କଟକ : କଟକ ମହାନଦୀରେ ବୁଡି ଛାତ୍ର ନିଖୋଜ ଘଟଣାରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ । ନିଖୋଜ ଯୁବକଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ । ମୃତକଙ୍କ ନାମ ଆୟୁର ଖାନ୍‌ ଓରଫ ଛୋଟୁ । ଯାହାର ସୋସିଆଲ୍‌ ମିଡିଆ ଷ୍ଟାଟସକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଥିଲା ।

ଖବର ଅନୁଯାୟୀ, ରବିବାର ଯୋବ୍ରା ଆନିକଟ ନିକଟରେ ଗାଧୋଇବାକୁ ଯାଇ ବୁଡିଯାଇଥିଲେ ୩ ସାଙ୍ଗ । ଗୁରୁତର ଅବସ୍ଥାରେ ଜଣକୁ ଉଦ୍ଧାର କରାଯାଇଥିଲା । ପରେ ଉଦ୍ଧାର ଯୁବକଙ୍କୁ ଏସସିବିରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ହେଲେ ଚୂନ ଭାଟି ଚାରି ଘରିଆର ସାହିଲ ଖାନ୍ । ତାପର ଠାରୁ ନିଖୋଜ ଅନ୍ୟ ୨ ଜଣ (ମହମ୍ମଦ୍ ସିଦ୍ଦିକ୍ ଓ ଆୟୁର ଖାନ୍‌)ଙ୍କୁ ଖୋଜୁଥିଲା ଓଡ୍ରାଫ ଟିମ୍ ଏବଂ ଅଗ୍ନିଶମ ବାହିନୀ । ଏବେ ଆୟୁର ଖାନ୍‌ଙ୍କ ମୃତଦେହ ଉଦ୍ଧାର ହୋଇଛି ।

ତେବେ ରବିବାର ଦିନ ଛୋଟୁ ଫେସଵୁକରେ ଷ୍ଟାଟସ୍ ଅପଡେଟ୍ କରି ଲେଖିଥିଲେ, ସଵନେ ମୁଝେ ଛୋଡ୍ ଦିୟା,ଅଵ୍ ମୁଝେ ଜାନେ ଦୋ । ଏହାର କାରଣ କଣ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯୋବ୍ରା ଏହି ସ୍ଥାନରେ ପ୍ରତିବର୍ଷ ୯ରୁ ୧୦ ଜଣଙ୍କ ଜୀବନ ଯାଉଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଉକ୍ତ ସ୍ଥାନରେ କେବଳ ସତର୍କ ସୂଚନା ଫଳକ(ଗାଧୋଇବା ମନା) ଲଗା ଚୁପ୍‌ ବସିଛି। ତାର ବାଡ଼ ଲଗାଇବାକୁ ଭୁଲି ଯାଇଛି। ଯେଉଁଥିପାଇଁ ଅକାରଣରେ ଝଡ଼ି ପଡ଼ୁଛି ଜୀବନ।

ଆଜକୁ ପ୍ରାୟ ୨୫ ଦିନ ତଳେ ମହାନଦୀର ନରାଜ ଘାଟରେ ଗାଧଉଥିବା ବେଳେ ୪ ଜଣ ସାଙ୍ଗ ବୁଡ଼ି ଯାଇଥିଲେ। ସେମାନଙ୍କ ଭିତରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଥିଲା।