷା ନକରି ଡ. ପାଢୀ ତାଙ୍କ ଟୁଇଟର ପେଜରେ ଅପଲୋଡ କଲେ? କିଛି ସମୟ ପରେ ଏହି ଖବର ଚାରିଆଡେ ଖେଳିଯିବା ପରେ ଶ୍ରୀଯୁକ୍ତ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ଏବଂ ପୁଅ ଅଭିଜିତ୍ ମୁଖାର୍ଜୀ ଏହାକୁ ଖଣ୍ଡନ କରିବା ସହ ଏହା ମିଥ୍ୟା ଓ ଗୁଜବ ବୋଲି ଗଣମାଧ୍ୟମକୁ କହିଥିଲେ । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ଟୁଇଟ କରି ଜଣାଇବା ପରେ ସମସ୍ତଙ୍କ ସନ୍ଦେହ ଦୁର ହୋଇଥିଲା । ଏବେ ପ୍ରଶ୍ନ ଉଠୁଛି ସାଧାରଣ ମଣିଷଟିଏ ଦ୍ୱାରା ହୁଏତ ଏଭଳି ଭୁଲ୍ ହୋଇ ଯାଇପାରେ ହେଲେ ଉଚ୍ଚପଦସ୍ତ ଅଧିକାରୀ, ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ୱାରା ଯଦି ଏଭଳି ତୃଟି ହୁଏ ତାହେଲେ ଏହାକୁ କଣ କୁହାଯିବ?

ଦିନକୁ ଦିନ ସାମାଜିକ ଗଣମାଧ୍ୟମରେ ମୁଁ ବା ଆମେ ପ୍ରଥମ ବୋଲି ଯେଉଁ ଅଦ୍ଭୁତ ପ୍ରତିଯୋଗୀତା ଆରମ୍ଭ ହୋଇଛି ଏହା ହେଉଛି ତାହାର ଫଳ । ଖବରର ସତ୍ୟାସତ୍ୟକୁ ନପରଖି ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂକରି ବାହାବା ସାଉଁଟିବାର ଏକ ଅସୁସ୍ଥ ପ୍ରତିଯୋଗୀତା ଏବେ ଅନେକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏଠାରେ ସ୍ମରଣଯୋଗ୍ୟ ଖୁବ୍ ସଚେତନ ତଥା ଦାୟିତ୍ୱସମ୍ପର୍ଣ୍ଣ ଭାବରେ ଟୁଇଟର ପେଜ୍ ହ୍ୟାଣ୍ଡଲ୍ କରୁଥିବା ଡ. ଅରବିନ୍ଦ ପାଢିଙ୍କ କ୍ଷେତ୍ରରେ କେବେବି ଭୁଲ୍ ହୋଇପାରେନା ଏହା ଭାବି ଆଜି ସକାଳେ ତାଙ୍କର ଫଲୋଅରମାନେ ଏହାକୁ ବହୁ ମାତ୍ରାରେ ସେୟାର କରିଥିଲେ ।

ଏହାପରେ ଯଦିଓ ଡ.ପାଢୀ ତାଙ୍କ ଟୁଇଟର ପେଜରୁ ଏହି ମେସେଜକୁ ଡିଲିଟ୍ କରି ଦେଇଥିଲେ ହେଲେ ସେତେବେଳକୁ ଏହା ସବୁଆଡେ ପ୍ରଘଟ ହୋଇ ସାରିଥିଲା । ଅବଶ୍ୟ ଏହି ଟୁଇଟ କରିବା ସମୟରେ ଡ. ପାଢୀ ବିଶ୍ମୟସୂଚକ ଚିହ୍ନ ବ୍ୟବହାର କରିବା  ତାଙ୍କ ପାଖରେ ସଠିକ ତଥ୍ୟ ନଥିବା କଥାକୁ ବୁଝାଉଛି । ସବୁ କଥାରେ ଆମେ ପ୍ରଥମ ହେବା ମାନସିକତା ଆଜି ଅନେକଙ୍କୁ ଏଭଳିି ଭୁଲ୍ କରିବାକୁ  ବାଧ୍ୟ କରୁଛି । ନିକଟରେ ଓଡିଆ ଚଳଚିତ୍ର ଅଭିନେତା ସ୍ୱର୍ଗତଃ ବିଜୟ ମହାନ୍ତି ଜୀବିତ ଥିବା ଅବସ୍ଥାରେ ମଧ୍ୟ ସମାନ ଧରଣର ଏକ ଗୁଜବ ତାଙ୍କ ମୃତ୍ୟୁ ସମ୍ପର୍କରେ ହୋଇଥିଲା ଯାହାକୁ ନେଇ ଓଡିଶା ସିନେ ତାରାକା ଆର୍ଟିଷ୍ଟ ଆସୋସିଏସନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ।
Related Posts