୧୯ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ: ଲକ୍ଷ୍ମୀ ଯୋଜନାରେ ଗାଁ କୁ ଗଡିବ ବସ୍, ହଟିବ ୩୫ ଟୋଲ ଗେଟ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ କ୍ୟାବିନେଟ ମୋଟ ୧୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ଦେଇଛି । ଜଳ ସମ୍ପଦ ବିଭାଗର ୬, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ୨, ପରିବହନର ଗୋଟେ, ଅର୍ଥର ୨ଟି, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୨ଟି, ପୂର୍ତ୍ତର ୨, ସାଧାରଣ ପ୍ରଶାସନର ଗୋଟେ, ସ୍ବାସ୍ଥ୍ୟର ଗୋଟେ, ସଂସଦୀୟ ବ୍ୟାପାରର ଗୋଟେ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଗୋଟେ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।

ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଲକ୍ଷ୍ମୀ ଯୋଜନାକୁ ମୋହର ମାରିଛି କ୍ୟାବିନେଟ । ରାଜ୍ୟ ରାଜଧାନୀରୁ ପଞ୍ଚାୟତକୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଲକ୍ଷ୍ମୀକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ କେବଳ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ପରିବହନ ସୁନିଶ୍ଚିତ କରିବ ନାହିଁ, ବରଂ ରାସ୍ତା ଓ ସେତୁ ନିର୍ମାଣ ତଥା ମରାମତି କାର୍ଯ୍ୟକୁ ଗୁରୁତ୍ବ ଦେବ । ସେହିପରି କାର୍ଯ୍ୟକ୍ରମ ଜରିଆରେ ବିଜୁ ଗାଁ ଗାଡ଼ି ଯୋଜନାକୁ ପୁନରୁଦ୍ଧାର କରାଯିବ । ଲକ୍ଷ୍ମୀ ଯୋଜନାରେ ବ୍ଲକରେ ଅନ୍ୟୂନ ଗୋଟିଏ ଆମ ବସ ଷ୍ଟାଣ୍ଡ ନିର୍ମାଣ କରାଯିବ । ଏହି କାର୍ଯ୍ୟକ୍ରମରେ ୨୦୨୩-୨୪ ବର୍ଷ ପାଇଁ ସରକାର ୧୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।

ରାଜ୍ୟରେ ଖରିଫ ଓ ରବି ଋତୁରେ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଆଜି ନୂଆ ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୨୩-୨୪କୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ୨୦୨୩-୨୪ ଖରିଫ ବିପଣନ ବର୍ଷରେ ମୋଟ ୫୪ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରାଯିବ । ଖରିଫ ବର୍ଷ-୨୦୨୨-୨୩ରେ ମୋଟ ୭୯.୧୬ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିଲା । ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ତଥା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଦ୍ବାରା ପରିଚାଳିତ ହେଉଥିବା ମୋଟ ୩୫ଟି ଟୋଲ ଗେଟକୁ ଉଚ୍ଛେଦ କରାଯିବ । ଏହି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି । ଭୁବନେଶ୍ବର ସିଲିକନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ପାଇଁ ସ୍ବତନ୍ତ୍ର ଆଇନକୁ କ୍ୟାବିନେଟ ମୋହର ମାରିଛି । ସେହିପରି ବ୍ରହ୍ମପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ସ୍ବତନ୍ତ୍ର ଆଇନକୁ କ୍ୟାବିନେଟ ଅନୁମୋଦନ ମିଳିଛି ।

ଓଡ଼ିଶା ଭୂ-ସଂସ୍କାର ସଂଶୋଧନ ଆଇନ-୨୦୨୩କୁ ସଂଶୋଧନ କରାଯାଇଛି । ଯାହାକୁ ଆଜି କ୍ୟାବିନେଟ ଅନୁମୋଦନ ଦେଇଛି । ଓଡ଼ିଶା ସ୍ବାସ୍ଥ୍ୟ ଗୁଇନ୍ଦା ଓ ଗୁରୁତ୍ବପୂର୍ଣ୍ଣ ପରିସଂଖ୍ୟାନ ସେବା ନିୟମାବଳୀ-୨୦୨୩ ପ୍ରଣୟନ ପାଇଁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଓଡ଼ିଶା ଜିଏସଟି ଆଇନ-୨୦୧୭ର ସଂଶୋଧନ ଏବଂ ଓଡ଼ିଶା ବେସାମରିକ ପ୍ରଶାସନିକ ସେବା ରୁଲସ-୧୯୯୨ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି ।

Related Posts