ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲିଠାରୁ ରାଜ୍ୟରେ ବସ୍ ଧର୍ମଘଟ। ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଆଜି ଏହି ସୂଚନା ଦେଇଛନ୍ତି। ସରକାର ଲିଖିତି ପ୍ରତିଶ୍ରୁତି ନଦେବାରୁ ମାଲିକ ସଂଘ ବସ୍ ଧର୍ମଘଟ ନିଷ୍ପତ୍ତିରେ ଅଟଳ ରହିଲା ବୋଲି ଶ୍ରୀ ସାହୁ କହିଛନ୍ତି। ଆସନ୍ତାକାଲି ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ ଜାରି ରହିବ ବୋଲି ସେ କହିଛନ୍ତି। ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ ଧର୍ମଘଟ କରୁଛୁ। ପୂଜା ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନୁହେଁ। ଏନେଇ ଯାତ୍ରୀଙ୍କଠାରେ କ୍ଷମା ପ୍ରାର୍ଥନା କରୁଛୁ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି।
ଘରୋଇ ବସ୍ ମାଲିକ ସଂଘର ଏହି ନିଷ୍ପତ୍ତି ଫଳରେ ଆସନ୍ତାକାଲିଠାରୁ ରାଜ୍ୟର ଲକ୍ଷ ଲକ୍ଷ ଲୋକ ହଇରାଣ ହେବେ। ଦଶହରା ପାଇଁ ଆସନ୍ତାକାଲିଠାରୁ ସ୍କୁଲ୍ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ବେଳେ ଯେଉଁ ଲୋକମାନେ ଗାଁକୁ ବା ବନ୍ଧୁବାନ୍ଧବ ଘରକୁ ଯିବା ପାଇଁ ବାହାରିଥିଲେ, ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଧର୍ମଘଟ କଥା ଶୁଣି ଏବେ ରାଜ୍ୟର ବିଭିନ୍ନ ବସ୍ଷ୍ଟାଣ୍ଡକୁ ଦଉଡୁଛନ୍ତି ଯାତ୍ରୀ। ଦୂରଦୂରାନ୍ତ ଯିବାକୁ ଥିବା ଯାତ୍ରୀମାନେ ବସ୍ଷ୍ଟାଣ୍ଡ ମୁହାଁ ହୋଇଛନ୍ତି। ଭୁବନେଶ୍ୱରର ବରମୁଣ୍ଡା ବସ୍ଷ୍ଟାଣ୍ଡ ଓ କଟକର ନେତାଜୀ ଟର୍ମିନାଲରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଆଜି ଘରକୁ ପଳାଇ ଯିବାକୁ ବ୍ୟଗ୍ର ହୋଇପଡୁଛନ୍ତି ଯାତ୍ରୀ। ଟିକେଟ ଖଣ୍ଡେ ପାଇବାକୁ କାକୁତିମିନତି ହେଉଛନ୍ତି। ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ବସ୍ଷ୍ଟାଣ୍ଡରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ପୂଜା ଛୁଟି ଥିବାରୁ ଘରକୁ ପଳାଇ ଯିବାକୁ ସବୁ ଯାତ୍ରୀ ଚେଷ୍ଟା କରୁଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଧର୍ମଘଟ କରୁଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ସଂଘ ପକ୍ଷରୁ କୁହାଯାଇଛି ଯେ, ଗତ ୧୦ ତାରିଖରେ ସରକାରଙ୍କ ସହ ହୋଇଥିବା ଆଲୋଚନା ଅନୁସାରେ ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି। ଲକ୍ଷ୍ମୀ ଯୋଜନାରେ ଚାଲିବାକୁ ଥିବା ବସଗୁଡ଼ିକୁ ବ୍ଲକ ସ୍ତରରେ ସୀମିତ ରଖି ଜିଲ୍ଲା ମୁଖ୍ୟାଳୟକୁ ଚଳାଇବେ ନାହିଁ ବୋଲି କହିଥିଲେ ରାଜ୍ୟ ସରକାର। କିନ୍ତୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଥିବା ୬ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାଗୁଡ଼ିକରେ ଜିଲ୍ଲା ମୁଖ୍ୟାଳୟକୁ ଚଲାଇଛନ୍ତି ସରକାର।





