ବିଶ୍ବବିଦ୍ୟାଳୟ ସ୍ବୀକୃତି ପଛରେ ସ୍କାମ !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଯେଭଳି ତରିକାରେ ସରକାର ସି.ଭି.ରମଣ କଲେଜ ଅଫ ଇଞ୍ଜିନିୟରିଂକୁ ଘରୋଇ ବିଶ୍ବବିଦ୍ୟାଳୟର ସ୍ବୀକୃତି ପ୍ରଦାନ କଲେ ତା’ ପଛରେ ବିରାଟ ସ୍କାମ ହୋଇଥିବା ଅଭିଯୋଗ ହୋଇଛି । ଓଡ଼ିଶା ବୈଷୟିକ ଓ ବୃତିଗତ ଛାତ୍ର ସଂଘ ପକ୍ଷରୁ ସି.ଭି.ରମଣକୁ ବିଶ୍ବବିଦ୍ୟାଳୟ ସ୍ବୀକୃତି ନିଷ୍ପତ୍ତିକୁ ବିରୋଧ କରାଯିବା ସହ ସରକାର ଶତାଧିକ ପିଲାଙ୍କର ଭବିଷ୍ୟତ ସହ ଖେଳିଛନ୍ତି ବୋଲି କୁହାଯାଇଛି । ଏହା ପଛରେ ତୃତୀୟ ମହଲାର ପ୍ରଶାସନିକ ଅଧିକାରୀଙ୍କ ଲବି କାମ କରୁଛି ବୋଲି ଅଭିଯୋଗ ହୋଇଛି ।
ସନ୍ଦେହରେ ତୃତୀୟ ମହଲାର ନିଷ୍ପତ୍ତି
ପ୍ରଥମରୁ ସି.ଭି.ରମଣ କଲେଜ ଅଫ ଇଞ୍ଜିନିୟରିଂକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ଆବେଦନକୁ ରାଜ୍ୟ ସରକାର ବିରୋଧ କରୁଥିଲେ । ତାହାର ମୁଖ୍ୟ କାରଣ ହେଉଛି ବିଶ୍ବବିଦ୍ୟାଳୟ ଗାଇଡଲାଇନ୍ ଧାରା 3.4କୁ ସି.ଭି.ରମରଣ ଉଲ୍ଲଘଂନ କରୁଛି । ଏହି ଧାରା ସ୍ପଷ୍ଟ ଭାବେ କହୁଛି ଯେ
1- ଆବେଦନକାରୀ କଲେଜ 5 ବର୍ଷ ଭିତରେ କୌଣସି ସରକାରୀ କଲେଜର ନିୟମକୁ ଉଲ୍ଲଘଂନ କରିନଥିବ
2- ସମ୍ପୃକ୍ତ କଲେଜ ସରକାରଙ୍କ ବିରୋଧରେ କୌଣସି ଆଇନଗତ ମାମଲାର ବିଚାର କୌଣସି ଅଦାଲତରେ ଚାଲୁନଥିବ
3- ଉକ୍ତ କଲେଜର ବିଶ୍ବସନୀୟତା ଥିବ ଏବଂ ସମ୍ପୃକ୍ତ କଲେଜ ବିରୋଧରେ କୌଣସି ଆପରାଧିକ ମାମଲା ନଥିବ

ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରଙ୍କର ଫି ଷ୍ଟ୍ରକ୍‌ଚର କମିଟିର ନିର୍ଦ୍ଦେଶକୁ ବେଖାତିର କରି ସି.ଭି.ରମଣ କଲେଜ ଅନେକ ଛାତ୍ରଙ୍କଠାରୁ ଅଧିକ ଫି ଆଦାୟ କରିଛି । ଖୋଦ ରାଜ୍ୟ ସରକାର ଏନେଇ ସି.ଭି.ରମଣ ବିରୋଧରେ ଅଭିଯୋଗ କରିଛନ୍ତି । ସରକାରଙ୍କ ଆଇନ ବିଭାଗ, ବୈଷୟିକ ଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ଅତୀତରେ ଅଧିକ ଫି ଆଦାୟ ନେଇ ସି.ଭି.ରମଣକୁ ତାଗିଦ କରିବା ସହ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି ଟିପ୍ପଣୀ ଦେଇଛନ୍ତି । ତା’ ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ ଦତ୍ପର ସି.ଭି.ରମଣକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ପାଇଁ ରାଜି ହେବା ସହ କ୍ୟାବିନେଟ ସୁପାରିସ ପାଇଁ ନିଷ୍ପତ୍ତି ନେଲେ ।

ସୂଚନାଯୋଗ୍ୟ ପୂର୍ବରୁ ବିଶ୍ବବିଦ୍ୟାଳୟ ପ୍ରସ୍ତାବକୁ କ୍ୟାବିନେଟକୁ ପଠାଯିବ କି ନାହିଁ ରାଜ୍ୟ ସରକାର ଏହାର ତର୍ଜମା କରିବା ପାଇଁ ଆଇନ ବିଭାଗକୁ ଫାଇଲ୍ ପଠାଇଥିଲେ । ଆଇନ ବିଭାଗ ଏହି ପ୍ରସ୍ତାବକୁ ବିରୋଧ କରିଥିଲା ଏବଂ ବିଭାଗ ଦ୍ବାରା ଦର୍ଶାଯାଇଥିବା ଆପତ୍ତିକୁ ଭଲଭାବରେ ପରୀକ୍ଷା ନିରିକ୍ଷା କରିବାକୁ କହି ଫାଇଲ ଫେରାଇ ଦେଇଥିଲା ।


ସେତିକି ନୁହଁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ସି.ଭି.ରମଣ କଲେଜ ଦ୍ବାରା ରାଜ୍ୟ ସରକାରଙ୍କ ବିରୋଧରେ କରାଯାଇଥିବା ମାମଲା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ବୈଷୟିକ ଶିକ୍ଷା ବିଭାଗକୁ ମାଗିଥିଲେ । ଉତ୍ତରରେ ବୈଷୟିକ ବିଭାଗ 30.08.2017ରେ କହିଲା ସି.ଭି.ରମଣ କଲେଜ ଦ୍ବାରା ରାଜ୍ୟ ସରକାରଙ୍କ ବିରୋଧରେ ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ କରାଯାଇଥିବା ସମସ୍ତ ମାମଲା ଉଠାଇଦିଆଯାଇଛି । ଅସଲରେ ବୈଷୟିକ ବିଭାଗ ସି.ଭି.ରମଣ କଲେଜ ସହ ହାତ ମିଳାଇ ମୁଖ୍ୟ ସଚିବଙ୍କୁ ମିଥ୍ୟା ତଥ୍ୟ ଦେଇଥିଲେ । ଯାହାର ପ୍ରମାଣ ସୂଚନା ଅଧିକାର ଆଇନ ଦ୍ବାରା ମିଳିଥିବା ତଥ୍ୟରୁ ଧରାପଡ଼ିଥିଲା । ପ୍ରଶ୍ନ ଉଠୁଛି ସରକାର ବିରୋଧରେ କଲେଜ କରିଥିବା ମାମଲା ହାଇକୋର୍ଟରେ ଥିବାବେଳେ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ବୈଷୟିକ ବିଭାଗ ମିଛ କହିବା ପଛର କାରଣ କ’ଣ ? ।

ମାନ୍ୟବର ସୁପ୍ରିମ କୋର୍ଟଙ୍କ ଦ୍ବାରା ନିଯୁକ୍ତ ଫି କମିଟିର ସଦସ୍ୟ ସଚିବ ଅଧିକ ଫି ଆଦାୟ ଅଭିଯୋଗର ତଦନ୍ତ ସି.ଭି.ରମଣ ବିରୋଧରେ କରିବାକୁ ବୈଷୟିକ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଲେ କିନ୍ତୁ ଫାଇଲକୁ ଚାପି ଦେଲା ବୈଷୟିକ ବିଭାଗ । ଏ କାର୍ଯ୍ୟ ପଛରେ ତୃତୀୟ ମହଲାର ବାବୁମାନଙ୍କ ଅଲିଖିତ ନିର୍ଦ୍ଦେଶ ଥିଲା ନା ନାହିଁ । ସି.ଭି.ରମରଣ କଲେଜ କର୍ତ୍ତୃପକ୍ଷଙ୍କ ଯୁକ୍ତି ହେଲା ଅଧିକ ଫି ଆଦାୟ ଅଭିଯୋଗ ଯୁକ୍ତିଯୁକ୍ତ ନୁହଁ । ଯେଉଁଥିପାଇଁ କଲେଜ ପକ୍ଷରୁ ଫି ଷ୍ଟ୍ରକ୍‌ଚର କମିଟିର ନିଷ୍ପତ୍ତି ଓ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କଲେଜ ପକ୍ଷରୁ ସରକାରଙ୍କ ବିରୋଧରେ ହାଇକୋର୍ଟ ମାମଲା କରାଯାଇଥିଲା । ହେଲେ ଆଶ୍ଚର୍ଯ୍ୟର କଥା ସମାନ ସି.ଭି.ରମରଣ କଲେଜ ଚୁପ୍‌ଚାପ ହାଇକୋର୍ଟରେ ଦାୟର କରିଥିବା ମାମଲାକୁ ପ୍ରତ୍ୟାହାର କରିନେଲା । ସି.ଭି.ରମଣ କଲେଜର ଏଭଳି ବିରୋଧତ୍ମକ ନିଷ୍ପତ୍ତି ପଛର କାରଣ କ’ଣ ? । ନିଜକୁ ନିଜେ ଦୋଷୀ ପ୍ରମାଣ କରିବା ପାଇଁ କିଭଳି ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲା ? । ଏହା ଦ୍ବାରା ସିଭିରମଣ ନିଜେ ସ୍ବୀକାର କଲା ଯେ, ଏହା ପିଲାମାନଙ୍କଠାରୁ ଅଧିକ ଫି ଆଦାୟ କରୁଥିଲା । ଅର୍ଥାତ ବିଶ୍ବବିଦ୍ୟାଳୟ ଅଧିନିୟମ ଆଇନ ଅନୁଯାୟୀ ସି.ଭି.ରମଣକୁ ରାଜ୍ୟ ସରକାର ସ୍ବୀକୃତି ଦେବାକ କଥା ନୁହଁ । ତେବେ କେଉଁ କାରଣ ଓ ସ୍ବାର୍ଥ ପାଇଁ ସ୍ବୀକୃତି ଦିଆଗଲା ?  ଏ ନିଷ୍ପତ୍ତି ପରେ 2017 ମସିହାରେ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସିଭିରମଣ କଲେଜକୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ଯେ ଯେଉଁ ପିଲାଙ୍କଠାରୁ ଅଧିକ ଫି ଆଦାୟ କରାଯାଇଛି ସେମାନଙ୍କୁ ଟଙ୍କା ଫେରସ୍ତ କରିବ କଲେଜ । ଏହାର ଅର୍ଥ କଲେଜ ଅଧିକ ଫି ଆଦାୟ କରିବା ଅଭିଯୋଗ ସତ୍ୟ ଏବଂ ଏହା ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବାକୁ ହକ୍‌ଦାର ନୁହଁ ।

