ଦେଶରେ କେହି ଯେପରି ଖାଲି ପେଟରେ ନ ଶୁଅନ୍ତି, ତାହା ସୁନିଶ୍ଚିତ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ: ସୁପ୍ରିମକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତର ସଂସ୍କୃତି ଏବଂ ପରମ୍ପରା ହିଁ ବିଶ୍ବ ଦରବାରରେ ଆମକୁ ସ୍ବତନ୍ତ୍ର ପରିଚୟ ଦେଇଛି । ଆମ ଏକତା ଏବଂ ଅଖଣ୍ଡତା ସର ବିଶ୍ବରେ ପରିବ୍ୟାପ୍ତ । ତେଣୁ ଏହାକୁ ବଜାୟ ରଖିବା ମଧ୍ୟ ଆମର କର୍ତ୍ତ୍ୟବ । ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ଏଭଳି ବାର୍ତ୍ତା ଦେଇଛନ୍ତି ସୁପ୍ରିମକୋର୍ଟ ।ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ‘ଆମ ଦେଶର ସଂସ୍କୃତି ହେଉଛି କେହି ଜଣେ ବି ଯେମିତି ଖାଲି ପେଟରେ ନଶୁଅନ୍ତି ତାହା, ସୁନିଶ୍ଚିତ କରିବା ଆଉ ତାହା କେନ୍ଦ୍ର ସରକାରଙ୍କ ଦାୟିତ୍ବ’। ମଙ୍ଗଳବାର ଏ ନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସମାଜରେ ଥିବା ଶେଷ ଲୋକଟି ପାଖରେ ଯେପରି ଖାଦ୍ୟ ପହଞ୍ଚେ ଏବଂ କେହି ଯେମିତି ଖାଲି ପେଟରେ ନ ଶୋଇବେ ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ରକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।

ଜଷ୍ଟିସ୍‌ ଏମ୍.ଆର୍. ଶାହ ଏବଂ ଜଷ୍ଟିସ୍‌ ହିମା କୋହଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏନେଇ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏକ ତାଜା ରିପୋର୍ଟ ଚାର୍ଟ ପ୍ରଦାନ କରିବାକୁ କହିଛନ୍ତି । ଇ-ଶ୍ରମ ପୋର୍ଟାଲରେ କେତେ ସଂଖ୍ୟକ ଶରଣାର୍ଥୀ ଏବଂ ଅସଂଗଠିତ କ୍ଷେତ୍ରର କର୍ମଚାରୀ ପଞ୍ଜିକରଣ କରାଇଛନ୍ତି ତାହାର ମଧ୍ୟ ତାଜା ରିପୋର୍ଟ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବେଞ୍ଚ ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବେଞ୍ଚ କହିଛନ୍ତି ଯେ, ‘ଆମେ ଏହା କହୁନାହୁଁ ଯେ କେନ୍ଦ୍ର ସରକାର କିଛି କରୁନାହାନ୍ତି । କରୋନା ମହାମାରୀ ସମୟରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ସରକାର କରିଥିବା ପ୍ରୟାସ ପ୍ରଶଂସନୀୟ । ତେଣୁ ଏହା ଯେପରି ଜାରି ରୁହେ ତାହା ଦେଖିବାକୁ ପଡିବ । ଏହା ଆମର ସଂସ୍କୃତି ଯେ, କେହି ଯେପରି ଖାଲି ପେଟରେ ନଶୋଇବେ ତାହା ସୁନିଶ୍ଚିତ କରିବା’।

ତେବେ ୩ ଜଣ ସାମାଜିକ କର୍ମୀ ଏ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଅଞ୍ଜଳି ଭରଦ୍ବାଜ, ହର୍ଷ ମନ୍ଦେର ଏବଂ ଜଗଦୀପ ଛୋକର ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ମାଧ୍ୟମରେ ଫାଇଲ କରିଥିଲେ । ଆଡଭୋକେଟ୍‌ ପ୍ରଶାନ୍ତ ଭୂଷଣ କହିଛନ୍ତି, ୨୦୧୧ ଜନଗଣନା ପରେ ଭାରତର ଜନସଂଖ୍ୟା ବୃଦ୍ଧି ପାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ଥିବା ଲାଭାର୍ଥୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଇଛି।

ପ୍ରଶାନ୍ତ ଭୂଷଣ କୋର୍ଟଙ୍କୁ କହିଛନ୍ତି ଯେ, ‘ସରକାର ଦାବି କହୁଛନ୍ତି ଯେ ଗତ କିଛି ବର୍ଷ ହେଲା ଜନସାଧାରଣଙ୍କ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଛି । କିନ୍ତୁ ବିଶ୍ବ କ୍ଷୁଧା ସୂଚକାଙ୍କ (global hunger index)ରେ ଭାରତ ଦ୍ରୁତ ଗତିରେ ନିମ୍ନଗାମୀ ହେଉଛି’।

Related Posts