ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): CAG ଧରିଲେ କୁକୁଡ଼ା ପାଳନ ଘୋଟଲା । ତେବେ ଆଦିବାସୀ ଅଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଘରୋଇ ଭାବରେ କୁକୁଡା ପାଳନ ଲାଗି ସରକାର ଦେଇଥିବା ଅର୍ଥର ମହା ଘୋଟାଲା । ପ୍ରଦାନ କରାଯାଇଥିବା କୁକୁଡା ଚିଆଁ ବଞ୍ଚି ନାହାନ୍ତି କି କୁକୁଡା ଘର ନିର୍ମାଣ ପାଇଁ ମିଳିଥିବା ଅର୍ଥ କାମରେ ଲାଗିନି । ଯେଉଁଠାରେ ବି କୁକୁଡା ପାଳନ ପାଇଁ ଘର ତିଆରି ହୋଇଛି ସେଠାରେ କୁକୁଡା ନାହାନ୍ତି । ଏପରି ଏକ କୁକୁଡାପାଳନରେ ଅନିୟମିତତାକୁ ଅଡିଟ୍ ସମୟରେ ଧରିଛନ୍ତି ସିଏଜି ।
ସଦ୍ୟ ପ୍ରକାଶିତ ରିପୋର୍ଟରେ ସିଏଜି ଦର୍ଶାଇଛନ୍ତି ଯେ ୨୦୧୯-୨୦୨୪ ମଧ୍ୟରେ ୧୫ଟି ଅଣୁ ପ୍ରକଳ୍ପ ସଂସ୍ଥା (ଏମପିଏ)ଙ୍କ ଦ୍ୱାରା କୁକୁଡା ପାଳନ କାର୍ଯ୍ୟକ୍ରମରେ ୧୨କୋଟି ୭୬ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପ୍ରାୟ ୩୪ହଜାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ଏହି ଯୋଜନାରେ ହିତାଧିକାରୀଙ୍କୁ କୁକୁଡା ଚିଆଁ, ଅଣ୍ଡାଦିଆ କୁକୁଡା, ଲୁହା ପିଞ୍ଜରା ଆଦି ଯୋଗାଇ ଦିଆଯାଇଥିଲା । ସେପଟେ ଅଡିଟ୍ ସମୟରେ ଦେଖିବାକୁ ମିଳିଥିଲା ଯେ କୁକୁଡା ଚିଆଁ ପାଇଥିବା ୧୨୪ ହିତାଧିକାରୀଙ୍କ ମଧ୍ୟରୁ ୯୫ଜଣ ହିତାଧିକାରୀ ରିପୋର୍ଟ କରିଥିଲେ ଯେ ସେମାନଙ୍କୁ ମିଳିଥିବା କୁକୁଡା ଚିଆଁ ବଞ୍ଚିନଥିଲେ । ଆଠ ଜଣ ହିତାଧିକାରୀଙ୍କ କହିଥିଲେ ଯେ ୨୦ଟି କୁକୁଡା ଛୁଆ ମଧ୍ୟରୁ ୫ଟି ବି ବଞ୍ଚିପାରିନଥିଲେ । ତେଣୁ କୁକୁଡା ପାଳନର କାର୍ଯ୍ୟକ୍ରମ ସଫଳ ହୋଇନଥିବା ସିଏଜି ଦେଖିବାକୁ ପାଇଥିଲେ । ଆହୁରି ମଧ୍ୟ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ହିତାଧିକାରୀଙ୍କୁ ଦିଆଯାଇଥିବା କୁକୁଡା ଛୁଆମାନଙ୍କର ଖାଦ୍ୟ ଏବଂ ଜଳଯୋଗାଣ, ପ୍ରଜନନ ଏବଂ ଲାଳନପାଳନ ଇତ୍ୟାଦି ବିଷୟ ଉପରେ ଦିଆଯାଇଥିବା ତାଲିମର କୌଣସି ରେକର୍ଡ ନଥିଲା । ଏଥି ସହିତ ଅଡିଟ୍ ସମୟରେ ଦେଖାଯାଇଥିଲା ଯେ ୧୧ଟି ସ୍ୱୟଂ ସହାୟିକା ଗୋଷ୍ଠିକୁ ହଜାରେଟି କୁକୁଡା ପାଳନ କ୍ଷମତା ବିଶିଷ୍ଟ ସେଡ୍ ନିର୍ମାଣ ପାଇଁ ପ୍ରାୟ ୨୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଗୋଷ୍ଠିକୁ ସେଡ୍ ନିର୍ମାଣ ବ୍ୟତିତ କୁକୁଡା କିଣିବାପାଇଁ ୫ଲକ୍ଷ ୧୮ହଜାର ଟଙ୍କା ଦିଆଯାଇଥିଲା । ତେବେ ଅଡିଟ୍ ସମୟରେ ଦେଖିବାକୁ ମିଳିଥିଲା ଯେ କୌରସି ସ୍ୱୟଂ ସହାୟିକା ଗୋଷ୍ଠି କୁକୁଡା କିଣିନଥିଲେ । ତିନିଟି ସ୍ଥାନରେ ଦେଖାଯାଇଥିଲା ଯେ କୁକୁଡା ଫାର୍ମ ପାଇଁ ତିଆରି ହୋଇଥିବା ଭିତ୍ତିଭୂମି ଏକ ବର୍ଷରୁ ଅଧିକ ସମୟ ଧରି ଅଚଳ ଅବସ୍ଥାରେ ରହିଥିଲା । ସରକାର ଅର୍ଥ ପ୍ରଦାନ କରିଥିଲେ ଯେ ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକର କୁକୁଡାପାଳନ ଉପରେ କୌଣସି ନଜର ରଖିନଥିଲେ । ପରବର୍ତ୍ତୀ ସମୟରେ ଆର୍ଥିକ କ୍ଷତିକୁ ଏଡାଇବାପାଇଁ କୁକୁଡା ଚିଆଁ ଯୋଗାଣକୁ ସ୍ଥଗିତ ରଖାଯାଇଥିଲା । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ କୁକୁଡା ପାଳନ ଜରିଆରେ ଆଦିମ ଆଦିବାସୀମାନଙ୍କ ହାତକୁ ରୋଜଗାର ଯୋଗାଇ ସେମାନଙ୍କ ଆର୍ଥିକ ସଶକ୍ତ କରିବାପାଇଁ ସରକାର ଯେଉଁ ଯୋଜନା କରିଥିଲେ ତାହା ଏକ ପ୍ରକାର ବିଫଳ ହୋଇଯାଇଛି ।