
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଡବଲ ମର୍ଡର ମିଷ୍ଟ୍ରୀକୁ ଛତିଶଗଡ଼ ପୋଲିସ ଯେଭଳି ଭାବେ ତଦନ୍ତ କଲା ଏବଂ ମୁଖ୍ୟ ଅଭିଯୁକ୍ତ ପୂର୍ବ ବିଜେଡି ନେତା ଅନୁପ ସାଏଙ୍କର ସମ୍ପୃକ୍ତିର ଟିକ୍ନିଖି ତଥ୍ୟ ପ୍ରମାଣକୁ ଯୋଗାଡ଼ କରିବାରେ ସଫଳ ହେଲା ତାହା ଏବେ ଉଭୟ ରାଜ୍ୟରେ ଚର୍ଚ୍ଚର ବିଷୟ ପାଲଟିଛି । ଗତକାଲି ରାୟଗଡ଼ ଏସ୍ପିଙ୍କର ସାମ୍ବାଦିକ ସମ୍ମିଳନୀ ଦେଖିବା ପରେ ଛତିଶଗଡ଼ ଅପେକ୍ଷା ଓଡ଼ିଶାର ଲୋକେ ରାୟଗଡ଼ ପୋଲିସର କାର୍ଯ୍ୟକୁ ବେଶୀ ପ୍ରଶଂସା କରୁଛନ୍ତି । ଅନେକଙ୍କର କହିବା କଥା ଯଦି ଘଟଣା ରାୟଗଡ଼ ଜିଲ୍ଲାରେ ହୋଇନଥାନ୍ତା ଏବଂ ଛତିଶଗଡ଼ ପୋଲିସ ପରିବର୍ତ୍ତେ ଓଡ଼ିଶା ପୋଲିସ ତଦନ୍ତ କରିଥାନ୍ତା ତା’ ହେଲେ ଅନୁପ ସାଏ ଆଜି ନିଶରେ ଘିଅ ମାରି ପଣ୍ୟାଗାର ନିଗମ କାର୍ଯ୍ୟାଳୟର ଆରାମ ଚେୟାରରେ ବସିଥାନ୍ତେ ।