ସାଇଲେଣ୍ଟ ମୋଡରେ ବିଜେପି-ବିଜେଡି ; ପାଟନାକୁ ଉଠିଯିବ ଭୁବନେଶ୍ୱର ଆଞ୍ଚଳିକ ପଣ୍ୟାଗାର ନିଗମ

ସତ୍ୟପାଠ ବ୍ୟୁରୋ : ଓଡିଶାକୁ ଫୋକସ୍ ଷ୍ଟେଟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ତାଙ୍କର ଦଳଭାଇମାନେ କେନ୍ଦ୍ର ପାଖରେ ଦାବି କରୁଛନ୍ତି । ପଲ୍ଲୀରୁ ପାର୍ଲାମେଣ୍ଟ ଯାଏ ସବୁଠି ସେଇ ଗୋଟିଏ ଦାବି । ଏପରିକି ଏଇ ଦାବି ପୁରଣ ଆଶାରେ କୁଆଡେ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ନବୀନ ବାବୁ ସମର୍ଥନ ଦେଉଥିବା ଚର୍ଚ୍ଚା ହୁଏ । କିନ୍ତୁ ଓଡିଶାର ସ୍ୱାର୍ଥହାନୀ ପାଇଁ ଯେତେବେଳେ ବିରାଟ ଷଡଯନ୍ତ୍ର କରାଯାଉଛି, ସେଇ ଅସଲ ବେଳେ ନବୀନ ବାବୁ ଚୁପ, ତାଙ୍କ ଦଳଭାଇମାନେ ବି ଚୁପ । କେନ୍ଦ୍ର ଯେହେତୁ ପଦକ୍ଷେପ ନେଉଛି, ତେଣୁ ରାଜ୍ୟ ବିଜେପି ବି ଚୁପ । କେନ୍ଦ୍ରୀୟ ପଣ୍ୟାଗାର ନିଗମର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରରୁ ପାଟନାକୁ ଉଠାଇ ନେବାକୁ ନିଷ୍ପତି ନିଆଯାଉଛି କିନ୍ତୁ ଆଶ୍ଚର୍ଯ୍ୟର କଥା ଉଭୟ ବିଜେପି ଓ ବିଜେଡି ଏ ଦିଗରେ ଆଦୌ ମୁହଁ ଖୋଲୁ ନାହାଁନ୍ତି ।

ଜୁଲାଇ ୨୬ ତାରିଖରେ ହୋଇଥିବା ନିଷ୍ପତି ଅନୁସାରେ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପରିବର୍ତ୍ତେ ପାଟନାରେ ରହିବ । ପାଟନା କାର୍ଯ୍ୟାଳୟ ସହ ଏହାର ମିଶ୍ରଣ ହେବ ଏବଂ ପାଟନା ଆଞ୍ଚଳିକ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରିବ । ଏହାର ମୁଖ୍ୟଭାବେ ପାଟନା ଆଂଚଳିକ ନିର୍ଦ୍ଦେଶକ କାର୍ଯ୍ୟ କରିବେ । ଖାଲି ସେତିକି ନୁହେଁ, ଭୁବନେଶ୍ୱରରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟର କୋଠାକୁ ଭଡାରେ ଦିଆଯିବାକୁ ନିଷ୍ପତି ହୋଇଛି । କେନ୍ଦ୍ର ସରକାର ଏହି ନିଷ୍ପତି ନେଇଥିବା ବେଳେ ଆସନ୍ତା ଅଗଷ୍ଟ ୧୫ ତାରିଖରୁ କାର୍ଯ୍ୟକାରୀ ହେବ ଏହି ନିଷ୍ପତି ।

କ୍ଷତିରେ ଚାଲୁଥିବା ଏକ ରିଜିଅନ୍ ସହ ଏହାର ମିଶ୍ରଣକୁ ନେଇ ଉଠିଛି ପ୍ରଶ୍ନ । ଆଉ ତା ଠାରୁ ବଡ ପ୍ରଶ୍ନ ଉଠିଛି ରାଜ୍ୟ ସରକାରଙ୍କ ନୀରବତାକୁ ନେଇ । ଗୋଟିଏ ପଟେ ଓଡିଶାର ସ୍ୱାର୍ଥହାନୀ ହେଉଛି ଆଉ ଏପଟେ ଓଡିଶାର ସ୍ୱାର୍ଥ ପାଇଁ ଚିକ୍ରାର କରୁଥିବା ବିଜେଡି ଚୁପ ରହିଛି । ରାଜ୍ୟର ସ୍ୱାର୍ଥହାନୀକୁ ବରଦାସ୍ତ କରାଯିବନି ବୋଲି କହୁଥିବା ଭାରତୀୟ ଜନତା ପାର୍ଟି ବି କେନ୍ଦ୍ରର ନିଷ୍ପତି ବିରୋଧରେ ମୁହଁ ଖୋଲୁନି । ଓଡିଶାରୁ ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଥାଇ ବି ଜଣେ କେହି ଏହାର ବିରୋଧ ନ କରିବା ଓ ଏ ବାବଦରେ ମୁହଁ ନ ଖୋଲିବା ନେଇ ରାଜନୀତି ଜୋର ଧରିଛି । ନିଜ ସ୍ୱାର୍ଥ ପାଇଁ ଦୁଇ ଦଳ ଏକାଠି ହୋଇ ଯାଉଥିବା ବେଳେ ରାଜ୍ୟ ସ୍ୱାର୍ଥ ବେଳେ ଉଭୟ ପଛଘୁଂଚା ଦେଉଥିବା ଆଲୋଚନା ହେଉଛି ।

