
ପଡ଼ୋଶୀ ଚୀନର ଆଉ ଏକ ଚତୁର ଚାଲ୍ । ଡୋକଲାମ୍ରେ ଭାରତଠାରୁ ମୁହଁତୋଡ଼ ଜବାବ୍ ପାଇବା ପରେ ଏବେ ଚୀନ୍ କରିଛି ଆଉ ଏକ ଷଡ଼ଯନ୍ତ୍ର । ଭାରତକୁ ଚାରିପଟୁ ଘେରିବା ପାଇଁ ଡ୍ରାଗନ୍ ଏକ ବଡ଼ ଯୋଜନା କରିଛି । ଯାହାର ନାଁ ରହିଛି ୱାନ୍ ବେଲ୍ଟ ୱାନ୍ ରୋଡ଼ ପ୍ରୋଜେକ୍ଟ । ଚୀନ୍ର ଏହି ପ୍ରକଳ୍ପ ଭାରତ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ । ଉଭୟ ସ୍ଥଳ ଓ ଜଳ ପଥରେ ଭାରତକୁ ଚାରିପଟୁ ଘେରିବାକୁ ଡ୍ରାଗନର ଏହି ଘାତକ ଷଡ଼ଯନ୍ତ୍ର, ଆର୍ଥିକ ଓ ସାମରିକ ଉଭୟ କ୍ଷେତ୍ରରେ ଭାରତକୁ କ୍ଷତି କରିପାରେ ।
ଏହି ପ୍ରୋଡେକ୍ଟରେ 900 ଅରବ ଡଲାର୍ ଅର୍ଥାତ୍ ପ୍ରାୟ 64 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛି, ଯାହା କି ସାରା ବିଶ୍ବର ମୋଟ ଜିଡିପିର ଏକ ତୃତୀୟାଂଶ ହେବ । ଏହି ପ୍ରକଳ୍ପରେ ରେଳ, ସଡ଼କ ଓ ସାମୁଦ୍ରିକ ମାର୍ଗରେ ଏସିଆ, ୟୁରୋପ, ଆଫ୍ରିକାର 70ଟି ଦେଶକୁ ଯୋଡ଼ିବାକୁ ଚୀନ୍ ଲକ୍ଷ୍ୟ ରଖିଛି । ମାଟିରେ ସିଲ୍କ ରୋଡ଼ ଇକୋନୋମିକ୍ ବେଲ୍ଟ ଓ ପାଣିରେ ଅର୍ଥାତ୍ ସମୁଦ୍ରରେ ମେରିଟାଇମ୍ ସିଲ୍କ ରୋଡ଼ ନିର୍ମାଣ କରାଯିବ । ସିଲ୍କ ରୋଡ଼ ଇକୋନୋମିକ୍ ବେଲ୍ଟ ଚୀନ୍ର ରାଜଧାନୀ ବେଜିଂକୁ ତୁର୍କୀ ସହ ସଂଯୁକ୍ତ କରି ଋଷ, ଇରାନ ଓ ଇରାକକୁ ସଂଯୋଗ କରିବ ।
ମେରିଟାଇମ୍ ସିଲ୍କ ରୋଡ଼ ଦକ୍ଷିଣ ଚୀନ୍ ସାଗରରୁ ଭାରତ ମହାସାଗର ରାସ୍ତା ଦେଇ ଦକ୍ଷିଣ-ପୂର୍ବ ଏସିଆ, ଆଫ୍ରିକା ଓ ଉପକୂଳବର୍ତ୍ତୀ ଦେଶ ଗୁଡ଼ିକୁ ଯୋଡ଼ିବ । ଏଥିସହ ଚୀନ୍ରୁ ୟୁରୋପ ମହାଦେଶର ପୋଲାଣ୍ଡ ଯାଏଁ ଦୀର୍ଘ 9,800 କିଲୋମିଟର ରେଳଲାଇନ୍ ବିଛାଯିବ । ଓବିଓଆର୍ ପ୍ରୋଜେକ୍ଟ ଅଧୀନରେ ଚୀନ୍, ଭାରତର ପଡ଼ୋଶୀ ଦେଶରେ ଭିତ୍ତିଭୂମି, ପରିବହନ ଓ ଶକ୍ତି କ୍ଷେତ୍ରରେ ବଡ଼ ନିବେଶ କରିବା ସହ ଋଣ ବି ପ୍ରଦାନ କରୁଛି ।
