ମହାନଦୀ ଉପରେ ୪ହଜାର ପ୍ରକଳ୍ପ

ନବୀନ ବାବୁ ସଂଳାପରେ ବ୍ୟସ୍ତ, ଛତିଶଗଡ ଶୋସିବାରେ ବ୍ୟସ୍ତ

ସତ୍ୟପାଠ ବ୍ୟୁରୋ : ଛତିଶଗଡ କବଜାରେ ମହାନଦୀର ବେସିନ । ଏବେ ସୁଦ୍ଧା ମହାନଦୀ ଓ ଏହାର ଶାଖା ନଦୀ ଗୁଡିକରେ ୨୩୬୫ଟି ଛୋଟବଡ ବନ୍ଧ ଓ ବ୍ୟାରେଜ ନିର୍ମାଣ କରିସାରିଛି ଛତିଶଗଡ । ଏବେ ଆହୁରି ୧୮୦୨ଟି ପ୍ରକଳ୍ପ ପାଇଁ ଛତିଶଗଡ ସରକାର କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ବୈଷୟିକ ପରାମର୍ଶଦାତା କମିଟି (ଟଏସି)ରେ ଆବେଦନ କରିଛି । ରାଜ୍ୟସଭାରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ତେବେ ନୂଆ କରି ନିର୍ମାଣ ହେବାକୁ ଥିବା ୧୮୦୨ଟି ପ୍ରକଳ୍ପ ପାଇଁ ଛତିଶଗଡ ସରକାରର ସବୁ ବିଭାଗରୁ ଅନୁମତି ମିଳି ସାରିଛି । ଛତିଶଗଡ ଷ୍ଟେଟ୍ ଲେଭଲ୍ ଇମ୍ପାକ୍ଟ ଆସେସ୍ମେଣ୍ଟ କମିଟି (ସିଆ) ଏନେଇ ଅନୁମୋଦନ କରିବା ପରେ ବର୍ତ୍ତମାନ କେନ୍ଦ୍ର ଜଳସମ୍ପଦ ବିଭାଗ ଠାରୁ ଅନୁମତି ଅପେକ୍ଷାରେ ଛତିଶଗଡ ସରକାର ।

ସବୁଠୁ ବଡ କଥା ହେଲା, ଟିଏସି ମଧ୍ୟ ଏହାକୁ ଅନୁଧ୍ୟାନ କରିବାକୁ ଗ୍ରହଣ କରିଛନ୍ତି । ଗତ ୧୫ ତାରିଖରେ ରାଜ୍ୟସଭାରେ ଖୋଦ୍ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନଲାଲ କଟାରିଆ ସୂଚନା ଦେଇଛନ୍ତି । ଓଡିଶା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ମହାନଦୀରେ ଛତିଶଗଡ ସରକାର ନିର୍ମାଣ କରିଥିବା ୬ଟି ଶିଳ୍ପ ବ୍ୟାରେଜକୁ ନେଇ ଓଡିଶା ଓ ଛତିଶଗଡ ଭିତରେ ବିବାଦ ଥମିନି ଏବେ ପୁଣି ୧୮୦୨ଟି ପ୍ରକଳ୍ପ ପାଇଁ ଆବେଦନ ହୋଇଛି । ଓଡିଶା ସୀମାନ୍ତରୁ ମାତ୍ର ୧୦୦କିମି ଦୂରତାରେ କଲମା, ସାରଡିହି, ବସନ୍ତପୁର, ଶିଓରିନାରାୟଣ, ସମୋଡା, ମିରୋନି ଭଳି ବ୍ୟାରେଜ ପାଇଁ ମହାନଦୀର ମୁଖ୍ୟ ସ୍ରୋତ ସିଧାସଳଖ ପ୍ରଭାବିତ ହେଉଛି । ତା ସହ ଏହାର ଶାଖା ନଦୀ ଗୁଡିକରେ ହଜାର ହଜାର ସଂଖ୍ୟାରେ ପ୍ରକଳ୍ପ ନିର୍ମାଣ ଫଳରେ ସ୍ଥିତି ଗୁରୁତର ଆଡକୁ ଗଲାଣି । ଏହାକୁ ନେଇ ମାମଲା ଟ୍ରିବ୍ୟୁନାଲରେ ଏବେ ବି ବିଚାରାଧୀନ ରହିଛି । କିନ୍ତୁ ଚାଲିଥିବା କାମକୁ ବନ୍ଦ କରିବା ପାଇଁ କୌଣସି ନିର୍ଦ୍ଦେଶ ଆସିନାହିଁ । ଫଳରେ ବର୍ତ୍ତମାନ ସୁଦ୍ଧା ଛତିଶଗଡ ସରକାର ୨୩୬୫ଟି ଛୋଟବଡ ପ୍ରକଳ୍ପ ନିର୍ମାଣ କରି ସାରିଲେଣି ।

ପୂର୍ବରୁ ମହାନଦୀକୁ ନେଇ ମହାବିବାଦ ତୁଟିନି ପୁଣି ନୂଆ ବିବାଦ ଆସି ଛିଡା ହେଲାଣି । ବାସ୍ତବିକ ଯଦି ଛତିଶଗଡ ସରକାର ଏହି ନୂଆ ପ୍ରକଳ୍ପ ତିଆରି କରନ୍ତି ତେବେ ଅଣମୌସୁମୀ ଅବଧିରେ ଓଡିଶା ସାଂଘାତିକ ଭାବେ ଜଳପ୍ରବାହ ହ୍ରାସର ସାମ୍ନା କରିବ । ସମଗ୍ର ବହାନଦୀ ବେସନିରେ ୪୧୬୭ଟି ପ୍ରକଳ୍ପ ହେବା ଦ୍ୱାରା ଉକ୍ରଟ ଜଳସଙ୍କଟ ସହ ଜୈବ ବିବିଧତା ଗୁରୁତର ଭାବେ ସନ୍ତୁଳନ ହରାଇବାର ଆଶଙ୍କା ଦେଖାଦେଇଛି । ଓଡିଶା ସରକାର ବେଳହୁଁ ସାବଧାନ ନହେଲେ ନେଡି ଗୁଡ କହୁଣୀକୁ ବୋହିବା ଥୟ ।

Related Posts