୧୯୯୦ରେ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିଲା କେନ୍ଦ୍ରୀୟ ପଣ୍ୟାଗାର ନିଗମର ଆଂଚଳିକ କାର୍ଯ୍ୟାଳୟ । ଏବେ ରାଜ୍ୟର ୧୫ଟି ଜିଲ୍ଲାରେ ୨୧ଟି ପଣ୍ୟାଗାର ରହିଛି । ୧୪୦ କର୍ମଚାରୀଙ୍କୁ ନେଇ ୩ଲକ୍ଷ ୫୦ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଓଡିଶା ପଣ୍ୟାଗାର ଲାଭରେ ଚାଲୁଛି । ଗତ ୫ବର୍ଷରେ ୪୧କୋଟିରୁ ଅଧିକ ଲାଭ କରିଛି ଭୁବନେଶ୍ୱର ରିଜିଅନ । କିନ୍ତୁ ପାଟନାରେ ଚାଲିଥିବା ପଣ୍ୟାଗାରର ଅବସ୍ଥା ସଂଗୀନ । ୨୮ବର୍ଷ ହେଲା ପଣ୍ୟାଗାର ସଂଖ୍ୟା ୧୯ରୁ ଅଧିକ ହୋଇନି । ମାତ୍ର ୭୦ଜଣ କର୍ମଚାରୀରେ ଚାଲିଥିବା ପଣ୍ୟାଗାରର କ୍ଷମତା ୧ଲକ୍ଷ ୭୦ହଜାର ଟନ ରହିଛି ।

ପାଟନା ପଣ୍ୟାଗାର କ୍ଷତିରେ ଚାଲୁଥିବାରୁ ଲାଭରେ ଚାଲୁଥିବା ଭୁବନେଶ୍ୱର ପଣ୍ୟାଗାରକୁ ପାଟନା ସହିତ ମିଶାଇ ଦିଆଯାଉଛି । ବଡକଥା ହେଉଛି, ଯଦି ଏହି ଦୁଇଟି କାର୍ଯ୍ୟାଳୟକୁ ମିଶ୍ରଣ କରାଯିବ ତେବେ ଏହାର କାର୍ଯ୍ୟାଳୟ ଭୁବନେଶ୍ୱରରେ ରହିବନି କାହିଁକି ? ଯଦି କାର୍ଯ୍ୟାଳୟ ପାଟନାରେ ରହିପାରୁଛି ତାହାହେଲେ ଭୁବନେଶ୍ୱରରେ ରହିଲେ ସମସ୍ୟା କେଉଁଠି ? ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭୁବନେଶ୍ୱର ଆଂଚଳିକ ପଣ୍ୟାଗାର ନିଗମକୁ ସର୍ବଦା ସିଡବ୍ଲ୍ୟୁସି ଅବହେଳା କରି ଆସିଛି । ଏହାର ଆଂଚଳିକ ନିର୍ଦ୍ଦେଶକ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଗଲା ୪ମାସ ଧରି ଆଂଚଳିକ ନିର୍ଦ୍ଦେଶକ ନିଯୁକ୍ତି ଦିଆଯାଇନି ଓଲଟି ଗୃପ “ଏ’ ଓ “ବି’ କ୍ୟାଟେଗୋରୀ କର୍ମଚାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏହି ସ୍ଥାନାନ୍ତରକୁ ନିଗମର କର୍ମଚାରୀ ସଂଘ ବିରୋଧ କରିଥିବା ବେଳେ ରାଜନୈତିକ ସ୍ତରରେ ଯେଭଳି ବିରୋଧ ହେବା କଥା ସେଭଳି କିଛି ହୋଇ ନାହିଁ ।

Related Posts