ପୂର୍ବରୁ ଭାରତ ଚୀନ୍-ପାକିସ୍ତାନ ଇକୋନୋମିକ୍ କରିଡର ବା ସିପିଇସି ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଆସିଛି । ଏହା ପାକ୍ ଅଧିକୃତ କାଶ୍ମୀର ଦେଇ ଅତିକ୍ରମ କରିବ । ଯାହା ଭାରତର ସାର୍ବଭୌମତ୍ବର ଉଲ୍ଲଂଘନ କରୁଛି । ପାକିସ୍ତାନରେ ଗ୍ୟାସ୍ ପାଇପ୍ଲାଇନ୍, ହଙ୍ଗେରୀରେ ହାଇୱେ ଏବଂ ଥାଇଲ୍ୟାଣ୍ଡରେ ହାଇସ୍ପିଲ୍ ରେଳ ଲିଙ୍କ ନିର୍ମାଣ କରାଯାଉଛି । ଶ୍ରୀଲଙ୍କା, ଫିଲିପାଇନ୍ସ, ପାକିସ୍ତାନ, ଥାଇଲ୍ୟାଣ୍ଡ, ବାଂଲାଦେଶ ଓ ମ୍ୟାଁମାରକୁ ଚୀନ ପ୍ରଚୁର ପରିମାଣର ଋଣ ଦେଉଛି । ଚୀନ୍ ଏହି ସବୁ ଦେଶରେ ଇକ୍ବିଟି ସେୟାର କିଣି ନିଜ ଦେଶର କମ୍ପାନୀଙ୍କୁ ବିକ୍ରି କରୁଛି ।
OBOR ହେଉଛି ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କର ସ୍ବପ୍ନର ପ୍ରକଳ୍ପ । ଏହି ପ୍ରକଳ୍ପ ଫଳରେ ଡ୍ରାଗନର ଶକ୍ତି ବଢ଼ିବା ସହ ଭାରତ ପାଇଁ ସମସ୍ୟା ସୃଷ୍ଟି ହେବ । ଭାରତ ମହାସାଗରୀୟ ତଟବର୍ତ୍ତୀ ଦେଶ ଗୁଡ଼ିକରେ ଚୀନ୍ ବନ୍ଦର, ନୌସେନା ବେସ୍ ଏବଂ ନିରୀକ୍ଷଣ ପୋଷ୍ଟ ନିର୍ମାଣ କରିବ । ଏହାକୁ ଷ୍ଟ୍ରିଙ୍ଗ ଅଫ୍ ପଲ୍ସ ନାଁ ଦିଆଯାଇଛି । ଶ୍ରୀଲଙ୍କା, ପାକିସ୍ତାନ ଓ ବାଂଲାଦେଶରେ ନିବେଶ କରି ବଙ୍ଗୋପସାଗର ଓ ଆରବ ସାଗରରେ ଚୀନ୍ ନିଜର ପ୍ରଭାବ ବଢ଼ାଇବ । ଚୀନ୍ର କମ୍ପାନୀ ଗୁଡ଼ିକର ନଜର ଏହି ଦେଶ ସବୁର ବଜାର ଉପରେ ଅଛି ।
ପଡ଼ୋଶୀ ଦେଶରେ ଚୀନ୍ର ପ୍ରଚୁର ନିବେଶ ଫଳରେ ଭାରତର ବ୍ୟବସାୟ ଉପରେ ପ୍ରଭାବିତ ହୋଇପାରେ । ତେବେ ଭାରତ ପାଇଁ ଗୋଟିଏ ରାସ୍ତା ହେଲା ଯେ ଭାରତ ଓବିଓଆର୍ରେ ସାମିଲ୍ ହୋଇଯିବ ଏବଂ ବିଶ୍ବ ଅର୍ଥନୀତିରେ ଭାଗିଦାର ହେବା ସହ ନିଜର ପୂର୍ବୋତ୍ତର କ୍ଷେତ୍ରରେ ଭିତ୍ତିଭୂମିକୁ ବଢ଼ାଇବ । କିନ୍ତୁ ଏଥିରେ ବି ସମସ୍ୟା ରହିଛି, କାରଣ ଚୀନ୍ର ନଜର ପୂର୍ବରୁ ହିଁ ଭାରତର ପୂର୍ବୋତ୍ତର ରାଜ୍ୟ ଗୁଡ଼ିକ ଉପରେ ରହିଛି । ଏଥିସହ ଏହି ପ୍ରକଳ୍ପରେ ଚୀନ୍ ହିଁ ନେତୃତ୍ବ ନେବ । ଏହି ଦେଶ ଉପରେ ବିଶ୍ବାସ କରିବା କଷ୍ଟକର ।