(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଡବଲ ମର୍ଡର ମିଷ୍ଟ୍ରୀକୁ ଛତିଶଗଡ଼ ପୋଲିସ ଯେଭଳି ଭାବେ ତଦନ୍ତ କଲା ଏବଂ ମୁଖ୍ୟ ଅଭିଯୁକ୍ତ ପୂର୍ବ ବିଜେଡି ନେତା ଅନୁପ ସାଏଙ୍କର ସମ୍ପୃକ୍ତିର ଟିକ୍ନିଖି ତଥ୍ୟ ପ୍ରମାଣକୁ ଯୋଗାଡ଼ କରିବାରେ ସଫଳ ହେଲା ତାହା ଏବେ ଉଭୟ ରାଜ୍ୟରେ ଚର୍ଚ୍ଚର ବିଷୟ ପାଲଟିଛି । ଗତକାଲି ରାୟଗଡ଼ ଏସ୍ପିଙ୍କର ସାମ୍ବାଦିକ ସମ୍ମିଳନୀ ଦେଖିବା ପରେ ଛତିଶଗଡ଼ ଅପେକ୍ଷା ଓଡ଼ିଶାର ଲୋକେ ରାୟଗଡ଼ ପୋଲିସର କାର୍ଯ୍ୟକୁ ବେଶୀ ପ୍ରଶଂସା କରୁଛନ୍ତି । ଅନେକଙ୍କର କହିବା କଥା ଯଦି ଘଟଣା ରାୟଗଡ଼ ଜିଲ୍ଲାରେ ହୋଇନଥାନ୍ତା ଏବଂ ଛତିଶଗଡ଼ ପୋଲିସ ପରିବର୍ତ୍ତେ ଓଡ଼ିଶା ପୋଲିସ ତଦନ୍ତ କରିଥାନ୍ତା ତା’ ହେଲେ ଅନୁପ ସାଏ ଆଜି ନିଶରେ ଘିଅ ମାରି ପଣ୍ୟାଗାର ନିଗମ କାର୍ଯ୍ୟାଳୟର ଆରାମ ଚେୟାରରେ ବସିଥାନ୍ତେ ।
ରାୟଗଡ଼ ପୋଲିସ 2ଟି ଅଚିହ୍ନା ଶବ ଯାହାଙ୍କର ମୁହଁ ଉପରେ ଗାଡ଼ି ଚଢ଼ାଇ ସମ୍ପୂର୍ଣ୍ଣ ବିକୃତ କରିଦିଆଯାଇଥିଲା ଏଭଳି ମାମଲାକୁ ହାତକୁ ନେଲା 3 ବର୍ଷ 9 ମାସ ଧରି ତଦନ୍ତ ଚଲାଇଲା, 6ଟି ରାଜ୍ୟ ବୁଲିଲା, 700 ଲୋକଙ୍କୁ ପଚରାଉଚରା କରି ତଥ୍ୟ ପ୍ରମାଣ ଆଦାୟ କଲା । ଶେଷରେ ଜଣେ ପୂର୍ବ ବିଧାୟକ, ବାହୁବଳି ଏକ ସରକାରୀ ନିଗମର ଅଧ୍ୟକ୍ଷ ଏବଂ ପଶ୍ଚିମ ଓଡ଼ିଶାର ନବୀନ ବାବୁଙ୍କର ଜଣେ ଅନୁଗତ ଖାସ୍ ଅନୁପ ସାଏ ଭଳି ଲୋକଙ୍କୁ ହାତକଡ଼ି ଲଗାଇଦେଲା । ଠିକ୍ ଏହି ପରିପ୍ରେକ୍ଷିରେ ଓଡ଼ିଶା ପୋଲିସର ଦକ୍ଷତା ଛତିଶଗଡ଼ ପୋଲିସ ସହ ତୁଳନା କରିବା ଆରମ୍ଭ କରିଦେଇଛନ୍ତି ।
କେଇ ମାସ ତଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ଆତ୍ମହତ୍ୟା (ହତ୍ୟାକାଣ୍ଡ) କଥା ବିଚାରକୁ ନିଆଯାଇପାରେ । ଅନୁପ ସାଏଙ୍କ ଭଳି ଅଭିଯୁକ୍ତ ରୁପେଶ ଭଦ୍ରା ଏବଂ ତାଙ୍କ ପରିବାର ଶାସକ ବିଜୁ ଜନତା ଦଳର ଟାଣୁଆ ନେତା । ହଠାତ ସ୍କିତାରାଣୀ ବିଶ୍ବାଳଙ୍କ ରହସ୍ୟମୟ ମୃତ୍ୟୁ ଏବଂ ତା’ ପରେ ତଦନ୍ତକାରୀ ଯାଜପୁର ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟକଳାପ । କଳ୍ପନା ଦାଶ କ୍ଷେତ୍ରରେ ମୃତଦେହ ଚିହ୍ନିବା ଅବସ୍ଥାରେ ନଥିଲା । ଯଦି ଓଡ଼ିଶା ପୋଲିସ ହୋଇଥାନ୍ତା ତେବେ ୟୁଡି କେସ୍ଟିଏ କେସ୍ କରି ବସିପଡ଼ିଥାନ୍ତା । କିନ୍ତୁ ଛତିଶଗଡ଼ ପୋଲିସ ପୁରା ମୂଳ ଯାଏ ଗଲା ।






