ଅଯୋଧ୍ୟା ଜମି ବିବାଦ ନେଇ କେନ୍ଦ୍ରର ରାମ ବାଣ !

ଲୋକସଭା ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟରେ ଅଯୋଧ୍ୟା ବିବାଦ ନେଇ ଜମି ଫେରାଇବା ଆବେଦନ କରି କେନ୍ଦ୍ର ସରକାର ଏକ ବଡ଼ ରାଜନୈତିକ ପଦକ୍ଷେପ ନେଇଛନ୍ତି । ଅଣ ବିବାଦୀୟ ଜମି ଉପରେ ଯଥାସ୍ଥିତି ହଟାଇବା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କେନ୍ଦ୍ର ସରକାର । 67 ଏକରର ଅଣ ବିବାଦୀୟ ଜମି ଏହାର ମାଲିକ ରାମ ଜନ୍ମଭୂମି ନ୍ୟାସକୁ ଫେରାଇବା ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି କେନ୍ଦ୍ର ସରକାର ।

1993ରେ ନରସିଂହ ରାଓଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର 67.707 ଏକର ଜମି ଅଧିଗ୍ରହଣ କରିଥିଲେ । ତେବେ, 2003ରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଅଧିଗୃହୀତ ଜମି ଉପରେ ଯଥାସ୍ଥିତି ବାଜାୟ ରଖିବା ସହ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । 2010 ସେପ୍ଟେମ୍ବର 30ରେ ଆଲାହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ ଅଯୋଧ୍ୟା ଜମି ମାଲିକାନା ବିବାଦ ନେଇ ରାୟ ଦେଇଥିଲେ ।

ତିନି ଜଣିଆ ଖଣ୍ଡପୀଠ ଅଯୋଧ୍ୟାର ବିବାଦୀୟ 2.77 ଏକର ଜମିକୁ ତିନି ଭାଗରେ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ କିନ୍ତୁ କେନ୍ଦ୍ର ସରକାର ଆବେଦନରେ କହିଛନ୍ତି ଯେ, କେବଳ 0.313 ଏକର ଜମିକୁ ନେଇ ହିଁ ବିବାଦ ରହିଛି । ତେଣୁ ବାକି 67 ଏକର ଜମି ଉପରେ ଯଥାସ୍ଥିତି ବଜାୟ ରହିବା ଜରୁରୀ ନୁହେଁ ।

କେବଳ ବିବାଦୀୟ ଜମି ଉପରେ ଯଥାସ୍ଥିତି ବଜାୟ ରଖାଯାଉ ବୋଲି ଆବେଦନ କରିଛନ୍ତି କେନ୍ଦ୍ର ସରକାର । ତେବେ, ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ଓ ମୁସଲିମ ପକ୍ଷ ସହଜରେ ଗ୍ରହଣ କରିପାରିନାହାନ୍ତି । ଆଲାହାବାଦ ହାଇକୋର୍ଟ 2010ରେ ଅଯୋଧ୍ୟାର ବିବାଦୀୟ ଜମିକୁ ରାମ ଲାଲା, ନିର୍ମୋହୀ ଆଖଡା ଓ ସୁନ୍ନୀ ୱାକଫ ବୋର୍ଡ ମଧ୍ୟରେ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପରେ ହାଇକୋର୍ଟଙ୍କ ରାୟ ଉପରେ ରିହତାଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ । ଆଲାହାବାଦ ହାଇକୋର୍ଟଙ୍କ ରାୟ ଉପରେ 14ଟି ଅପିଲ ଦାୟର କରାଯାଇଥିଲା । 2011ରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଲଗାଇଥିଲେ ।

Related Posts