ତରଭରିଆ ଭାବେ ବିଶ୍ବବିଦ୍ୟାଳୟ ମାନ୍ୟତା ପଛର କାରଣ
ଓଡ଼ିଶା ବୈଷୟିକ ବୃତ୍ତିଗତ ଶିକ୍ଷା ଆଇନ 2007ର ଦଣ୍ଡ ବିଧାନ ଧାରା 4/10 ଅନୁସାରେ ଯଦି କୌଣସି କଲେଜ ଅତ୍ୟଧିକ ଫି ଆଦାୟ ଭଳି ଗୁରୁତର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୁଏ ତାହା ହେଲେ ସମ୍ପୃକ୍ତ କଲେଜର ସ୍ବୀକୃତି ପ୍ରତ୍ୟହାର ହେବ । ତାଛଡ଼ା କଲେଜ କର୍ତ୍ତୃପକ୍ଷଙ୍କୁ 3 ବର୍ଷ କାରାଦଣ୍ଡ ଭୋଗିବାକୁ ହେବ । ଅଧିକ ଫି ନେଇଥିବା ପିଲାମାନଙ୍କୁ ଲକ୍ଷାଧିକ ଟଙ୍କାର ଜୋରିମାନା ଦେବାକୁ ହେବ । ସୂଚନା ଯୋଗ୍ୟ ନିଜେ ସି.ଭି.ରମଣ କଲେଜ ସ୍ବୀକାର କରିଛି ପିଲାମାନଙ୍କଠାରୁ ଅଧିକ ଟ୍ୟୁସନ ଫି ନେଇଛି ବୋଲି ଏବଂ ପରବର୍ତ୍ତୀ ସମୟରେ ସରକାରଙ୍କଠାରୁ ତାଗିତ ପାଇବା ପରେ କିଛି ପିଲାଙ୍କୁ ଟଙ୍କା ବି ଫେରାଇଛି ।

ଏସବୁ ବିପତ୍ତିରୁ ବଞ୍ଚିବା ପାଇଁ ସୁବିଧା ବାଟଟି ହେଲା ବିଶ୍ବବିଦ୍ୟାଳୟ ମାନ୍ୟତା । ଯଦି ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଯାଏ ତେବେ ଏ ସମସ୍ତ ଜୋରିମାନାରୁ ବାଦ ପଡ଼ିଯିବ ସି.ଭି.ରମଣ କଲେଜ । ତେଣୁ ଯେଉଁ ଆଇନ ବିଭାଗ ଓ ବୈଷୟିକ ଶିକ୍ଷା ବିଭାଗ ଆରମ୍ଭରୁ ସି.ଭି.ରମଣକୁ ବିରୋଧ କରୁଥିଲେ ପରବର୍ତ୍ତୀ ସମୟରେ ସେହି ମାନେ ହିଁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଓକିଲାତି କଲେ ।
ଗୁରୁତ୍ବପୂର୍ଣ୍ଣ କଥା ହେଲା ଏତେ ସବୁ ଗୁରୁତର ଅଭିଯୋଗ ଓ ତଥ୍ୟ ପ୍ରମାଣକୁ ମୁଖ୍ୟମନ୍ତ୍ରୀଙ୍କର ତୃତୀୟ ମହଲା ଦପ୍ତର ଅଣଦେଖା କଲା କିପରି ? । ଦୁର୍ନୀତିର ଜିରୋ ଟଲରାନ୍ସର ଭାଷଣ ମାରୁଛନ୍ତି ନବୀନ ବାବୁ । ସରକାର ଓ ବିଜୁ ଜନତା ଦଳର ପ୍ରବକ୍ତାମାନେ 5-ଟି ସଚିବ ପାଣ୍ଡିଆନ ବାବୁଙ୍କୁ ପ୍ରଶାସନର ଦୁର୍ନୀତି ବିରୋଧୀ ସଂଗ୍ରାମର ସେନାପତି ବୋଲି କହି ବୁଲୁଛନ୍ତି । ସମାନ ତୃତୀୟ ମହଲାରେ ମଧ୍ୟ ପାଣ୍ଡିଆନ ବାବୁଙ୍କ ଦପ୍ତର । ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ଫାଇଲ ପାଣ୍ଡିଆନ ବାବୁଙ୍କର ନଜର ଦେଇ ଯାଇଥିବ ନିଶ୍ଚୟ । ସେ ବାବୁ ମଧ୍ୟ ଏତେ ବଡ଼ ତ୍ରୁଟିକୁ ଛାଡ଼ିଗଲେ କିଭଳି ? ।

Related Posts